ଓଡିଶା

odisha

ETV Bharat / opinion

ଭାରତରେ ନାରୀ ସଶକ୍ତିକରଣ ଓ ଶିକ୍ଷା - Narishakti of India

INDIA WOMEN EMPOWERMENT IN INDIA: ଭାରତରେ ନୀରି ସଶକ୍ତିକରଣ କ୍ଷେତ୍ରରେ ଉଦାହରଣ ଦୁଇ ବିଶିଷ୍ଟ ମହିଳା । ମେଜର ରାଧିକା ସେନ ଓ କୂଟନୈତିଜ୍ଞ ରୁଚିକା କମ୍ବୋଜଙ୍କ ଉଦାହରଣୀୟ ସଫଳ ଜୀବନ, ଭାରତୀୟ ସମାଜ ପାଇଁ ପ୍ରେରଣା । ପଢନ୍ତୁ ପ୍ର.ମିଲିନ୍ଦ କୁମାର ଶର୍ମାଙ୍କ ଆଲେଖ୍ୟ

ଭାରତରେ ନାରୀ ସଶକ୍ତିକରଣ ଓ ଶିକ୍ଷା
ଭାରତରେ ନାରୀ ସଶକ୍ତିକରଣ ଓ ଶିକ୍ଷା (ETV Bharat Odisha)

By Milind Kumar Sharma

Published : Jul 14, 2024, 7:01 AM IST

ନୂଆଦିଲ୍ଲୀ:ନିର୍ବାଚନ ରାଜନୀତି ବ୍ୟତୀତ ଅନ୍ୟ ଦୁଇଟି ପ୍ରମୁଖ ଘଟଣା ଭାରତରେ ମହିଳାମାନଙ୍କ ସକ୍ରିୟ ଅବଦାନକୁ ସାମ୍ନାକୁ ଆଣିଛି । ଏଥିରେ ଦୁଇ ବିଶିଷ୍ଟ ମହିଳାଙ୍କ ଭୂମିକା ଓ ଅବଦାନକୁ ବିଚାର କରାଯାଇପାରେ । ପ୍ରଥମଟି ଡେମୋକ୍ରାଟିକ ରିପବ୍ଲିକ୍ ଅଫ କଙ୍ଗୋ (DRC)ରେ ଜାତିସଂଘର ଶାନ୍ତି ମିଶନରେ ନିୟୋଜିତ ଥିବା ଭାରତୀୟ ସ୍ଥଳସେନାର ମେଜର ରାଧିକା ସେନଙ୍କର । ମେଜର ରାଧିକା ଏବେ ଜାତିସଂଘର ‘ମିଲିଟାରୀ ଜେଣ୍ଡର ଆଡଭୋକେସୀ ଅଫ ଦି ଇୟର’ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଭୀଷଣ ଅସ୍ଥିରତା ଓ ହିଂସା ପ୍ରଭାବିତ କଙ୍ଗୋରେ ସ୍ଥାନୀୟ ଯୁବତୀ ଓ ମହିଳାମାନଙ୍କୁ ମୁକ୍ତ ତଥା ସଶକ୍ତ କରିବାରେ ତାଙ୍କର ଅସାଧାରଣ ନେତୃତ୍ୱ ତାଙ୍କୁ ଅନେକ ପୁରସ୍କାର ଜିତିବାର ଅବସର ଦେଇଛି । କେବଳ ତାଙ୍କର ବ୍ୟକ୍ତିଗତ ଉପଲବ୍ଧି ନୁହେଁ ବରଂ ତାଙ୍କର ପ୍ରରଣାଦାୟୀ ବ୍ୟକ୍ତିତ୍ବ ଅନେକ ମହିଳାଙ୍କୁ ସେମାନଙ୍କର ଅଧିକାର ପାଇଁ ସ୍ବର ଉଠାଇବାକୁ ସାହାସ ଓ ପ୍ରେରଣା ଦେଇଛି ।

