ନୂଆଦିଲ୍ଲୀ: 2019 ରେ ବହୁଚର୍ଚ୍ଚିତ ଧାରା-370 ରଦ୍ଦ ହେବାର ଦୀର୍ଘ 5ବର୍ଷ ପରେ ଜମ୍ମୁ କାଶ୍ମୀର ଏକ ନୂତନ ଘଟଣାକ୍ରମର ସାକ୍ଷୀ ହେବାକୁ ଯାଉଛି । ଏଥର ନିଜ ସାମ୍ବିଧାନିକ ଅଧିକାର ଅନୁସାରେ, ଭୋଟଦାନ କିମ୍ବା ସିଧା ପ୍ରତିଦ୍ବନ୍ଦ୍ବିତା କରି ନିର୍ବାଚନରେ ସାମିଲ ହେବେ କାଶ୍ମୀରବାସୀ । ବର୍ତ୍ତମାନର ସ୍ଥିତି ଅନୁସାରେ, ଘାଟିରେ ଜୀବନ ପ୍ରତି ସେମିତି କୌଣସି ବିପଦ ନାହିଁ ବୋଲି ମଧ୍ୟ ବିବେଚନା କରାଯାଉଛି । ପୂର୍ବରୁ ଉପତ୍ୟାକାରେ ଏହି ପ୍ରକ୍ରିୟା ନିଷେଧ କରାଯାଇଥିଲା । ଗତ ତିନି ଦଶନ୍ଧି ଧରି ଉପତ୍ୟାକାରେ ଭୋଟରଙ୍କ ନିର୍ବାଚନୀ ଅଂଶଗ୍ରହଣ ସଂଖ୍ୟା ବହୁତ କମ ରେକର୍ଡ କରାଯାଇଥିଲା । ମାତ୍ର 2024 ଲୋକସଭା ନିର୍ବାଚନରେ ଏହି ସଂଖ୍ୟାରେ ବିଶେଷ ଉନ୍ନତି ଦୃଶ୍ୟମାନ ହୋଇଛି । ସଂସଦୀୟ ନିର୍ବାଚନରେ ଡୋର-ଟୁ-ଡୋର କ୍ୟାମ୍ପେନିଂ, ରାଲି ଓ ରାଜନୈତିକ ସଭାସମିତି ଆୟୋଜନ ଫଳରେ ଘାଟିର ଲୋକଙ୍କ ମଧ୍ୟ ଆତ୍ମବିଶ୍ବାସ ସୃଷ୍ଟି ହୋଇଛି । ଯାହାର ଫଳାଫଳ ମଧ୍ୟ ନିର୍ବାଚନୀ ଅଂଶଗ୍ରହଣରେ ଦେଖିବାକୁ ମିଳିଛି ।
- ନିର୍ବାଚନୀ କଳ :
ଏକଦାକା ଶ୍ମୀରରେ ସମୟ ଥିଲା, ଯେତେବେଳେ ସରକାରୀ କର୍ମଚାରୀମାନେ ନିର୍ବାଚନ ପରିଚାଳନା ପ୍ରକ୍ରିୟାରେ ଅଂଶଗ୍ରହଣ କରିବାରେ ବିପଦ ଅନୁଭବ କରିଥିଲେ । ସେମାନଙ୍କ ଆଶଙ୍କା ବା ଭୟ ନିରାଧାର ମଧ୍ୟ ନଥିଲା । ନିର୍ବାଚନ ବେଳେ କାର୍ଯ୍ୟରତ ନିର୍ବାଚନୀ ଅଧିକାରୀଙ୍କ ଜୀବନ ଯିବା କାଶ୍ମୀରରେ ଏକାଧିକ ନଜିର ମଧ୍ୟ ରହିଛି । ଏହି ଘଟଣାରେ କେବଳ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀ, କିମ୍ବା ସୁରକ୍ଷା ଦାୟିତ୍ବରେ ଥିବା ସେନାର ଯବାନ ନୁହନ୍ତି, ବରଂ ଏକାଧିକ ସରକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ପ୍ରାଣ ହରାଇଥିଲେ । ତେଣୁ ସେମାନେ ନିର୍ବାଚନ ପରିଚାଳନାରେ ଅଂଶଗ୍ରହଣ କରିବାକୁ ଭୟ କରୁଥିଲେ ଓ ସେମାନଙ୍କ ନାମ ସେହି ତାଲିକାରେ ସାମିଲ ନକରିବା ପାଇଁ କିଛି ବିକଳ୍ପ ମଧ୍ୟ ଚିନ୍ତା କରୁଥିଲେ ।
