ହାଇଦ୍ରାବାଦ: ଦେଶରେ ସରିଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ । 2024 ନିର୍ବାଚନ ଭାରତରେ ନିର୍ବାଚନୀ ଗଣତନ୍ତ୍ର ଜୀବନ୍ତ କି ନାହିଁ ଥିବା ସନ୍ଦେହକୁ ଦୂର କରିଛି । 400 ପାର୍ ନାରା ଦେଉଥିବା NDA 300 ବି ପାର୍ କରିପାରିନଥିବା ବେଳେ ସେପଟେ ବିରୋଧୀ ଦଳ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି । ଭାରତୀୟ ଗଣତନ୍ତ୍ର ପାଇଁ ଏହା ନିଶ୍ଚିତ ଭାବେ ଶୁଭଙ୍କର । ନୂଆ କେନ୍ଦ୍ର ସରକାରରେ ଦେଖିବାକୁ ମିଳୁଥିବା କୌତୁହଳପୂର୍ଣ୍ଣ କଥା ହେଉଛି ଏହା କେବଳ ଉତ୍ତମ ଶାସନ ପାଇଁ ନିଜର ସଂକଳ୍ପକୁ ମଜଭୁତ କରିଛି । ଯାହାକି ଗଣତନ୍ତ୍ର ଏବଂ ଉତ୍ତମ ଶାସନ ଉପରେ ବିତର୍କକୁ ଆହ୍ବାନ କରେ ।
ମୁଁ ଯୁକ୍ତି ବାଢିବାକୁ ଚାହେଁ ଯେ ପ୍ରଭାବଶାଳୀ ଗଣତନ୍ତ୍ର ଖୋଦ ଉତ୍ତମ ଶାସନର ସଙ୍କେତ ହୋଇଥିବାବେଳେ ଗଣତନ୍ତ୍ର ଏବଂ ଶାସନର କାର୍ଯ୍ୟ ଦ୍ବନ୍ଦ୍ବ ହୋଇପାରେ । ଏହାର କାରଣ ହେଉଛି ଗଣତାନ୍ତ୍ରିକ ପ୍ରକ୍ରିୟାଗୁଡ଼ିକ ସଂସ୍ଥାଗତ ପ୍ରକ୍ରିୟାଗୁଡ଼ିକୁ ଅନ୍ତର୍ଭୁକ୍ତ କରେ ଯାହା ସମୟ ସାପେକ୍ଷ । ଦ୍ବିତୀୟରେ ଗଣତାନ୍ତ୍ରିକ ରାଷ୍ଟ୍ର ସମୟେ ସମୟେ ବିଶୃଙ୍ଖଳିତ ରାଜନୀତିର ସମ୍ମୁଖୀନ ହୁଏ । ଏହି ଦୁଇଟି କାରଣ ଯୋଗୁଁ 'ଶାସନ' ଶବ୍ଦର ଅର୍ଥକୁ ଜଟିଳ କରିଥାଏ । ବିଶେଷକରି ପ୍ରଶାସନ ଏବଂ ଅର୍ଥନୀତିରେ ନବ-ଉଦାରବାଦୀ ସଂସ୍କାର ଆଣିବା ପାଇଁ ଏକ ଗଣତନ୍ତ୍ରରେ 'ଶାସନ' କଠୋର ବିରୋଧର ସମ୍ମୁଖୀନ ହୋଇଥିବାର ନଜିର ରହିଛି । ଶାସନ ସଂସ୍କାରର ବିରୋଧ କେବଳ ବିରୋଧୀ ଦଳ ନୁହେଁ, ଅମଲାତନ୍ତ୍ରର ବିଭିନ୍ନ ସ୍ତର ସମେତ ବିଭିନ୍ନ ହିତାଧିକାରୀଙ୍କଠାରୁ ମଧ୍ୟ ଆସିଥାଏ ।
ଗଣତନ୍ତ୍ରରେ ଆଲୋଚନା, ବୁଝାମଣା ଏବଂ ମନାଇବା ଅନ୍ତର୍ଭୁକ୍ତ । ଉଦାରବାଦୀ ଗଣତନ୍ତ୍ରକୁ ‘ଆଲୋଚନା ଦ୍ବାରା ସରକାର’ କୁହାଯାଏ । ଯଦି ନୂତନ ଏନଡିଏ ସରକାର ଏବଂ ଏହାର ସହଯୋଗୀ ଦଳମାନେ ଶାସନ କରିବାକୁ ଚାହୁଁଛନ୍ତି, ତେବେ ସେମାନେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ମିଳିତ ସରକାରରେ ଏହା ବେଶ ଗୁରୁତ୍ବପୂର୍ଣ୍ଣ, ଯେଉଁଠାରେ ସହଯୋଗୀ ଦଳଗୁଡିକର ଦାବିକୁ ବିରୋଧୀ ଦଳର ସମାଲୋଚନା ପରି ମହତ୍ବ ଦିଆଯିବା ଆବଶ୍ୟକ । ନୂଆ ସରକାର ଉଭୟ କେନ୍ଦ୍ର ଓ ରାଜ୍ୟ ସଂସଦ ଓ ବିଧାନସଭାକୁ ହାଲୁକାରେ ନେଇପାରିବେ ନାହିଁ ।