ନିକଟରେ ଅବସର ନେଇଥିବା ମିଳିତ ଜାତିସଂଘରେ ଭାରତର ପ୍ରଥମ ମହିଳା ସ୍ଥାୟୀ ପ୍ରତିନିଧୀ ରୁଚିକା କମ୍ବୋଜଙ୍କ କଥା ମଧ୍ୟ ଏହି ଭାରତୀୟ ନାରୀଶକ୍ତିର ଉତ୍ଥାନର ଅଧ୍ୟାୟ ସହ ଯୋଡାଯାଇପାରେ । ଜଣେ ଶୀର୍ଷ ଭାରତୀୟ କୂଟନୈତିକ ଭାବେ ରୁଚିକା ଦୀର୍ଘ 35ବର୍ଷ ଧରି କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ପ୍ରାୟ ଚାରି ଦଶନ୍ଧି ଧରି ସେ ଦେଶକୁ ବିଭିନ୍ନ ଅନ୍ତର୍ଜାତୀୟ ଫୋରମରେ ପ୍ରତିନିଧିତ୍ବ କରିଛନ୍ତି । ସଂଘ ଲୋକସେବା ଆୟୋଗ (ୟୁପିଏସସି) ପରୀକ୍ଷାରେ ସମସ୍ତ ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିବାଠାରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଦୀର୍ଘବର୍ଷର ସେବା ଓ ଜାତିସଂଘରେ ଭାରତକୁ ପ୍ରତିନିଧିତ୍ବ କରିବା ପର୍ଯ୍ୟନ୍ତ ଏକ ଚମତ୍କାର ସଫଳ କ୍ୟାରିୟରର ଅଧିକାରିଣୀ ହେଉଛନ୍ତି ରୁଚିକା ।

ମିଳିତ ଜାତିସଂଘରେ ପରି ସର୍ବୋଚ୍ଚ ଅନ୍ତର୍ଜାତୀୟ ଅନୁଷ୍ଠାନରେ ଭାରତକୁ ପ୍ରଭାବୀ ଭାବେ ଉପସ୍ଥାପନ କରିଛନ୍ତି ରୁଚିକା । ସେ ଜାତିସଂଘ ସୁରକ୍ଷା ପରିଷଦରେ ଅଧ୍ୟକ୍ଷତା ମଧ୍ୟ କରିଛନ୍ତି । ସାଧାରଣ ସଭା ଓ ସୁରକ୍ଷା ପରିଷଦରେ ଆଲୋଚିତ ବିଷୟ ଗୁଡିକରେ ସେ ଭାରତର ଆଭିମୁଖ୍ୟକୁ ପ୍ରଭାବୀ ଭାବେ ଉପସ୍ଥାପନ କରିବାର କୌଣସି ଅବସର ଛାଡିନାହାନ୍ତି । ସେହିପରି ଜାତିସଂଘର ଅନ୍ୟାନ୍ୟ କମିଟିରେ ତାଙ୍କର ଅଖଣ୍ଡତା ଅପରିହାର୍ଯ୍ୟ ଥିଲା । ଭାରତୀୟ ଦର୍ଶନର ନୈତିକ ଆଦର୍ଶବାକ୍ୟ ‘‘ବସୁଧୈବ୍ୟ କୁଟୁମ୍ବକମ’’ ପ୍ରତି ଅନ୍ତର୍ଜାତୀୟ ମଞ୍ଚରେ ତାଙ୍କର ଅଦମ୍ୟ ପ୍ରତିବଦ୍ଧତା ଥିଲା ।

ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ରୁଷ-ୟୁକ୍ରେନ ଯୁଦ୍ଧ, ମଧ୍ୟପ୍ରାଚ୍ୟ ବିବାଦ ଓ ସୁଦାନ ଗୃହଯୁଦ୍ଧ ଭଳି ଅନେକ ଜଟିଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ବିଶ୍ବ ସମୂଦାୟ । ଗ୍ଲୋବାଲ୍ ସାଉଥ (ଦାକ୍ଷିଣାତ୍ୟ ବିଶ୍ବ) ଦେଶଗୁଡିକ ପାଇଁ ଦ୍ରୁତ ଧୃବୀକରଣ ଓ ବିଖଣ୍ଡନ ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଏପରି ଅନିଶ୍ଚିତାପୂର୍ଣ୍ଣ ସ୍ଥିତିରେ ରୁଚିକା ଦକ୍ଷତାର ସହିତ ଭାରତର ବୈଦେଶିକ ନୀତି ପରିଚାଳନା କରି ନିଜ କୂଟନୈତିକ ଦକ୍ଷତାର ପରିଚୟ ଦେଇଥିଲେ । ମିଳିତ ଜାତିସଂଘର ଏକ ସାମ୍ବାଦିକ ସମ୍ମିଳନୀରେ ରୁଚିକା କହିଥିଲେ, ଭାରତ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ଦେଶମାନଙ୍କ ସହ ଯୋଗାଯୋଗକାରୀ ଏବଂ ମଧ୍ୟସ୍ଥତା ସ୍ୱର ଭାବେ ଶାନ୍ତି ସମର୍ଥନରେ ଦୃଢ ଭାବରେ ଠିଆ ହୋଇଛି ।

ଯେତେବେଳେ ପ୍ରମୁଖ ବିଶ୍ବଶକ୍ତିମାନେ ବୈଶ୍ବିକ ପ୍ରସଙ୍ଗରେ ଏକ ନିର୍ଣ୍ଣୟକାରୀ ଭୂମିକାରେ ଭାରତକୁ ପ୍ରଭାବୀ ସ୍ଥାନରେ ଦେଖିବାକୁ ଚାହୁଁଥିଲେ, ସେତେବେଳେ ରୁଚିକା ହିଁ ଦେଶକୁ ଅନ୍ତର୍ଜାତୀୟ ପ୍ରତିନିଧିତ୍ବ ଦେଇଥିଲେ । ପାକିସ୍ତାନର ଘୃଣ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଜାତିସଂଘରେ ତାଙ୍କର ତୀବ୍ର ଟିପ୍ପଣୀ ଭାରତର ସ୍ବରକୁ ସ୍ପଷ୍ଟ କରିଥିଲା । ଜାତିସଂଘରେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଗୋଟିଏ କଥା ବାସ୍ତବରେ ଉଲ୍ଲେଖନୀୟ, ତାହା ହେଉଛି ସୁରକ୍ଷା ପରିଷଦ ସମେତ ବହୁପକ୍ଷୀୟ ଅନୁଷ୍ଠାନଗୁଡ଼ିକରେ ସଂସ୍କାର ଆଣିବା ପାଇଁ ସେ କରିଥିବା ନିରନ୍ତର ପ୍ରୟାସ । ସେ ଆନ୍ତଃସରକାର ଆଲୋଚନାରେ ଅଂଶଗ୍ରହଣ କରି ମିଳିତ ଜାତିସଂଘରେ ସଂସ୍କାର ଆଣିବା ପାଇଁ ଏକାଧିକ ପ୍ରସ୍ତାବ ରଖିଥିଲେ । ସେହିପରି ଜି-4 ଦେଶ (ଭାରତ, ଜର୍ମାନୀ, ବ୍ରାଜିଲ, ଜାପାନ) ରେ ମଧ୍ୟ ଏକ ସଂସ୍କାରମୂଳକ ଢାଞ୍ଚା ଉପସ୍ଥାପନ କରି ଭାରତର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ ।

