ଭୁବନେଶ୍ବର: ବିଜେପି ପକ୍ଷରୁ ଆୟୋଜିତ ସମବାୟ ସପ୍ତାହ ପାଳନ ଉତ୍ସବରେ ଦୁର୍ନୀତିଖୋରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚେତାବନୀ । କହିଲେ,"ଚାଷୀଙ୍କ ସ୍ୱାର୍ଥରେ ବାଧା ଆସିଲେ କ୍ଷମା ନାହିଁ, ଜେଲ ପଠାଯିବ । ଡିସେମ୍ବର 8 ତାରିଖରେ ସୋହେଲାରେ 50 ହଜାର ଚାଷୀ ଏକାଠି ହେବେ । ଏଥର କଟନୀ ଛଟନୀ ବନ୍ଦ ।"
ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ:
ଆଜି ରାଜ୍ୟ କାର୍ଯ୍ୟାଳୟରେ ସମବାୟ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,"ଗତ ସରକାରରେ ଚାଷୀଙ୍କୁ ଅନ୍ୟାୟ ଓ ଶୋଷଣ କରାଯାଇଛି । କୋପରେଟିଭ ସଂସ୍ଥାକୁ କରପସନ ସଂସ୍ଥାରେ ପରିଣତ କରିଥିଲେ ପୂର୍ବ ବିଜେଡ଼ି ସରକାର । ଯେଉଁ ଦୁର୍ନୀତି ଓ ଭ୍ରଷ୍ଟାଚାର ହୋଇଥିଲା । କେମିତି ଦୁର୍ନୀତି ଯୁକ୍ତ ବିଭାଗରୁ ଦୁର୍ନୀତି ବନ୍ଦ କରି ସେବା ଦିଆଯିବ ,ଏହା ଉପରେ ବିଜେପି ସରକାର ଗୁରୁତ୍ବ ଦେଉଛନ୍ତି ।"
'ଢୋଲ ଭିତରେ ମୂଷା':
ସେ ଆହୁରି ମଧ୍ୟ କହିଛନ୍ତି,"ଢୋଲ ଭିତରେ ମୂଷା ଭଳି କିଛି ଲୋକ ବିଶୃଙ୍ଖଳା କରିବା ପାଇଁ ଅଛନ୍ତି । ଯେଉଁମାନେ ଦୁର୍ନୀତି କରିବେ ସେମାନଙ୍କୁ ସରକାର ଚିହ୍ନଟ କରିବେ । ଚାଷୀଙ୍କ ସ୍ୱାର୍ଥରେ ବାଧା ଦେଲେ କ୍ଷମା ନୁହେଁ, ଜେଲ ପଠାଯିବ । ପୂର୍ବ ସରକାର ଭୋଟ ବ୍ୟାଙ୍କ୍ ପାଇଁ ଚାଷୀଙ୍କୁ ଧାନ ଏମଏସପି ଉପରେ 100 ଟଙ୍କା ବୋନସ ଘୋଷଣା କରିଥିଲେ । କିନ୍ତୁ ଚାଷୀଙ୍କୁ ଗୋଟିଏ ଟଙ୍କା ବୋନସ ଦେଲେ ନାହିଁ । ବିଜେପି ସରକାର ଚାଷୀଙ୍କୁ 800 ଟଙ୍କା ବୋନସ ଦେବେ । 2300 ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଇବେ, ଏହାସହ 800 ଟଙ୍କା ଇନପୁଟ ସବସିଡି ଦେବ ବିଜେପି ସରକାର । ଡିସେମ୍ବର 8 ତାରିଖରେ ସୋହେଲାରେ 50 ହଜାର ଚାଷୀ ଏକାଠି ହେବେ । ଏଥର କଟନୀ ଛଟନୀ ହେବ ନାହିଁ, ବନ୍ଦ ହେବ । ସେଥିପାଇଁ ଚାଷୀ ମାନେ ଏଫଏକ୍ୟୁ ମାନର ଧାନ ଦେବେ । ଧାନ କିଣାରେ ଯେମିତି କିଛି ବ୍ୟତିକ୍ରମ ନହେବ, ଏଥିପାଇଁ ଜିଲ୍ଲାପାଳ ମାନଙ୍କୁ ତାଗିଦ ଏବଂ ନିର୍ଦ୍ଦେଶ ଦିଆଯାଇଛି । "
'ବିଜେଡ଼ି ଶାସନରେ ଦୁର୍ନୀତିର ଗନ୍ତାଘର...'
ସେହିପରି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି,"ସମବାୟ ବିଭାଗରେ ପୂର୍ବ ସରକାର ସମୟରେ ହୋଇଥିବା ଦୁର୍ନୀତିର ହେବ ତଦନ୍ତ । ପ୍ରମାଣ ହେଲେ, ଦୋଷୀକୁ ଦଣ୍ଡ ଦିଆଯିବ । ସମବାୟ ବିଭାଗର ରିଫର୍ମ କରାଯାଉଛି । ଯେଉଁମାନେ ଦୁର୍ନୀତି କରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ । ଦୋଷୀ ଧରା ହେଲେ ତାଙ୍କୁ ଦଣ୍ଡ ଦିଆଯିବ । ବିଜେଡ଼ି ଶାସନରେ ଦୁର୍ନୀତିର ଗନ୍ତାଘର ସାଜିଥିଲା ସମବାୟ ବିଭାଗ । ବିଜେଡ଼ି ଅମଳରେ ସମବାୟ ସଂସ୍ଥାକୁ ରୁଗଣ କରି ଦିଆଯାଇଥିଲା ।"
କୋପରେସନକୁ କରପସନରେ...
ସେ ଆହୁରି ମଧ୍ୟ କହିଛନ୍ତି,"ସାମୁହିକ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ବ୍ୟକ୍ତିଗତ ସ୍ବାର୍ଥ ଚରିତାର୍ଥ କରିବା ପାଇଁ ସମବାୟ ସଂସ୍ଥାର ଅପବ୍ୟବହାର କରି ଅଜସ୍ର ଟଙ୍କା ଚଳୁ କରିଛନ୍ତି ତତ୍କାଳୀନ ବିଜେଡ଼ି ସରକାରର ନେତା ଓ ମନ୍ତ୍ରୀ । କୋପରେସନକୁ କରପସନରେ ପରିଣତ କରିଥିଲା ବିଜେଡ଼ି ସରକାର । ନୂଆ ସରକାର ସମବାୟ ବିଭାଗକୁ ସ୍ୱଚ୍ଛ କରିବେ । ଚାଷୀଙ୍କ ପାଇଁ, ଚାଷୀଙ୍କ ଦ୍ବାରା ସମବାୟ ସଂସ୍ଥା ପରିଚାଳିତ ହେବ ।"
ଇଟିଭି ଭାରତ, ଭୁବନେଶ୍ବର