ଲେଖକ- ଗୌରି ଶଙ୍କର ମାମିଦି (ବରିଷ୍ଠ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ)
ହାଇଦ୍ରାବାଦ:ସମୟ ସାଙ୍ଗକୁ ମନୁଷ୍ୟ ସମାଜରେ ପ୍ରବେଶ କରୁଛି ନୂଆ ନୂଆ ଟେକ୍ନୋଲୋଜି । ଏବେ ଏହି ଟେକ୍ନୋଲୋଜି ଦୁନିଆରେ ଅଧିକ ଚର୍ଚ୍ଚାରେ ରହିଛି କୃତ୍ରିମ ବୁଦ୍ଧିମତା ବା ଏଆଇ । ଏହା ଲୋକଙ୍କୁ ଯେତିକି ସୁବିଧା ପହଞ୍ଚାଉଛି, ସେତିକି ବିପଦରେ ମଧ୍ୟ ପକାଉଛି । ବିଶେଷଜ୍ଞଙ୍କ ମତରେ ଆମେ ଯେତେ ଏଆଇର ଗଭୀରତାକୁ ଯିବା ସେତିକି ବିପଦଗାମୀ ତଥ୍ୟ ମଧ୍ୟ ସାମ୍ନାକୁ ଆସିବ, ତନ୍ମଧ୍ୟରୁ ଡିପଫେକ୍ ଅନ୍ୟତମ । ଯାହାକି ମନୁଷ୍ୟକୁ ମଧ୍ୟ ଦ୍ବନ୍ଦ୍ବରେ ପକାଇବା ନଜିର ରହିଛି । ଫଳରେ ବାସ୍ତବ ଓ କାଳ୍ପନିକ ମଧ୍ୟରେ ପ୍ରଭେଦ ଖୋଜିବା କଷ୍ଟକର ହୋଇପଡିଛି ।
ଏଆଇ ଚାଳିତ କ୍ରିପ୍ଟୋଗ୍ରାଫି ଏବଂ ସାଇବର ସିକ୍ୟୁରିଟି ପ୍ରୟୋଗଗୁଡ଼ିକ ସହିତ ମାନିପ୍ୟୁଲେସନ ବା ଅସାଧୁ ଉପାୟରେ କୌଣସି ପ୍ରକାର ହସ୍ତକ୍ଷେପର ସମ୍ଭାବନା ବଢିଥାଏ । ଯାହା ବିଶ୍ବର ସୁରକ୍ଷା ଏବଂ ସୂଚନା ଅଖଣ୍ଡତା ପାଇଁ ଅଦୃଶ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରେ । ବିଶ୍ବ ଅର୍ଥନୈତିକ ଫୋରମ (WEF) ଭଳି ଅନ୍ତର୍ଜାତୀୟ ସଂଗଠନଗୁଡ଼ିକ ବିଶ୍ବ ସ୍ତରରେ ଏଆଇର ଭୂମିକା ଉପରେ ଆଲୋଚନାକୁ ଅଧିକ ଗୁରୁତ୍ବପୂର୍ଣ୍ଣ ଦେଇଛନ୍ତି । ଏହି ପ୍ଲାଟଫର୍ମଗୁଡିକ ବିଶ୍ବ ଅର୍ଥନୀତିରେ AIର ଏକୀକରଣକୁ ପରିଚାଳନା କରିବା ପାଇଁ ଏକ ସମନ୍ବିତ ଆଭିମୁଖ୍ୟର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରି ଉଭୟ ଅର୍ଥନୈତିକ ଅଭିବୃଦ୍ଧିର ସମ୍ଭାବନା ଏବଂ ଅସମାନତା ବୃଦ୍ଧି ହେବାର ବିପଦକୁ ଇଙ୍ଗିତ କରିଥାଏ ।
ଏହା ବି ପଢନ୍ତୁ- କେବେ ହେବ ମୃତ୍ୟୁ ? ସଠିକ ସମୟ କହିଦେବ AI ଟୁଲ !