ଉପରୋକ୍ତ ଦୁଇ ସଫଳ ଭାରତୀୟ ମହିଳାଙ୍କ ଉଦାହରଣ ଦେଶରେ ନାରୀସଶକ୍ତିକରଣକୁ ସ୍ପଷ୍ଟ ଭାବେ ପରିଭାଷିତ କରୁଛି । ଏହିପରି ମହିଳାମାନେ ପ୍ରକୃତରେ ଦେଶର ଅଗଣିତ ମହିଳା ଓ ଯୁବତୀଙ୍କ ପାଇଁ ଆଶା ଓ ଆକାଂକ୍ଷାର କିରଣ ସଦୃଶ୍ୟ । 2047 ସୁଦ୍ଧା “ବିକଶିତ ଭାରତ’’ ନିର୍ମାଣ ଲକ୍ଷ୍ୟରେ ଭାରତ ସରକାର କାମ ଜାରି ରଖିଛନ୍ତି । ଏପରି ସମୟରେ ଦେଶର ନାରୀଶକ୍ତିର ପ୍ରକୃତ ସାମର୍ଥ୍ୟକୁ ବ୍ୟବହାର କରିବା ପାଇଁ ଭିତ୍ତିଭୂମି ଓ ଅବସର ସୃଷ୍ଟି କରିବାର ନିହାତି ଆବଶ୍ୟକତା ରହିଛି ।

ଏସମସ୍ତ ପରିବର୍ତ୍ତନ ସତ୍ତ୍ବେ ମଧ୍ୟ ସାମାଜିକ-ସାଂସ୍କୃତିକ କ୍ଷେତ୍ରରେ ପୂର୍ବ-ପ୍ରଚଳିତ ଋଢିବାଦୀ ଚିନ୍ତାଧାରାକୁ ବିଲୋପ କରିବା ପାଇଁ ଆହୁରି ଅନେକ କାର୍ଯ୍ୟ କରିବାକୁ ପଡିବ । ମହିଳାମାନଙ୍କୁ ସେମାନଙ୍କର ପ୍ରକୃତ ସାମର୍ଥ୍ୟକୁ ବୁଝିବା ଏବଂ ସେମାନଙ୍କ ପାଇଁ ଉପଯୁକ୍ତ ଅବସର ସୃଷ୍ଟି କରିବାର ବର୍ତ୍ତମାନ ସମୟର ଏକ ବଡ ଆହ୍ବନ ଓ ଆବଶ୍ୟକତା ଭାବେ ସାମ୍ନାକୁ ଆସିଛି । ଦେଶର ଶ୍ରମଶକ୍ତିର ଅଂଶଗ୍ରହଣରେ ଲିଙ୍ଗଗତ ଅସମାନତା ଦୂର କରିବା, ଉଚ୍ଚଶିକ୍ଷା କ୍ଷେତ୍ରରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସେମାନଙ୍କର ସକ୍ରିୟତା ବୃଦ୍ଧି କରିବା ଆଦି ଉପରେ ଭାରତ ଚିନ୍ତା କରୁଛି ।

ବିଶ୍ୱ ଅର୍ଥନୈତିକ ଫୋରମ ଦ୍ୱାରା ହୋଇଥିବା “ଗ୍ଲୋବାଲ୍ ଜେଣ୍ଡର ଗ୍ୟାପ୍ ରିପୋର୍ଟ-2023” ଅନୁଯାୟୀ, ଲିଙ୍ଗଗତ ସମାନତା ଦୃଷ୍ଟିରୁ ଭାରତ 146 ଦେଶ ମଧ୍ୟରୁ 127ତମ ସ୍ଥାନରେ ରହିଛି । ଅନ୍ୟାନ୍ୟ ସାମାଜିକ ଆହ୍ବାନ ଯଥା, ଘରୋଇ ହିଂସା, ଯୌତୁକଜନିତ ହିଂସା ଓ ହତ୍ୟା, ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପରି ଆହ୍ବାନ ନାରୀ ସଶକ୍ତିକରଣ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିଛି । ଏହି ଦୁଇ ଉଲ୍ଲେଖନୀୟ ମହିଳାଙ୍କ ପାଇଁ ଏହା ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ, ଯଦି ସମାଜ ଏହିପରି ଅନେକ ମହିଳା ସୃଷ୍ଟି କରିପାରିବ ।

ABOUT THE AUTHOR

...view details