ହାଇଦ୍ରାବାଦ: ଭାରତ-କାନାଡା କୂଟନୈତିକ ସମ୍ପର୍କ ଏବେ ଏକ ତିକ୍ତତାପୂର୍ଣ୍ଣ ସମୟ ଦେଇ ଗତି କରୁଛି । କାନାଡାର ଅଭିଯୋଗ ଯେ, ଭାରତ କାନାଡାରେ ହତ୍ୟାକାଣ୍ଡରେ ଜଡିତ ଅଛି । ଏହି କ୍ଷେତ୍ରରେ ପୂର୍ବରୁ ଆମେରିକାର ବାଇଡେନ ପ୍ରଶାସନର ସମର୍ଥନ କାନାଡା ପ୍ରତି ରହିଆସିଛି । ଯାହା ଆମେରିକା-କାନାଡାର ଭିତିରି ସମ୍ପର୍କକୁ ଦର୍ଶାଉଛି । ତେବେ ଏହାରି ମଧ୍ୟରେ ସମୀକରଣ ପରିବର୍ତ୍ତନ ହେବାକୁ ଯାଉଛି । କାରଣ ଆମେରିକାରେ ଏବେ ବାଇଡେନ ଯୁଗ ଶେଷ ହେବା ସହ ଟ୍ରମ୍ପ ଯୁଗ ଆରମ୍ଭ ହୋଇସାରିଛି । ଆସନ୍ତାବର୍ଷ (2025) ରେ ହ୍ବାଇଟ୍ ହାଉସକୁ ଟ୍ରମ୍ପଙ୍କ ଆନୁଷ୍ଠାନିକ ପ୍ରବେଶ ହେବ । ଆମେରିକାରେ ଏହି କ୍ଷମତା ପରିବର୍ତ୍ତନ ଉଭୟ ଦେଶ ପାଇଁ ଭିନ୍ନ ସ୍ଥିତି ସୃଷ୍ଟି କରିବା ଏକପ୍ରକାର ସ୍ପଷ୍ଟ ଅନୁମେୟ ।
- ଆମେରିକା-କାନାଡା ଦ୍ବିପାକ୍ଷିକ ସମ୍ପର୍କ
ଯଦିଓ କାନାଡା ଆମେରିକାର ପରୋକ୍ଷ ନିୟନ୍ତ୍ରଣରେ ଥିବା ମିଳିତ ସାମରିକ ମଞ୍ଚ ‘ନାଟୋ’ର ସଦସ୍ୟ ଓ ପଡ଼ୋଶୀ ତଥା ସହଯୋଗୀ ଅଂଶୀଦାର, ତଥାପି ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ କାନାଡା ପାଇଁ ଶୁଭଙ୍କର ହେବନାହିଁ ବୋଲି ଚର୍ଚ୍ଚା ହେଉଛି । ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟରେ ବର୍ତ୍ତମାନର ଟ୍ରୁଡୋ ନେତୃତ୍ବାଧୀନ କାନାଡା ସରକାର ଅସନ୍ତୁଷ୍ଟ ଥିବା ଜଣାପଡିଛି । କାନାଡାର ଉପ-ପ୍ରଧାନମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ କହିଛନ୍ତି,‘‘ମୁଁ ଜାଣେ ଆଜି ଅନେକ କାନାଡୀୟ ନାଗରିକ ଅସନ୍ତୋଷ ଅନୁଭବ କରୁଛନ୍ତି । ମୁଁ ସମସ୍ତ କାନାଡୀୟଙ୍କୁ କହିବାକୁ ଚାହେଁ ଯେ, କାନାଡା ସମୃଦ୍ଧ ହେବ, ଦେଶବାସୀ ନିରାପଦରେ ରହିବେ । ଆମର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ସୁରକ୍ଷିତ ରହିବ । ଆମେ ନୂତନ ନିର୍ବାଚିତ ଆମେରିକା ସରକାର ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଯାଉଛୁ ।’’ ଏହା ପରୋକ୍ଷରେ ଟ୍ରମ୍ପଙ୍କ ବିଜୟ ପ୍ରତି ଥିବା ଅସନ୍ତୋଷକୁ ଦର୍ଶାଇଥିଲା ।