- କାଶ୍ମୀରର ପୂର୍ବ ରାଜନୈତିକ ସମୀକରଣ:
ଏକଦା କାଶ୍ମୀରରେ ରାଜନୀତିରେ ପ୍ରତିଯୋଗିତାର ଅଭାବ କାରଣରୁ ଆଞ୍ଚଳିକ ଦଳଗୁଡିକ ନିର୍ବାଚନୀ ରାଜନୀତିରେ ସର୍ବଦା ଆଗରେ ରହି ଆସୁଥିଲେ । ପୂର୍ବରୁ ସକ୍ରିୟ ଥିବା ବିଚ୍ଛିନ୍ନତାବାଦୀ ଗୋଷ୍ଠୀର ଭୟରେ ସାଧାରଣ ଭୋଟର ମତଦାନ ସାବ୍ୟସ୍ତ କରିବା ପାଇଁ ଭୟ କରୁଥିଲେ । କିଛି ସ୍ଥାନରେ ସେମାନେ ମତାଧିକାରରୁ ବିରତ ମଧ୍ୟ ରହୁଥିଲେ । ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଏବଂ ସେମାନଙ୍କର ସହଯୋଗୀ ଦଳମାନେ ଘାଟିରେ ନିର୍ବାଚନରେ ଅଂଶଗ୍ରହଣ ବର୍ଜନ କରୁଥିଲେ । ଫଳରେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଉଥିଲା । ନ୍ୟାସନାଲ କନଫରେନ୍ସ (ଏନସି) ଏବଂ ଜାମ୍ମୁ କାଶ୍ମୀର ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଭଳି ଦଳ ପାଇଁ ନିର୍ବାଚନୀ କ୍ଷେତ୍ର ସମ୍ପୂର୍ଣ୍ଣ ଖୋଲା ରହୁଥିଲା । ତେବେ ଏଥର ସ୍ଥିତି ଓଲଟା ହୋଇସାରିଛି । ଏବେ ଘାଟିରେ ବିଛିନ୍ନତାବାଦର ପ୍ରଭାବ ପ୍ରାୟତଃ ନାହିଁ । ଲୋକେ ଭୋଟଦାନ କରିବା ପାଇଁ ଆଶ୍ବସ୍ତ ଅନୁଭବ କରୁଛନ୍ତି । ଫଳରେ ‘ଏନସି’ ଏବଂ ’ପିଡିପି’ ପରି ଦଳଗୁଡିକୁ ନିଜର ପୂର୍ବ ଅସ୍ଥିତ୍ବ ଓ ପ୍ରଭାବ ବଜାୟ ରଖିବା ପ୍ରାୟତଃ କଠିନ ହେବାକୁ ଯାଉଛି ।
- କାଶ୍ମୀରର ପଲିସି :
ନ୍ୟାସନାଲ କନଫରେନ୍ସ, ପିପୁଲ୍ସ କନଫରେନ୍ସ ଏବଂ ପିଡିପି ପରି କାଶ୍ମୀରର ପାରମ୍ପରିକ ପାର୍ଟିର ମଧ୍ୟରେ କିଛି ମତଭେଦ ମଧ୍ୟ ରହିଛ । ସେହିପରି ଚଳିତଥର ଘାଟିରେ ଅନ୍ୟଜଣେ ରାଜନେତାର କାର୍ଯ୍ୟକଳାପ ନିର୍ବାଚନକୁ ପ୍ରଭାବିତ କରିବାକୁ ଯାଉଛି । ସେ ହେଉଛନ୍ତି ଶେଖ ରସିଦ, ଯିଏକି ଇଞ୍ଜିନିୟର ରସିଦ ଭାବରେ ବେଶ ଜଣାଶୁଣା । ସେ ଜେଲରେ ରହି ଚଳିତ ଲୋକସଭା ନିର୍ବାଚନ ଜିତିବାରେ ସଫଳ ହୋଇଛନ୍ତି । ଉତ୍ତର କାଶ୍ମୀରର ବାରାମୁଲ୍ଲା ଲୋକସଭା ଆସନରୁ ରସିଦ ଓମାର ଅବଦୁଲ୍ଲା ଏବଂ ସାଜଜାଦ ଲୋନଙ୍କୁ ପରାସ୍ତ କରି ସଂସଦକୁ ନିର୍ବାଚିତ ହୋଇଛନ୍ତି । ଠିକ କାଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ସେ ବେଲରେ ଜେଲରୁ ମଧ୍ୟ ବାହାରିଛନ୍ତି ।
