ହାଇଦ୍ରାବାଦ:ମାଳଦ୍ବୀପ ପରେ ପଡୋଶୀ ବାଂଲାଦେଶରେ ମଧ୍ୟ ବିରୋଧୀ ଦଳ ଆରମ୍ଭ କରିଛି ‘ଇଣ୍ଡିଆ ଆଉଟ’ କ୍ୟାମ୍ପେନ । ଭାରତରୁ ଆମଦାନୀ ହେଉଥିବା ବ୍ୟବହାର୍ଯ୍ୟ ସାମଗ୍ରୀ ବର୍ଜନ କରିବା ପାଇଁ ସେମାନେ ଡାକରା ଦେଇଛନ୍ତି । କିଛି ବିରୋଧୀ ନେତା ମଧ୍ୟ ଭାରତୀୟ ବସ୍ତ୍ର ଓ ପୋଷାକ ସାମଗ୍ରୀକୁ ବର୍ଜନ କରିଥିବା ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ହେଲେ ଏହି ପ୍ରସଙ୍ଗରେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶେଖ ହସିନା । ‘ଇଣ୍ଡିଆ ଆଉଟ’ କ୍ୟାମ୍ପନ ଆରମ୍ଭ କରିଥିବା ନେତାମାନେ ପ୍ରଥମେ ସେମାନଙ୍କର ପତ୍ନୀମାନଙ୍କ ଶାଢୀ ଜାଳନ୍ତୁ । ଏପରି କରିପାରିଲେ ସେମାନଙ୍କ କ୍ୟାମ୍ପେନ ସତ୍ୟ ପ୍ରମାଣିତ ହେବ ବୋଲି ହସିନା କହିଛନ୍ତି ।
ବାଂଲାଦେଶରେ ନିର୍ବାଚନ ପରଠାରୁ ସ୍ଥାନୀୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ସୋସିଆଲ ମିଡିଆରେ 'ଇଣ୍ଡିଆ ଆଉଟ୍' ଅଭିଯାନ ଆରମ୍ଭ କରିଥିଲା । ଯାହାକୁ ଦଳ ବିଭିନ୍ନ ସ୍ଥାନରେ କ୍ରିୟାଶୀଳ କରିବାରେ ଲାଗିଛି । ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀକୁ ବର୍ଜନ କରିବା ପାଇଁ ବିରୋଧୀ ଦଳର ନେତାମାନେ ଲୋକଙ୍କୁ ଆହ୍ବାନ ଦେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶାସକ ଦଳ ‘ଆଓ୍ବାମୀ ଲିଗ’ର ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହି ପ୍ରସଙ୍ଗରେ ବିରୋଧୀ ଦଳକୁ କଡା ସମାଲୋଚନା କରିଛନ୍ତି । ଭାରତରୁ ଆମଦାନୀ ହେଉଥିବା ଅନେକ ସାମଗ୍ରୀ ବାଂଲାଦେଶରେ ବ୍ୟବହୃତ ହେଉଛି । ବୟକଟ ନାରା ଦେଉଥିବା ବିରୋଧୀ ନେତାମାନେ ପ୍ରଥମେ ସେମାନଙ୍କ ପତ୍ନୀମାନଙ୍କ ଶାଢୀ ଜାଳନ୍ତୁ ବୋଲି ହସିନା କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି, ମସଲା, ପିଆଜ, ଅଦା, ରସୁଣ ପରି ସାମଗ୍ରୀ ମଧ୍ୟ ଭାରତରୁ ବାଂଲାଦେଶକୁ ଆମଦାନୀ ହେଉଛି । ଏହା ମଧ୍ୟ ସେମାନଙ୍କ ଘରେ ବ୍ୟବହାର ହେବା କଥା ନୁହେଁ ।