ହାଇଦ୍ରାବାଦ: ଆମେରିକାରେ ଦେଖିବାକୁ ମିଳିଲାଣି ପାଲେଷ୍ଟାଇନ ଆକ୍ରମଣ ବିରୋଧରେ ପ୍ରତିବାଦ । ଏକାଧିକ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ପାଲେଷ୍ଟାଇନ ଉପରେ ଇସ୍ରାଏଲ ଜାରି ରଖିଥିବା ଆକ୍ରମଣକୁ ବିରୋଧ କରି ପ୍ରତିବାଦ କରାଯାଉଛି । ଆମେରିକୀୟ ସହର ଆଣ୍ଟାଲାଟାର ଏମୋରୀ ବିଶ୍ବବିଦ୍ୟାଳୟରେ ଆୟୋଜିତ ଏକ ପ୍ରତିବାଦ କାର୍ଯ୍ୟକ୍ରମ ବେଳେ ଜଣେ ମହିଳା ପ୍ରଫେସରଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ବେଳେ ବର୍ବରତା ଦେଖାଇଛି । ମହିଳା ପ୍ରଫେସରକୁ ପୁରୁଷ ପୋଲିସ ଅଧିକାରୀ ବଳପ୍ରୟୋଗ କରି ତଳେ ପକାଇଦେବା ସହ ପଛପଟେ ହାତ ବାନ୍ଧି ହ୍ୟାଣ୍ଡକପ ପକାଉଥିବା ଭିଡିଓ ଭାଇରାଲ ହେଉଛି । ଏହାକୁ ନେଇ ଆମେରିକା ପୋଲିସର କାର୍ଯ୍ୟଶୈଳୀ ଓ ଜଣେ ମହିଳା ଶିକ୍ଷାବିତଙ୍କ ପ୍ରତି ଏପରି ବର୍ବରତା ଚର୍ଚ୍ଚାର କେନ୍ଦ୍ରରେ ରହିଛି ।
ମିଳିଥିବା ସୂଚନା ଅନୁସାରେ, ଏମୋରୀ ବିଶ୍ବବିଦ୍ୟାଳୟରେ ଶତାଧିକ ଛାତ୍ରଛାତ୍ରୀ ଏହି ଆନ୍ଦଳନରେ ଅଂଶଗ୍ରହଣ କିରଥିଲେ । ସ୍ଥାନୀୟ ପୋଲିସ କ୍ୟାମ୍ପସରେ ପହଞ୍ଚି ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ବଳପ୍ରୟୋଗ କରି ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ଘଉଡାଇବାକୁ ପୋଲିସ ଉଦ୍ୟମ କରିଥିଲା । ଏହି ସମୟରେ ଜଣେ ଛାତ୍ରଙ୍କ ପ୍ରତି ପୋଲିସର ବର୍ରବ ଆକ୍ରମଣକୁ ମହିଳା ପ୍ରଫେସର କାରୋଲିନ ଫୋଲିନ (Caroline Fohlin) ପୋଲିସ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ଏଥିରେ ଦୁଇରୁ ଅଧିକ ପୋଲିସ ଅଧିକାରୀ ମହିଳା ପ୍ରଫେସରଙ୍କ କାବୁ କରିବାକୁ ଉଦ୍ୟମ କରିଥିଲେ । ଉଭୟ ପ୍ରଫେସର କାରୋଲିନ ଫୋଲିନଙ୍କୁ ବଳପ୍ରୟୋଗ କରି ତଳେ ଫୋପାଡି ଦେଇଥିଲେ । ଏହା ପରେ ତଳେ ପକାଇ ମହିଳାଙ୍କୁ ପଛରୁ ହାତ ବାନ୍ଧି ହାତକଡି ମଧ୍ୟ ପକାଯାଇଥିଲା । ପୋଲିସ ଅଧିକାରୀମାନେ ବେଶ ଆକ୍ରମଣାତ୍ମକ ଢଙ୍ଗରେ ମହିଳା ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ଯାହା ସ୍ଥାନୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରରେ ରହିଛି ।