ଅରୁଣିମ ଭୁୟାନ
ଇଟିଭି ଭରତ
ନୂଆଦିଲ୍ଲୀ:ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡର ସୋମ ଜିଲ୍ଲାର ସୀମାନ୍ତ ଗ୍ରାମ ଲଙ୍ଗୱାରେ ଜଣେ ବ୍ୟକ୍ତିଙ୍କ ଘରର ଅବସ୍ଥିତି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚିତ ଖବର ଭାବେ ସ୍ଥାନ ପାଇଛି । ଘରର ଅଧା ଅଂଶ ଭାରତରେ ଓ ବାକି ଅଧା ପଡୋଶୀ ମିଆଁମାରରେ ରହିଛି । ରୋଷେଇ ଘର ମିଆଁମାରରେ ଥିବାବେଳେ ଶୋଇବା ଘର ବା ବେଡରୁମଟି ଭାରତରେ ଅଛି । ବ୍ୟଙ୍ଗାତ୍ମକ ଭାଷାରେ କହିବାକୁ ଗଲେ, ପରିବାର ସଦସ୍ୟ ମିଆଁମାରରେ ଖାଦ୍ୟ ଖାଇବା ସହ ଭାରତରେ ବିଶ୍ରାମ କରନ୍ତି । ଏକଥା ଶୁଣାଣିବାକୁ ସ୍ବାଭାବିକ ଲାଗୁନଥିଲେ ସୁଦ୍ଧା ଦୁଇ ଦେଶର ଅନ୍ତର୍ଜାତୀୟ ସୀମାରେ ଥିବା ସୀମାନ୍ତ ଗ୍ରାମରେ ଏପରି କିଛି ଚିତ୍ର ଓ ସ୍ଥିତି ରହିଥିବା ଜଣାପଡେ । ଏହା କେବଳ ଗୋଟିଏ ଘର କିମ୍ବା ଗ୍ରାମର କଥା ନୁହେଁ ବରଂ ଦୁଇ ଦେଶ ମଧ୍ୟରେ ଥିବା ଅନ୍ତର୍ଜାତୀୟ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ଥିବା ଅସ୍ପଷ୍ଟତାର ଏହା ଏକ ବଳିଷ୍ଠ ପ୍ରମାଣ ସଦୃଶ ।
ଭାରତ ଏବଂ ମିଆଁମାର ମଧ୍ୟରେ ମୋଟ 1,643 କିଲୋମିଟର ଅନ୍ତର୍ଜାତୀୟ ସୀମା ରହିଛି । ବିଶେଷ ଭାବେ ଉତ୍ତର-ପୂର୍ବ ରାଜ୍ୟ ମିଜୋରାମ, ମଣିପୁର, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ସହ ମିଆଁମାର ତାର ସୀମା ସେୟାର କରିଛି । ସୀମାର ଉଭୟ ପାର୍ଶ୍ୱରେ ଥିବା ଲୋକଙ୍କ ମଧ୍ୟରେ ଥିବା ଆବଶ୍ୟକତା ଓ ପାରସ୍ପାରିକ ନିର୍ଭରଶୀଳତାକୁ ଦୃଷ୍ଟିରେ ରଖି ଉଭୟ ଭାରତ ଓ ମିଆଁମାର ସରକାରଙ୍କ ଦ୍ବାରା ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଦୁଇ ଦେଶ ମଧ୍ୟରେ ସୀମାନ୍ତ ଏରିଆରେ ଲୋକଙ୍କୁ ନିର୍ବିଘ୍ନରେ ପ୍ରବେଶ ଓ ଚଳପ୍ରଚଳ ପାଇଁ ଏହି ନିୟମ ଅନୌପଚାରିକ ଭାବେ ସ୍ବାଧୀନତା ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ କରାଯାଇଥିଲା । ତେବେ, ଏହି ବ୍ୟବସ୍ଥା 2018 ରେ ଆନୁଷ୍ଠାନିକ ଆକାର ପାଇଥିଲା । ଉଭୟ ଭାରତ ଏବଂ ମିଆଁମାର ମୁକ୍ତ ଗତିବିଧି ନିୟମ (FMR) ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ନିୟମ ଭାରତର ଅଖଣ୍ଡତା, ସ୍ଥିରତା ଓ ଜାତୀୟ ସୁରକ୍ଷା ପ୍ରତି ବଡ ଆହ୍ବାନ ସୃଷ୍ଟି କରିଥିଲା । ମିଆଁମାରରେ ଚାଲିଥିବା ସଶସ୍ତ୍ର ଆନ୍ଦୋଳନ, ଆତଙ୍କବାଦ, ଅନୁପ୍ରବେଶ ଓ ସାମରିକ ଅସ୍ଥିରତାକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ମୁକ୍ତ ଗତିବିଧି ନିୟମ ବା ‘ଏଫଏମଆର’ ରଦ୍ଦ ରଖିବାକୁ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲା ।
କଣ ଏହି FMR ?
ସ୍ବାଧୀନତା ପାଇବା ପୂର୍ବରୁ ଦୁଇ ଦେଶ ଭାରତ ଓ ମିଆଁମାର ବ୍ରିଟିଶ ସାମ୍ରାଜ୍ୟବାଦର ଭିନ୍ନ ଭିନ୍ନ ଅଂଶ ଥିଲେ । ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଦୁଇ ଦେଶ ମଧ୍ୟରେ ଏହି ବ୍ୟବସ୍ଥା ଅନୌପଚାରିକ ଭାବେ କାର୍ଯ୍ୟକାରୀ ହୋଇଥିଲା । 1947ରେ ଭାରତ ଏବଂ 1948 ମିଆଁମାର ସ୍ବାଧୀନତା ପାଇଲେ । ଏହା ପରେ ଦୁଇ ଦେଶ 1967ରେ ସଂଶୋଧିତ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ଏହି ବ୍ୟବସ୍ଥା ଜାରି ରଖିଥିଲେ । ହେଲେ ଏହି ବ୍ୟବସ୍ଥାକୁ 2018 ରେ ଉଭୟ ଦେଶ ଏକ ଔପଚାରିକ ଆକାର ଦେଇଥିଲେ । 2018 ରେ FMR ନିୟମ କାର୍ଯ୍ୟକାରୀ କରି ନୂଆଦିଲ୍ଲୀର ଆକ୍ଟ ଇଷ୍ଟ ପଲିସିର ଏକ ଅଂଶ ଭାବରେ ବିନା ଭିସାରେ ଦୁଇ ଦେଶର ଅନ୍ତର୍ଜାତୀୟ ସୀମା ମଧ୍ୟରେ ସର୍ବାଧିକ 16 କିଲୋମିଟର ପର୍ଯ୍ୟନ୍ତ ପ୍ରବେଶ ଅନୁମତି ନିଶ୍ଚିତ କରାଯାଇଥିଲା । 16 କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରୁଥିବା ବ୍ୟକ୍ତିମାନେ ଏକ ବୌଧ ପାସପୋର୍ଟ ଏବଂ ଅନ୍ୟାନ୍ୟ ଇମିଗ୍ରେସନ କାଗଜପତ୍ର ଆବଶ୍ୟକ କରୁଥିଲେ । FMR ନିୟମ ଉଭୟ ଦେଶର ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ସହଜ ଗତିବିଧି, ପାରସ୍ପରିକ କାର୍ଯ୍ୟକୁ ସହଜ କରିବା ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ଅନୁମତି ଦେବା ଉଦ୍ଦେଶ୍ୟରେ ଥିଲା । ଯାହା ଉଭୟ ଦେଶର ସୀମାବର୍ତ୍ତୀ ବାସିନ୍ଦାଙ୍କୁ ସୁବିଧା ଯୋଗାଉଥଲା ।