ହାଇଦ୍ରାବାଦ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକବର୍ଷ 2025-26 ପାଇଁ ଦୁଇଦିନ ତଳେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ କରିଛନ୍ତି । ଏଥିରେ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା କ୍ଷେତ୍ର ପାଇଁ ମୋଟ 6,81,210 କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହା ପୂର୍ବବର୍ଷ ତୁଳନାରେ 9.53% ବୃଦ୍ଧି ପାଇଛି । ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି) ବଜେଟକୁ ପ୍ରଶଂସା କରିଛି । ସଂସ୍ଥା କହିଛି, ଚଳିତ ବଜେଟରେ ଏହି ଆବଣ୍ଟନ ଆଗାମୀ ଆର୍ଥିକବର୍ଷ ପାଇଁ ଯୋଜନା କରାଯାଇଥିବା ପ୍ରମୁଖ ଅଧିଗ୍ରହଣକୁ ବଳ ଦେବ । ପ୍ରତିରକ୍ଷା ସମ୍ପର୍କିତ ବିଭିନ୍ନ କ୍ଷେତ୍ରରେ ସମନ୍ୱୟ ପଦକ୍ଷେପକୁ ପ୍ରୋତ୍ସାହିତ କରିବ । ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ପୁଞ୍ଜି ନିବେଶ ଦେଶର ସାମଗ୍ରିକ ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପକାଇଥାଏ । ଏହା ଦେଶର GDPକୁ ବୃଦ୍ଧି କରିବ ଏବଂ ଯୁବକମାନଙ୍କୁ ଅଧିକ ନିଯୁକ୍ତି ସୁଯୋଗ ପ୍ରଦାନ କରିବାରେ ସହାୟକ ହେବ ।
- ପ୍ରତିରକ୍ଷା କ୍ଷେତ୍ରକୁ ସର୍ବାଧିକ ବ୍ୟୟବରାଦ
ଚଳିତ ବଜେଟରେ ପ୍ରତିରକ୍ଷା ବ୍ୟୟବରାଦ ସାଧାରଣ ବଜେଟର ୧୩.୪୫ % । ଏହି ଆବଣ୍ଟନ ସମସ୍ତ ମନ୍ତ୍ରଣାଳୟ ମଧ୍ୟରେ ସର୍ବାଧିକ ମଧ୍ୟ । ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରତିରକ୍ଷା ବଜେଟ୍ ମୋଟ ବଜେଟର ୧୪ %ରୁ କମ ରହିଛି । ପ୍ରତିରକ୍ଷା କ୍ଷେତ୍ର ଦେଶର ସକଳ ଘରୋଇ ଉତ୍ପାଦ (GDP)ର ପ୍ରାୟ 1.91% । ଅର୍ଥନୀତି ଏବଂ ବଜେଟ୍ ଆବଣ୍ଟନ ଉଭୟ ବୃଦ୍ଧି ପାଉଥିଲେ ସୁଦ୍ଧା ଏହି ପ୍ରତିଶତ ବର୍ଷ ଓ୍ବାରୀ ହ୍ରାସ ପାଇବାରେ ଲାଗିଛି । 2020-21 ପ୍ରତିରକ୍ଷା କ୍ଷେତ୍ର ଦେଶର GDP ର 2.4% ଥିଲା । ସେହିପରି 2022-23ରେ 2.1% ଥିଲା । ମାତ୍ର ଗତ ଦୁଇବର୍ଷ ମଧ୍ୟରେ ଏହା ତଳକୁ ଖସିଛି । ଗତବର୍ଷ ଏହି ପରିମାଣ ମୋଟ ଜିଡିପିର 1.98% ଏବଂ ଚଳିତଥର 1.91% ହୋଇଛି । ପ୍ରତିରକ୍ଷା କ୍ଷେତ୍ରକୁ ବୟବରାଦ ରାଶି ୯.୫୩% ବୃଦ୍ଧି ପାଇଥିଲେ ମଧ୍ୟ, ଜିଡିପି ତୁଳନାରେ ଏହା ୦.୦୭% ହ୍ରାସ ପାଇଛି । ୨୦୨୦ ମସିହାରେ ଗଲୱାନ ଉପତ୍ୟକାରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ ପରେ, ସରକାର ୨୦୨୦-୨୧ ମସିହାରେ ପ୍ରତିରକ୍ଷା ବ୍ୟୟବରାଦ ବୃଦ୍ଧି କରିଥିଲେ । କିନ୍ତୁ ଏହାର ପରବର୍ତ୍ତୀ ବର୍ଷମାନଙ୍କରେ ଏହି ଅନୁପାତ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।
- ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ ବଢାଇବା ପାଇଁ ଟ୍ରମ୍ପଙ୍କ ଚାପ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଫୋକସ କରୁଛନ୍ତି । କେବଳ ଆମେରିକାରେ ନୁହେଁ ବରଂ ‘ନାଟୋ’ରେ ସଦସ୍ୟ ଥିବା ରାଷ୍ଟ୍ରମାନଙ୍କ ଉପରେ ମଧ୍ୟ ଟ୍ରମ୍ପ ଏହି କ୍ଷେତ୍ରରେ ଚାପ ସୃଷ୍ଟି କରିବାରେ ଲାଗିଛନ୍ତି । ନାଟୋ ସଦସ୍ୟ ରାଷ୍ଟ୍ରମାନେ ସେମାନଙ୍କ ମୋଟ ‘ଜିଡିପି’ର 5 ପ୍ରତିଶତ ପ୍ରତିରକ୍ଷା କ୍ଷେତ୍ର ପାଇଁ ଖର୍ଚ୍ଚ କରନ୍ତୁ ବୋଲି ସେ ଦାବି କରୁଛନ୍ତି । ଫଳରେ ନାଟୋର ସାମଗ୍ରିକ ଶକ୍ତି ଓ ସାମର୍ଥ୍ୟ ବଢିବ ବୋଲି ଟ୍ରମ୍ପଙ୍କ ଦାବି ରହୁଛି । ଟ୍ରମ୍ପଙ୍କ ଚାପ ସତ୍ତ୍ବେ ମଧ୍ୟ ଅଧିକାଂଶ ‘ନାଟୋ’ ସଦସ୍ୟ ଦେଶ ଏପର୍ଯ୍ୟନ୍ତ ସେମାନଙ୍କର ‘ଜିଡିପି’ର ପ୍ରାୟ 2%ରୁ ପ୍ରତିରକ୍ଷା ପାଇଁ ଖର୍ଚ୍ଚ କରୁନାହାନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିବା ରାଷ୍ଟ୍ର ତାଲିକାରେ ଆଗରେ ରହିଛି ଆମେରିକା । ଓ୍ବାଶିଂଟନ ତାର ମୋଟ GDP ର ପ୍ରାୟ 3.5% କେବଳ ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରେ । ଏହି ପରିମାଣ ଭାରତ ଅପେକ୍ଷା ଢେର ଅଧିକ । ସେହିପରି ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଚୀନ ପ୍ରତିରକ୍ଷା କ୍ଷେତ୍ରରେ ଦେଶର ମୋଟ ଜିଡିପିର 1.8% ଖର୍ଚ୍ଚ କରୁଛି । ଚୀନର ଜିଡିପି ଭାରତ ତୁଳନାରେ ପ୍ରାୟ ପାଞ୍ଚ ଗୁଣ । ତେବେ ଚୀନର ପ୍ରତିରକ୍ଷା କ୍ଷେତ୍ର ମଧ୍ୟରେ ବେସାମରିକ ଏବଂ ସାମରିକ ପ୍ରଯୁକ୍ତିବିଦ୍ୟାର ଓ ଉଭୟ କ୍ଷେତ୍ର ପାଇଁ ବ୍ୟବହୃତ କ୍ଷେତ୍ରରେ ନିବେଶ ଓ ରଣନୈତିକ ଭିତ୍ତିଭୂମି ନିର୍ମାଣକୁ ବାଦ ଦିଆଯାଇଛି । ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ୍ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (SIPRI) ଅନୁଯାୟୀ, ଚୀନର ଏହି ଖର୍ଚ୍ଚ ବିଶ୍ୱ ଜିଡିପିର ପ୍ରାୟ 1.8% ହେବ ।
- ଭାରତରେ ସାମରିକ ଅପେକ୍ଷା ଭିତ୍ତିଭୂମି ବିକାଶର ଆବଶ୍ୟକତା