Making soft roti: ନରମ ଓ ଫୁଲକା ଫୁଲକା ରୁଟି ତିଆରି କରିବା ଏକ କଳା । ଆଉ ଏହି କଳା ସମସ୍ତଙ୍କୁ ଜଣା ନାହିଁ । ସମସ୍ତେ ନରମ ରୁଟି ବନାଇବାକୁ ଓ ଖାଇବାକୁ ତ ପସନ୍ଦ କରନ୍ତି, ହେଲେ ପାରନ୍ତିନି । ଯଦି ଆପଣ ବି ନିଜ ପରିବାର ଲାଗି ପୁରା ନରମ ଓ ପୁରୀ ଭଳି ଫୁଲିଥିବା ରୁଟି ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ନେଇଆସିଛୁ କିଛି ସହଜ ଟିପ୍ସ । ଏହାକୁ ମାନି ରୁଟି କଲେ ଆପଣଙ୍କ ହାତରେ ରୁଟି ଖାଇ ପରିବାର ଲୋକେ ପୁରା ଖୁସ୍ ହୋଇଯିବେ ।
ଏଥିପାଇଁ ଆପଣ ସବୁବେଳେ ଭଲ କ୍ବାଲିଟିର ଶୁଦ୍ଧ ଗହମରୁ ତିଆରି ଅଟା କିଣିବା ଉଚିତ୍ । ବଜାରରୁ ଅଟା କିଣିବା ବେଳେ ଏହାର ଦାମ୍ ସହ କ୍ବାଲିଟି ମଧ୍ୟ ଦେଖନ୍ତୁ । ନରମ ରୁଟି ବନାଇବାକୁ ହେଲେ ଏହି ଅଟାକୁ ଘରେ ଭଲ ଭାବରେ ଛାଣି ଦିଅନ୍ତୁ । କାରଣ ଅଟା ନରମ ଥିଲେ ରୁଟି ବି ନରମ ହୋଇଥାଏ । ଏକ୍ସପର୍ଟଙ୍କ କହିବା କଥା, ନରମ ନରମ ରୁଟି ପ୍ରସ୍ତୁତ କରିବା ପାଇଁ ଚକଟିବା ସମୟରେ କିଛିଟା ସାବଧାନତା ଜରୁରୀ ।
ନରମ ରୁଟି ବନାଇବାର ଟିପ୍ସ
- ଅଟା ଓ ପାଣି ମାପିବା ପାଇଁ ଗୋଟିଏ ଆକାରର କପ୍ କିମ୍ବା ଗ୍ଲାସ୍ ନିଅନ୍ତୁ ।
- ଦୁଇ କପ୍ ଅଟା ନେଇଥିଲେ 3ରୁ 4 କପ୍ ପାଣି ମିଶାନ୍ତୁ । ଅଧିକ ପାଣି ଦିଅନ୍ତୁ ନାହିଁ ।
- ଅଟା ଚକଟିବା ସମୟରେ ଅଳ୍ପ ଅଳ୍ପ କରି ପାଣି ମିଶାଇ ଭଲ ଭାବେ ଚକଟନ୍ତୁ ।
- ରୁଟି ପୁରା ନରମ ଓ ସ୍ବାଦିଷ୍ଟ କରିବାକୁ ଚାହୁଁଥିଲେ ଚକଟିବା ସମୟରେ ଗୋଟିଏ ଚାମଚ ଘିଅ କିମ୍ବା ତେଲ ମିଶାଇ ପାରିବେ ।
- ଅଟା ଚକଟିବା ପରେ ଅତିକମ୍ରେ 15ରୁ 20 ମିନିଟ୍ ଘୋଡାଇ ରଖନ୍ତୁ ।
- ରୁଟି ବନାଇବା ପାଇଁ ଏକ ସ୍ଥିର ବେଲଣା/ରୋଲିଂ ବୋର୍ଡ ବ୍ୟବହାର କରନ୍ତୁ ।
- ଯଦି ଆପଣ ନୂଆ ନୂଆ ରୁଟି ବନାଉଛନ୍ତି ତାହେଲେ ଛୋଟ ସାଇଜ ରୁଟି ବେଲିବା ଭଲ ।
- ବେଲିବା ସମୟରେ ରୁଟି ଉପରେ ଅଧିକ ଚାପ ପକାନ୍ତୁ ନାହିଁ । ଏହାଦ୍ବାରା ରୁଟି ଭଲ ଭାବେ ଫୁଲିଥାଏ ।
- ଏବେ ତାୱା ଗରମ କରି ଏହା ଉପରେ ରୁଟି ପକାନ୍ତୁ । ଯେତେବେଳେ ରୁଟିର ଉପର ପଟେ ଛୋଟ ଛୋଟ ଫୋଟକା ଦେଖାଯିବ ସେହି ସମୟରେ ଏହାକୁ ଓଲଟାନ୍ତୁ । କିଛି ସେକେଣ୍ଡ ପରେ ଏହାକୁ ପୁଣି ଓଲଟାଇ ଏବେ ରୁଟି ଜାଲିରେ ଅଧିକ ଆଞ୍ଚରେ ସେକନ୍ତୁ । ନରମ ମୁଲାୟମ ରୁଟି ପାଇଁ ଆପଣ ଏଥିରେ ଘିଅ ଲଗାଇ ସେକି ପାରିବେ । ଭଲ ଭାବେ ଦୁଇ ପାଖ ସେକନ୍ତୁ ।