- ଟ୍ରମ୍ପଙ୍କ ବିଜୟରେ କାନାଡା ରାଜନେତାଙ୍କ ବୟାନ :-
ବିବାଦ ଓ ବିଦ୍ରୋହ ସତ୍ତ୍ବେ ମଧ୍ୟ କାନାଡାରେ ଜଷ୍ଟିନ ଟ୍ରୁଡୋଙ୍କୁ କ୍ଷମତାରେ ରହିବାକୁ ରାଜନୈତିକ ସହାୟତା ପ୍ରଦାନ କରିଥିବା ‘ନ୍ୟାସନାଲ ଡେମୋକ୍ରାଟିକ୍ ଫ୍ରଣ୍ଟ’ (ଏନଡିଏଫ୍) ନେତା ଜଗମିତ ସିଂ ମଧ୍ୟ ସମାନ ଢଙ୍ଗରେ ଟ୍ରମ୍ପଙ୍କ ବିଜୟ ଓ ଆମେରିକାରେ କ୍ଷମତା ପରିବର୍ତ୍ତନରେ ଆଭିମୁଖ୍ୟ ରଖିଥିଲେ । ସେ କହିଥିଲେ, ଦେଶର ସ୍ୱାର୍ଥ ରକ୍ଷା ପାଇଁ କାନାଡୀୟମାନେ ଏକଜୁଟ ହେବା ଆବଶ୍ୟକ । ସେ ଉପ-ପ୍ରଧାନମନ୍ତ୍ରୀ ଫ୍ରିଲାଣ୍ଡଙ୍କ ଉକ୍ତିକୁ ଅନୁକରଣ କରି କହିଛନ୍ତି, ଅନେକ କାନାଡୀୟ ଏବେ ଚିନ୍ତିତ ଅଛନ୍ତି । କାନାଡାକୁ ସମ୍ଭାବ୍ୟ ଆତଙ୍କବାଦୀଙ୍କ ପ୍ରଭାବ ପାଇଁ ପ୍ରସ୍ତୁତ ହେବା ଉଚିତ । ଏହା ସହ ଟ୍ରମ୍ପଙ୍କ ବାଣିଜ୍ୟ ନୀତିକୁ ନେଇ ଆପତ୍ତି ଉଠାଇବା ପାଇଁ ସେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଆହ୍ବାନ ମଧ୍ୟ ଦେଇଛନ୍ତି । ଅପରପକ୍ଷେ, କାନାଡାର ବୈଦେଶିକ ମନ୍ତ୍ରୀ ମେଲାନି ଜୋଲି ଦାବି କରିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନ କାନାଡାର ବୈଶ୍ୱିକ ପ୍ରଭାବକୁ ବୃଦ୍ଧି କରିଛି ।
- ଟ୍ରମ୍ପଙ୍କୁ ଟ୍ରୁଡୋଙ୍କ ଶୁଭେଚ୍ଛା
ନିର୍ବାଚନ ଫଳାଫଳ ଆସିବା ପରେ ଟ୍ରୁଡୋ, ଡୋନାଲ୍ଡ ଟ୍ରମ୍ପଙ୍କୁ ମିଛ ପ୍ରଶଂସା ସହ ଅଭିନନ୍ଦନ ଜଣାଇଛନ୍ତି । କହିଛନ୍ତି,‘‘କାନାଡା ଏବଂ ଆମେରିକା ମଧ୍ୟରେ ବନ୍ଧୁତା ହେଉଛି ବିଶ୍ୱର ଅନେକ ଦେଶର ଇର୍ଷାର କାରଣ । ମୁଁ ଜାଣେ, ରାଷ୍ଟ୍ରପତି ଟ୍ରମ୍ପ ଏବଂ ମୁଁ ଉଭୟ ଦେଶ ପାଇଁ ଅଧିକ ସୁଯୋଗ, ସମୃଦ୍ଧତା ଏବଂ ନିରାପତ୍ତା ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିବୁ ।’’ ତେବେ ଏଠାରେ ଅନ୍ୟ ଏକ କଥା ବିଚାରକୁ ନିଆଯାଇପାରେ । ଯାହା ଟ୍ରମ୍ପଙ୍କ ପୂର୍ବ କାର୍ଯ୍ୟକାଳରେ ଆମେରିକା ଓ କାନାଡା ମଧ୍ୟରେ ତିକ୍ତତା ଥିଲା ଏବଂ ତାହା ଆଜି ମଧ୍ୟ ଜାରି ରହିଛି ।
