ଲେଖକ- କ୍ରିଷ୍ଣାନନ୍ଦ
ହାଇଦ୍ରାବାଦ:୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ(GDP) ଅଭିବୃଦ୍ଧି ହ୍ରାସ ପାଇବ । ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ତେବେ ଚଳିତ ମାର୍ଚ୍ଚରେ ଶେଷ ହେଉଥିବା ଆର୍ଥିକ ବର୍ଷରେ ୭.୩ ପ୍ରତିଶତି ଜିଡିପି ଅଭିବୃଦ୍ଧି ହାସଲର ଲକ୍ଷ୍ୟ ରହିଛି । ଯଦିଓ ଅନୁକୂଳ ପରିସ୍ଥିତି ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଟ୍ୟାଗ୍ ବଜାୟ ରଖିବ, ମାତ୍ର ଆହୁରି ଅନେକ ଗୁଡିଏ କାରଣ ରହିଛି, ଯେଉଁଥିପାଇଁ ଚଳିତ ବର୍ଷ ରେକର୍ଡ ହେବାକୁ ଥିବା ଅଭିବୃଦ୍ଧି ଆସନ୍ତା ଆର୍ଥିକ ବର୍ଷରେ ଧୀମେଇ ଯିବ । ସରକାରଙ୍କ ଦ୍ବାରା ନିରନ୍ତର ପୁଞ୍ଜିଗତ ବ୍ୟୟ, ଉତ୍ତମ କର୍ପୋରେଟ ପ୍ରଦର୍ଶନ, ଘରୋଇ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ବୃଦ୍ଧି ଏବଂ ବୈଶ୍ବିକ ଦ୍ରବ୍ୟସେବା ମୂଲ୍ୟରେ ହ୍ରାସ ଭାରତୀୟ ଅର୍ଥବ୍ୟବସ୍ଥାର ଗତି ବଜାୟ ରଖିବାରେ ସହାୟ ହେବ । ଅପରପକ୍ଷେ, ରପ୍ତାନୀ ହ୍ରାସ, ପାଇକାରୀ ମୁଦ୍ରୀସ୍ଫୀତି (WPI) ବୃଦ୍ଧି ଆଦି କାରକଗୁଡିକ ଜିଡିପି ହାର ହ୍ରାସର କାରଣ ହୋଇପାରନ୍ତି ।
ଇଣ୍ଡିଆ ରେଟିଂ ଏବଂ ରିସର୍ଚ୍ଚ, ଫିଟକେ ଗ୍ରୁପ ରେଟିଂ ଏଜେନ୍ସି ଅନୁସାରେ, ଆସନ୍ତା ଆର୍ଥିକ ବର୍ଷରେ (୨୦୨୪ ଏପ୍ରିଲ ୧- ମାର୍ଚ୍ଚ ୩୧, ୨୦୨୫) ଜିଡିପି ଅଭିବୃଦ୍ଧି ୬.୫ ପ୍ରତିଶତ ରହିବ । କିନ୍ତୁ ଚଳିତ ମାର୍ଚ୍ଚରେ ସରିବାକୁ ଥିବା ଆର୍ଥିକ ବର୍ଷରେ ଏହି ଅଭିବୃଦ୍ଧି ହାର ୭.୩ ପ୍ରତିଶତ ରହିବାର ଅନୁମାନ କରାଯାଉଛି । ମୂଳ ପ୍ରଭାବ ସତ୍ତ୍ବେ, କ୍ରମାଗତ ଜିଡିପି ଅଭିବୃଦ୍ଧି ସୂଚୀତ କରୁଛି ଯେ, ସ୍ଥାୟୀ ସରକାରୀ କ୍ୟାପେକ୍ସ (ପୁଞ୍ଜି ବ୍ୟୟ), କର୍ପୋରେଟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ, କର୍ପୋରେଟ ଓ ବ୍ୟାଙ୍କିଙ୍ଗ ସେକ୍ଟରର ବାଲାନ୍ସ ସିଟ୍ରେ ହ୍ରାସ, ବୈଶ୍ବିକ ଦ୍ରବ୍ୟସେବା ମୂଲ୍ୟରେ ହ୍ରାସ ଯୋଗୁଁ ଭାରତର ଅର୍ଥନୈତିକ ପୁନରୁଦ୍ଧାର ଧାରା ଟ୍ରାକରେ ରହିଛି ।
ତଥାପି ରେଟିଂ ଏଜେନ୍ସି ଅର୍ଥବ୍ୟବସ୍ଥା ପ୍ରତି ସମ୍ଭାବ୍ୟ ବିପଦର(ରିସ୍କ) ଚେତାବନୀ ଦେଇଛି । କାରଣ ଦେଶର ସାମଗ୍ରିକ ଚାହିଦା ମୁଖ୍ୟତଃ ସରକାରୀ ପୁଞ୍ଜିଗତ ବ୍ୟୟ ଦ୍ବାରା ପରିଚାଳିତ ହୋଇଥାଏ । ଏପରି ସ୍ଥଳରେ ଦେଶର ଉପଭୋଗ ଚାହିଦା ଏବେ ବି ଉଚ୍ଚ ଆୟବର୍ଗର ୫୦ ପ୍ରତିଶତରୁ ଅଧିକ ପରିବାର ଦ୍ବାରା ଖର୍ଚ୍ଚ ହେଉଥିବା ଦ୍ରବ୍ୟ ଓ ସେବା ପକ୍ଷରେ ରହିଛି । ଯେଉଁଥିପାଇଁ ଇଣ୍ଡେକ୍ସ ଅଫ ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ(IIP)ର କଞ୍ଜୁମର ଡ୍ୟୁରାବୁଲ ସେଗମେଣ୍ଟ ଗତବର୍ଷ ସେପ୍ଟେମ୍ବରରେ ମାତ୍ର ୧ ପ୍ରତିଶତ ବୃଦ୍ଧି ପାଇଥିଲା ।
ଯେହେତୁ ଭାରତର ଆର୍ଥିକ ଅଭିବୃଦ୍ଧି ସରକାରୀ ପୁଞ୍ଜିଗତ ବ୍ୟୟ ଦ୍ବାରା ପରିଚାଳିତ ହେଉଛି, ତେଣୁକରି ଏହା ପ୍ରାୟତଃ କ୍ୟାପିଟାଲ ଏବଂ ଇନଫ୍ରାଷ୍ଟକଚର, କନଷ୍ଟ୍ରକସନ ଭଳି କ୍ୟାପିଟାଲ ଇଣ୍ଡଷ୍ଟ୍ରିଆଲ ସେଗମେଣ୍ଟରେ ଦୃଶ୍ୟମାନ ହେଉଛି, ଯାହା ଚଳିତ ଆର୍ଥିକ ବର୍ଷର ୯ ମାସ ମଧ୍ୟରେ ଯଥାକ୍ରମେ ୭ ପ୍ରତିଶତ ଏବଂ ୧୦.୪ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି ।