ନୂଆଦିଲ୍ଲୀ:ଆଜି ତାଇଓ୍ବାନରେ ଗତ 25 ବର୍ଷ ମଧ୍ୟରେ ସବୁଠୁ ବଡ ଭୂକମ୍ପ ଅନୁଭୂତ ହେଇଛି । ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ସହ ପ୍ରାୟ 10ଜଣଙ୍କ ମୃତ୍ୟୁ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଦୁଃଖ ପ୍ରକାଶ କରିବା ସହ ତାଇଓ୍ବାନର ଭୂକମ୍ପ ପ୍ରଭାବିତଙ୍କ ପାଇଁ ସମବେଦନା ଜଣାଇ ଟ୍ବିଟ ମଧ୍ୟ କରିଥିଲେ । ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ଏବଂ ଉପରାଷ୍ଟ୍ରପତି ଲାଇ ଚିଙ୍ଗ-ଟି ସମବେଦନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ସମବେଦନା ବାର୍ତ୍ତା ତାଇଓ୍ବାନର ଭୂକମ୍ପ ପ୍ରଭାବିତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଉଭୟ ନେତା ଟ୍ବିଟରେ କହିଛନ୍ତି ।
ରାଷ୍ଟ୍ରପତି ତାଇ ‘ଏକ୍ସ’ରେ କହିଛନ୍ତି, ‘‘ଏହି ଆହ୍ବାପୂର୍ଣ୍ଣ ସମୟରେ ଆପଣଙ୍କ ଏହି ବାର୍ତ୍ତା ଓ ସମର୍ଥନ ପାଇଁ ଆମେ କୃତଜ୍ଞ । ଏପରି ସମୟରେ ତାଇୱାନର ଲୋକଙ୍କ ପାଇଁ ଆପଣଙ୍କର ଏହି ସମବେଦନା ବାର୍ତ୍ତା ପ୍ରେରଣା । ଆମେ ଖୁବଶିଘ୍ର ପୁନରୁଦ୍ଧାର କାର୍ଯ୍ୟ ସାରିବା ଲକ୍ଷ୍ୟରେ କାମ କରୁଛୁ ।’’ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ତାଇଓ୍ବାନ ଭୂକମ୍ପ ଘଟଣାରେ ଶୋକ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ଲେଖିଥିଲେ, ‘‘ ଆଜି ତାଇୱାନରେ ହୋଇଥିବା ଭୂକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ଆମେ ଦୁଖଃ ବ୍ୟକ୍ତ କରୁଛୁ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଆମର ସମବେଦନା ଏବଂ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛୁ । ତାଇୱାନର ଲୋକମାନଙ୍କ ସହିତ ଆମେ ଏକତାର ସହିତ ଛିଡା ହୋଇଛୁ ।’’