ଇଞ୍ଜିନିୟର ରସିଦ ବର୍ତ୍ତମାନ ମଧ୍ୟବର୍ତ୍ତୀକାଳୀନ ଜାମିନରେ ତିହାର ଜେଲରୁ ମୁକ୍ତ ହୋଇସାରିଛନ୍ତି । ରସିଦ ଏବେ ନିଷିଦ୍ଧ ଘୋଷଣା ହୋଇଥିବା ‘ଜମାତ-ଇ-ଇସଲାମୀ’ ଦ୍ବାରା ସମର୍ଥିତ ପ୍ରାର୍ଥୀଙ୍କ ସହ ମିଳିତ ଭାବେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସାଧାରଣ ନିର୍ବାଚନରେ ରସିଦଙ୍କ ଜେଲ ଭିତରୁ ବିଜୟ ଅବଦୁଲ୍ଲା ଏବଂ ମୁଫତିଙ୍କ ପ୍ରସ୍ତୁତିକୁ ଦୋହଲାଇ ଦେଇଛି । ଉଭୟ ଅବଦୁଲ୍ଲା ଓ ମୁଫତି କାଶ୍ମୀର ମତାଦାତଙ୍କୁ ହାଲକାରେ ନେଇ ଲୋକସଭା ନିର୍ବାଚନ ଲଢିଥିଲେ । ସେମାନେ ସେମାନଙ୍କ ପାରମ୍ପରିକ ଭୋଟ ପାଇବା ଆଶାରେ ଥିଲେ । ଇଞ୍ଜିନୟର ସରିଦଙ୍କ 'କାଶ୍ମୀରର ଆଇଡିଆ' ଲୋକଙ୍କୁ ଗ୍ରହଣୀୟ ହେବ ନାହିଁ ବୋଲି ସେମାନେ ଅନୁମାନ କରୁଥିଲେ, ଯାହା ପରବର୍ତ୍ତୀ ସମୟରେ ଭୁଲ ସାବ୍ୟସ୍ତ ହୋଇଥିଲା । ରସିଦ ଜେଲ ଭିତରୁ ନିର୍ବାଚନ ଜିତିବାରେ ସଫଳ ହୋଇଥିଲେ ।
- ଇଞ୍ଜିନିୟର ରସିଦଙ୍କ ଭୂମିକା
ଅବଦୁଲ୍ଲା, ମୁଫତି ଏବଂ ଲୋନ ସମସ୍ତେ ପୂର୍ବରୁ ବିଜେପି ସହ ମେଣ୍ଟ କରିଛନ୍ତି । ଜମାତ କିମ୍ବା ରସିଦଙ୍କ ଦ୍ବାରା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଏବେ କାଶ୍ମୀରବାସୀଙ୍କ ପାଇଁ ଦ୍ୱିତୀୟ ବିକଳ୍ପ ପସନ୍ଦ ହୋଇପାରନ୍ତି । ଜାମ୍ମୁ ଭଳି, କାଶ୍ମୀରର ଲୋକମାନେ, ବିଶେଷକରି ଯେଉଁମାନେ ବିଶ୍ୱାସ କରନ୍ତି ଯେ ନିର୍ବାଚନରେ ପରିବର୍ତ୍ତନ ଆଣିବାର ଏକ ସମ୍ଭାବ୍ୟ ମାଧ୍ୟମ, ସେମାନେ 'କାଶ୍ମୀରର ଆଇଡିଆ' ସହିତ ମେଳ ଖାଉଥିବା ପ୍ରାର୍ଥୀଙ୍କୁ ନିଶ୍ଚିତ ସମର୍ଥନ ଦେବେ ବୋଲି ଆଶା କରାଯାଉଛି । ଜନତାଙ୍କ ଏହି ମୁଡ ସହ ରସିଦ ଏହି କ୍ଷେତ୍ରରେ ସମର୍ଥନ ହାସଲ କରିପାରନ୍ତି ବୋଲି ଅନୁମେୟ ।