ହାଇଦ୍ରାବାଦ: ପଞ୍ଚାୟତିରାଜ ଅନୁଷ୍ଠାନ (PRI) ଗ୍ରାମୀଣ ଭାରତର ଆକାଂକ୍ଷା ପୂରଣ କରିବାର ଏକ ପ୍ରମୁଖ ମାଧ୍ୟମ ଓ ବଳିଷ୍ଠ ମଞ୍ଚ । ଗ୍ରାମାଞ୍ଚଳର ଏହି ନିର୍ବାଚିତ ସ୍ଥାନୀୟ ସଂସ୍ଥା, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଓ ବିକାଶମୂଳକ ନୀତିକୁ କାର୍ଯ୍ୟକାରୀ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ତୃଣମୂଳ ସ୍ତରର ବିକାଶ ପାଇଁ ଏହା ହେଉଛି ସବୁଠାରୁ ଉପଯୁକ୍ତ ବ୍ୟବସ୍ଥା ଓ ଅନୁଷ୍ଠାନ । ତେବେ ଏହି କ୍ଷେତ୍ରରେ ଏକାଧିକ ସୀମିତ କ୍ଷମତାଗତ ସମସ୍ୟା ମଧ୍ୟ ରହିଛି । ନିଜସ୍ୱ ରାଜସ୍ୱର ଅଭାବ ଏବଂ ପର୍ଯ୍ୟାପ୍ତ ସରକାରୀ ଅନୁଦାନ ଉପରେ ଅଧିକ ନିର୍ଭରଶୀଳତା ଏହି ସମସ୍ୟା ମଧ୍ୟରେ ପ୍ରମୁଖ ।
- ଭାରତରେ ମୋଟ 2.62 ଲକ୍ଷ ପଞ୍ଚାୟତିରାଜ ଅନୁଷ୍ଠାନ:-
କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, 2023 ମସିହା ଅକ୍ଟୋବର ଶେଷ ସୁଦ୍ଧା ଭାରତରେ 2.62 ଲକ୍ଷ ପଞ୍ଚାୟତିରାଜ ଅନୁଷ୍ଠାନ ରହିଛି । ଯେଉଁଥିରେ 2.55 ଲକ୍ଷ ଗ୍ରାମ ପଞ୍ଚାୟତ, 6,707 ମଣ୍ଡଳ/ବ୍ଲକ ପଞ୍ଚାୟତ ଏବଂ 665 ଜିଲ୍ଲା ପରିଷଦ ଅନ୍ତର୍ଭୁକ୍ତ ରହିଛି । ଗ୍ରାମାଞ୍ଚଳରେ ବିଭିନ୍ନ ଅତ୍ୟାବଶ୍ୟକ ସେବା ତଥା ବିକାଶମୂଳକ କାର୍ଯ୍ୟକଳାପ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଏହି ଅନୁଷ୍ଠାନଗୁଡିକ ସିଧା ବା ପ୍ରତ୍ୟେକ୍ଷ ଦାୟିତ୍ବ ଗ୍ରହଣ କରିଛନ୍ତି ।
- 73ତମ ସମ୍ବିଧାନ ସଂଶୋଧନ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ କ୍ଷମତାଶାଳୀ କରିଥିଲା
ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକୁ ଅଧିକ ଆତ୍ମନିର୍ଭରଶୀଳ ଏବଂ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଯିବା ନିହାତି ଆବଶ୍ୟକ । 1992 ମସିହାରେ 73ତମ ସମ୍ବିଧାନ ସଂଶୋଧନରେ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଥିଲା । ଯେଉଁଥିରେ 29ଟି ବିଷୟ ଉଲ୍ଲେଖ କରାଯାଇଥିଲା । ଏହି ସଂଶୋଧନ ଅନୁସାରେ, ସ୍ଥାନୀୟ ଅର୍ଥନୈତିକ ବିକାଶ ତଥା ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନା ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବାର ଦାୟିତ୍ୱ ଗ୍ରାମ ପଞ୍ଚାୟତ ନିକଟରେ ନ୍ୟସ୍ତ କରାଯାଇଥିଲା । ମାତ୍ର ତାହା ସଫଳ ଭାବେ କାର୍ଯ୍ୟକାରୀ ହେବା ଦିଗରେ ସେପରି ଆଖିଦୃଶିଆ ସକରାତ୍ମକ ପ୍ରଭାବ ଦେଖାଯାଇନଥିଲା ।
- ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନ ଉପରେ ନିର୍ଭରଶୀଳ ପଞ୍ଚାୟତିରାଜ ବ୍ୟବସ୍ଥା
ଭାରତୀୟ ସମ୍ବିଧାନର ଧାରା-243 (ଏଚ) ପଞ୍ଚାୟତକୁ ଟିକସ, ଶୁଳ୍କ, ଟୋଲ ଏବଂ ଫି ଆଦାୟ, ସଂଗ୍ରହ ଏବଂ ବଣ୍ଟନ କରିବାକୁ କ୍ଷମତା ପ୍ରଦାନ କରିଛି । ତଥାପି, ସ୍ଥାନୀୟ ବ୍ୟବସ୍ଥା (ପଞ୍ଚାୟତକୁ) ଟିକସ ବିକେନ୍ଦ୍ରୀକରଣ କରାଯିବା ଉଚିତ କି ନାହିଁ, ସେ ସମ୍ପର୍କରେ ନିଷ୍ପତ୍ତି ମୁଖ୍ୟତଃ ରାଜ୍ୟ ବିଧାନସଭା ନେବା ପାଇଁ କ୍ଷମତାସୀନ ହୋଇଛି । ପଞ୍ଚାୟତିରାଜ ବ୍ୟବସ୍ଥାରେ ସର୍ବନିମ୍ନ ରାଜସ୍ୱ ଉତ୍ସ କାରଣରୁ ପଞ୍ଚାୟତଗୁଡିକ ମୁଖ୍ୟତଃ ରାଜ୍ୟ ସରକାରଙ୍କ ଅନୁଦାନ ମାଧ୍ୟମରେ ପ୍ରଦାନ କରାଯାଇଥିବା ଆର୍ଥିକ ସହାୟତା ଉପରେ ନିର୍ଭର କରନ୍ତି ।
- କଣ ସୁପାରିଶ କରିଥିଲା ବଲୱନ୍ତ ରାୟ କମିଟି
ଏହି ସମସ୍ୟା ସମ୍ପର୍କରେ 1957 ମସିହାରେ ବଲୱନ୍ତ ରାୟ କମିଟି ନିଜ ରିପୋର୍ଟରେ ଏକ ବଡ କଥା ଉଲ୍ଲେଖ କରିଥିଲା । ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତା ବିନା ପଞ୍ଚାୟତଗୁଡିକର ରକ୍ଷଣାବେକ୍ଷଣ ପାଇଁ ପ୍ରାଥମିକ ଆୟ ଅତ୍ୟନ୍ତ ସୀମିତ ଏବଂ ପର୍ଯ୍ୟାପ୍ତ ନୁହେଁ ବୋଲି ସେତେବେଳେ ଏହି କମିଟି ରିପୋର୍ଟ ପ୍ରକାଶ କରିଥିଲା । ଯାହା ସ୍ଥାନୀୟ ସଂସ୍ଥାକୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯିବା ଉଚିତ ବୋଲି ଏହି କମିଟି ଏକ ପରୋକ୍ଷ ସୁପାରିଶ କରିଥିଲା ।
- ରାଜ୍ୟ ଅର୍ଥ ଆୟୋଗ ଗଠନ ଓ ଭୂମିକା
ସମ୍ବିଧାନର ଧାରା 243-(I) ଅନୁସାରେ ପଞ୍ଚାୟତର ଆର୍ଥିକ ସ୍ଥିତିକୁ ଆକଳନ କରିବା, ରାଜ୍ୟ ଏବଂ ପଞ୍ଚାୟତ ମଧ୍ୟରେ ଟିକସ ବଣ୍ଟନର ଏକ ଢାଞ୍ଚା ପ୍ରସ୍ତାବ ଦେବା ପାଇଁ ପ୍ରତି ପାଞ୍ଚ ବର୍ଷରେ ରାଜ୍ୟ ଅର୍ଥ କମିଶନ (ଆୟୋଗ) ଗଠନ ପାଇଁ ବ୍ୟବସ୍ଥା କରାଯାଇଛି । ତଥାପି, ଏହି ରାଜ୍ୟ ଅର୍ଥ ଆୟୋଗ (SFC) ଗଠନ ସମସ୍ତ ରାଜ୍ୟରେ ଗୋଟିଏ ନିୟମ ଅନୁସାରେ ହୋଇନଥାଏ । 1992 ମସିହାରେ ଏହି ଅଧିନିୟମ ପାରିତ ହେବା ପରେ ଏହାର ଏକ ବର୍ଷ ମଧ୍ୟରେ ପ୍ରାରମ୍ଭିକ ରାଜ୍ୟ ଅର୍ଥ ଆୟୋଗ ଗଠନ କରାଯିବାର ନିୟମ ଥିଲା । ଆର୍ଥିକ ବର୍ଷ 2019-20 ସୁଦ୍ଧା ସମସ୍ତ ରାଜ୍ୟ ସେମାନଙ୍କ ପ୍ରାଦେଶିକ ଷଷ୍ଠ ଆୟୋଗ ପ୍ରତିଷ୍ଠା ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ମାତ୍ର ସମସ୍ତ ରାଜ୍ୟ ପାଇଁ ଧାର୍ଯ୍ୟ ହୋଇଥିବାବେଳେ ଏହାର ଗଠନ ସମସ୍ତ ରାଜ୍ୟରେ ଏହା ସମୟାନୁବର୍ତ୍ତୀ ହୋଇପାରିନାହିଁ ।