ଏଭଳି ଚର୍ଚ୍ଚା ମଧ୍ୟରେ କୃତ୍ରିମ ବୁଦ୍ଧିମତାରେ ସକରାତ୍ମକ ପରିବର୍ତ୍ତନ ଆଣିବା ଲାଗି କ୍ଷମତାର ମହତ୍ତ୍ବ ରହିଛି । ପରିବେଶରେ ସ୍ଥିରତା, ବିକଳ୍ପ ଇନ୍ଧନର ସୃଷ୍ଟି ଲାଗି ଏଆଇ ଟେକ୍ନୋଲୋଜିର ଉପଯୋଗ କରାଯାଉଛି । ଏଆଇ ଜଳବାୟୁ ପରିବର୍ତ୍ତନ ବିରୋଧରେ ଜାରି ରହିଥିବା ସଂଘର୍ଷ ସହିତ ଯୋଗଦାନ କରି ନୂଆ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଏକ ବଡ ଭୂମିକା ଗ୍ରହଣ କରିପାରିବ । ଏହାବାଦ ଏଆଇ ଡିଜିଟାଲ ବ୍ୟାକିଂ କ୍ଷେତ୍ରରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ଏହାଦ୍ବାରା ଅର୍ଥ ହେରଫେର ସମ୍ପର୍କରେ ସୂଚନା, ବ୍ୟକ୍ତିଗତ ଗ୍ରାହକ ସେବା ପ୍ରଦାନ କରିପାରିବ । ଏହି ସମସ୍ତ ସେବା ନିଶ୍ଚିତ କରିବା ଲାଗି ମଜଭୁତ ସାଇବର ସୁରକ୍ଷାର ଉପଯୋଗ କରିବାର ଆବଶ୍ୟକତା ରହିଛି ।
ଆଗାମୀ ପିଢି ଲାଗି କୃତ୍ରିମ ବୁଦ୍ଧିମତା ଏକ ବଡ଼ ସୁଯୋଗ ସହିତ ଆହ୍ବାନ ମଧ୍ୟ । ବର୍ତ୍ତମାନ ଡିଜିଟାଲ ଯୁଗରେ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଆଗାମୀ ଯୁବପିଢିଙ୍କ ମଧ୍ୟରେ ଡିଜିଟାଲ ସାକ୍ଷରତା, ନୂଆ ଦକ୍ଷତାକୁ ଜାଗ୍ରତ କରିବା ଦରକାର । ଯୁବପିଢି ଏଆଇର ବ୍ୟବହାର କରି ଏହି କ୍ଷେତ୍ରରେ ଦକ୍ଷ ହୋଇପାରିବେ । ଅନ୍ୟପଟେ ଶିକ୍ଷା କ୍ଷେତ୍ରରେ ଏଆଇର ଭୂମିକା ମଧ୍ୟ ବଳିଷ୍ଠ ହୋଇପାରିବ ।
ପରିଶେଷରେ, ମାନବ ସମାଜ ଏକ ନୂତନ ଯୁଗରେ ପାଦ ଦେଇଛି । ଏହାର ଯାତ୍ରା ଏକ ସନ୍ତୁଳିତ ଆଭିମୁଖ୍ୟ ଆବଶ୍ୟକ କରିଥାଏ । ଯାହାକି କୃତ୍ରିମ ବୁଦ୍ଧିମତାର ଚମତ୍କାରିତା, ଦୂରଦୃଷ୍ଟି ଏବଂ ସକରାତ୍ମକ ଉପଯୋଗ ସହିତ ଜଡିତ । ଏଣୁ ଏଆଇର ଅନ୍ତର୍ଜାତୀୟ ସହଯୋଗ, ନୈତିକ ଏଆଇ ବିକାଶ ବିଶ୍ବ ସମ୍ପ୍ରଦାୟକୁ ଭବିଷ୍ୟତ ଆଡକୁ ଆଗେଇ ନେବାରେ ସହାୟକ ହେବ । ଏଆଇର ସୁଦୂପଯୋଗ ଦ୍ବାରା ମନୁଷ୍ୟର ମୂଳ ମୂଲ୍ୟ ଏବଂ ନିରାପତ୍ତାକୁ ଗୁରୁତ୍ବ ଦେବା ସହ ମାନବ ସାମର୍ଥ୍ୟକୁ ବୃଦ୍ଧି କରାଇବ । ଏଆଇର ଆଗମନ ପରେ ମାନବୀୟ ମୂର୍ଖତା ଉପରେ ବିତର୍କ ଜାରି ରହିଛି । କିନ୍ତୁ ଏଆଇର ସଠିକ ସଦୂପଯୋଗ କଲେ ଏହା ଆଗାମୀ ପିଢି ପାଇଁ ବରଦାନ ସଦୃଶ ହୋଇପାରିବ ।
(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)