ପୂର୍ବରୁ ଟ୍ରମ୍ପ ଟ୍ରୁଡୋଙ୍କୁ 'ବାମପନ୍ଥୀ ପାଗଳ' ଏବଂ 'ଦୋମୁହାଁ ବ୍ୟକ୍ତିତ୍ବ' ବୋଲି କହି କଟାକ୍ଷ କରିଥିଲେ । 2019 ରେ ‘ନାଟୋ’ ଶିଖର ସମ୍ମିଳନୀରେ ଟ୍ରମ୍ପଙ୍କୁ ଥଟ୍ଟା କରୁଥିବା ବେଳେ କ୍ୟାମେରାରେ ଟ୍ରୁଡୋଙ୍କ କାର୍ଯ୍ୟକଳାପ ରେକର୍ଡ ହୋଇଥିଲା । ସେ ଏଥିପାଇଁ ଟ୍ରମ୍ପଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି କି ବୋଲି ଗଣମାଧ୍ୟମ ପ୍ରଶ୍ନରେ ସେ ଚୁପ ରହିଥିଲେ ।
- କାନାଡାର ବାଣିଜ୍ୟକୁ ପ୍ରଭାବିତ କରିବ ଟ୍ରମ୍ପଙ୍କ ନୀତି;-
ବାଣିଜ୍ୟ ଦୃଷ୍ଟିରୁ ଯଦି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି କାନାଡାକୁ ପ୍ରଭାବିତ କରିପାରେ । ସମସ୍ତ ଆମଦାନୀ ଉପରେ 10% ଶୁଳ୍କ ଲାଗୁ କରିବାକୁ ଟ୍ରମ୍ପ ନିର୍ବାଚନ ସମୟରେ ପ୍ରତିଶୃତି ଦେଇଥିଲେ । ତେବେ ଏହା କାନାଡାର ଅର୍ଥନୀତି ଉପରେ ବହୁତ ଖରାପ ପ୍ରଭାବ ପକାଇବ । କାନାଡାର ଗଣମାଧ୍ୟମ ଅନୁଯାୟୀ, ଏହି ଏକକ ପଦକ୍ଷେପ 2028 ସୁଦ୍ଧା ଏହାର ଅର୍ଥନୀତିରୁ 7 ବିଲିୟନ ଆମେରିକୀୟ ଡଲାର କ୍ଷତି ପହଞ୍ଚାଇ ପାରେ । ମୁଦ୍ରାସ୍ଫୀତି ମଧ୍ୟ ବଢିପାରେ । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, କାନାଡା ଏହାର ମୋଟ ଉତ୍ପାଦନର ପ୍ରାୟ 75% ଆମେରିକାକୁ ରପ୍ତାନି କରେ ।
- ଅନୁପ୍ରବେଶକାରୀ ପ୍ରସଙ୍ଗରେ କାନାଡାର ଅଡୁଆ ବଢିବାରେ ଲାଗିଛି :-
ଇମିଗ୍ରେସନ ଉପରେ କଟକଣା ଲଗାଇବା ଏବଂ ବେଆଇନ ଅନୁପ୍ରବେଶକାରୀଙ୍କୁ ଆମେରିକାରୁ ବିତାଡିତ କରିବା ପାଇଁ ଟ୍ରମ୍ପ ପୂର୍ବରୁ ଘୋଷଣା କରିସାରିଛନ୍ତି । ଏବେ ଟ୍ରମ୍ପଙ୍କ ବିଜୟ ପରେ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଭୟ ରହିଛି । ସେମାନେ ଏବେ କୌଣସି କାର୍ଯ୍ୟାନୁଷ୍ଠାନ ଭୟରେ ଆଶ୍ରୟ ପାଇଁ କାନାଡା ସୀମା ଅତିକ୍ରମ କରିବା ଆରମ୍ଭ ମଧ୍ୟ କଲେଣି । ଯାହା କାନାଡା ପାଇଁ ବେଶ ବଡ ସମସ୍ୟା ସୃଷ୍ଟି କରିବା ଆରମ୍ଭ କରିଛି । ଆମେରିକାର ସୀମା ପ୍ରସଙ୍ଗ ଦାୟିତ୍ବରେ ଥିବା ଜଣେ ବରିଷ୍ଠ ଆମେରିକୀୟ ଅଧିକାରୀ ଟମ ହୋମାନ କହିଛନ୍ତି ଯେ ଉତ୍ତର ସୀମାରେ (କାନାଡାକୁ ସଂଯୋଗ କରୁଥିବା) ସୀମା ଅତିକ୍ରମ କରି ଅନୁପ୍ରବେଶକାରୀ ଆମେରିକାରେ ଅବୈଧ ପ୍ରବେଶ କରୁଛନ୍ତି । ଏହାକୁ ରୋକ ଲଗାଇବାକୁ ଆଗାମୀ ଦିନରେ ଆମେରିକା ଦୃଢ କାର୍ଯ୍ୟପନ୍ଥା ଗ୍ରହଣ କରିବ ।
- ଟ୍ରମ୍ପଙ୍କୁ ନେଇ ଭାରତ ପ୍ରତି କୌଣସି ବିପଦ ନାହିଁ :-
ଭାରତ ପାଇଁ ଟ୍ରମ୍ପଙ୍କ କ୍ଷମତା ପ୍ରତ୍ୟାବର୍ତ୍ତନର କୌଣସି ପ୍ରଭାବ ନାହିଁ । ଏହାକୁ ଭିନ୍ନ ଅର୍ଥରେ ଦେଖିବାକୁ ଗଲେ, ଭାରତ-ଆମେରିକା ସମ୍ପର୍କକୁ ବୃଦ୍ଧି କରିବା ପାଇଁ ଏକ ସୁଯୋଗ ଭାବେ ବିଚାର କରାଯାଉଛି । ମୁଖ୍ୟତଃ ବାଣିଜ୍ୟ ଏବଂ ଇମିଗ୍ରେସନ କ୍ଷେତ୍ରରେ କିଛି ପ୍ରତିବନ୍ଧକ ଅଛି, ଯାହାକୁ ଉଭୟ ଦେଶର ସରକାରକୁ ଦୂର କରିବାକୁ ହେବେ । ଟ୍ରମ୍ପଙ୍କ ଦ୍ବାରା ଉଚ୍ଚ ପଦ-ପଦବୀରେ ଅଧିକାଂଶ ନିଯୁକ୍ତ ବ୍ୟକ୍ତି ଭାରତର ସମର୍ଥକ । ଅନ୍ୟପଟେ ସାମରିକ ସହାୟତା ପାଇଁ ଭାରତ ଆମେରିକା ଉପରେ ନିର୍ଭରଶୀଳ ନୁହେଁ, କିନ୍ତୁ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ରଣନୀତିକୁ ସମର୍ଥନ ଦିଗରେ ଭାରତ ଆମେରିକା ସହ ସହମତି ପ୍ରକାଶ କରିପାରେ । ଯଦିଓ ଟ୍ରମ୍ପ ପ୍ରଶାସନ ଭାରତୀୟ ଉତ୍ପାଦ ଉପରେ ସର୍ବାଧିକ 20% ଶୁଳ୍କ ଲାଗୁ କରେ, ତେବେ ଏହି ନିଷ୍ପତ୍ତି ପ୍ରଭାବ ଭାରତର ‘ଜିଡିପି’ ଉପରେ ଆସନ୍ତା ତିନିବର୍ଷ ମଧ୍ୟରେ 0.1% ରୁ କମ୍ ହୋଇପାରେ ବୋଲି ଆକଳନ କହୁଛି । ଯାହା କୌଣସି ପ୍ରକାରେ ପ୍ରଭାବିତ ହେବନାହିଁ । କାନାଡା ତୂଳନାରେ ଭାରତ ରପ୍ତାନୀ ପାଇଁ ଆମେରିକା ଉପରେ ଅଧିକ ନିର୍ଭରଶୀଳ ମଧ୍ୟ ନୁହେଁ ।
ସମ୍ପାଦକୀୟ...