ପଞ୍ଚାୟତିରାଜ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ବର୍ଷ 2022 ସୁଦ୍ଧା କେବଳ 9ଟି ରାଜ୍ୟ ସେମାନଙ୍କର ଷଷ୍ଠ ଆର୍ଥିକ ଆୟୋଗ ଗଠନ କରିଛନ୍ତି । ରାଜ୍ୟ ଅର୍ଥ ଆୟୋଗର ଅନୁଦାନର ସର୍ବାଧିକ ବୃଦ୍ଧି ବିହାର, ସିକ୍କିମ୍, ହରିୟାଣା, ଆସାମ, କେରଳ, ଉତ୍ତର ପ୍ରଦେଶ ଏବଂ ହିମାଚଳ ପ୍ରଦେଶରେ ଦେଖିବାକୁ ମିଳିଥିଲା ।
ଏହା ମଧ୍ୟ ପଢନ୍ତୁ :- ରତନ ଟାଟାଙ୍କ ବିୟୋଗକୁ ମାସେ: ମନେ ପକାଇଲେ ମୋଦି, କହିଲେ 'ତାଙ୍କ ଅବଦାନ ଚିରସ୍ମରଣୀୟ'
- ଆର୍ଥିକ ସ୍ବୟଂତତା ନିହାତି ଜରୁରୀ
ଗ୍ରାମୀଣ ଭାରତର ବିକାଶ ପାଇଁ, ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକ ଆର୍ଥିକ ସ୍ବୟଂତତା ନିହାତି ଜରୁରୀ । ସେମାନଙ୍କର ଟିକସ ଏବଂ ଅଣଟିକସ ରାଜସ୍ୱ ସମ୍ବଳ ବୃଦ୍ଧି ତଥା ସ୍ବାଧୀନ ରାଜସ୍ୱ ପ୍ରବାହ ପ୍ରତିଷ୍ଠା ପ୍ରୟାସରେ ଉନ୍ନତି ଆଣିବା ଆବଶ୍ୟକ । ସାମଗ୍ରିକ ଭାବେ କହିବାକୁ ଗଲେ, ସ୍ଥାନୀୟ ନିର୍ବାଚିତ ପ୍ରତିନିଧୀ ତଥା କାର୍ଯ୍ୟକର୍ତ୍ତାଙ୍କୁ ପର୍ଯ୍ୟାପ୍ତ ତଥା ବିବିଧ ଅର୍ଥ ଉତ୍ସ ଯୋଗାଣ ନିଶ୍ଚିତ କରିବା ସହ ଅଧିକ ବିକେନ୍ଦ୍ରୀକରଣ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିବା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ଏବଂ ଭିତ୍ତିଭୂମି ନବୀକରଣରେ ପଞ୍ଚାୟତିରାଜ ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ସେମାନଙ୍କୁ ସଶକ୍ତ କରିବା ଏକାନ୍ତ ଆବଶ୍ୟକ ।
- ପଞ୍ଚାୟତିରାଜ ଅନୁଷ୍ଠାନ ପାଇଁ ନୂଆ ଟିକସ ବ୍ୟବସ୍ଥା:-
କେନ୍ଦ୍ର ଏବଂ ରାଜ୍ୟ ସରକାର ଆବଶ୍ୟକତା ଅନୁଯାୟୀ ଏହି ପଞ୍ଚାୟତିରାଜ ଅନୁଷ୍ଠାନକୁ ବିପୁଳ ପରିମାଣର ଅର୍ଥ ଆବଣ୍ଟନ କରିବା ଉଚିତ । ସମସ୍ତ ରାଜ୍ୟର ‘ଅର୍ଥ ଆୟୋଗ’ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକୁ ରାଜ୍ୟ ଅନୁଦାନ ବଣ୍ଟନରେ ଉନ୍ନତି ଆଣିବା ପାଇଁ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରିବା ଉଚିତ । ସମସ୍ତ ରାଜ୍ୟ ସେହି ଅନୁଯାୟୀ ଏକ ନୂତନ ଟିକସ୍ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରିବା ମଧ୍ୟ ଉଚିତ ।
ସମ୍ପାଦକୀୟ...