ହାଇଦ୍ରାବାଦ: ୟୁକ୍ରେନରେ ରହି ଯୁଦ୍ଧ ରିପୋର୍ଟିଂ କରୁଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ‘ରଏଟର୍ସ’ର ଟିମ ଆକ୍ରମଣର ଶିକାର ହୋଇଛି । ଏଥିରେ ଜଣେ ବ୍ରିଟିଶ ନାଗରିକ ସାମ୍ବାଦିକଙ୍କ ପ୍ରାଣହାନୀ ଘଟିଛି । ଅନ୍ୟ ଦୁଇ ସାମ୍ବାଦିକ ମଧ୍ୟ ଗୁରୁତର ହୋଇଛନ୍ତି । ଗତକାଲି ପୂର୍ବ-ୟୁକ୍ରେନରେ ଏହି ଆକ୍ରମଣ ଘଟିଛି । ଗଣମାଧ୍ୟମର ଏହି ଟିମ ଥିବା ହୋଟେଲରେ ମିସାଇଲ ମାଡ ହୋଇଥିଲା ।
- ମୃତକ ବ୍ରିଟିଶ ସାମ୍ବାଦିକ:-
ପ୍ରାଣ ହରାଇଥିବା ଗଣମାଧ୍ୟମ ପ୍ରତିନିଧି ହେଉଛନ୍ତି 38 ବର୍ଷୀୟ ବ୍ରିଟିଶ ନାଗରିକ ରୟାନ ଏଭାନ୍ସ । ସେ ‘ରଏଟର୍ସ’ ପାଇଁ ସୁରକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟ କରିଆସୁଥିଲେ । ଏହି ଟିମ୍ ଗତ କିଛି ଦିନ ହେବ ୟୁକ୍ରେନରେ ରହି ଯୁଦ୍ଧ ରିପୋର୍ଟିଂ କରୁଥିଲା । ଗତକାଲି ଗଣମାଧ୍ୟମର ଏହି ଟିମଟି ପୂର୍ବ-ୟୁକ୍ରେନର ଡୋନେକ୍ସ କ୍ଷେତ୍ରରେ ଏକ ହୋଟେଲରେ ଥିବା ବେଳେ ବିଲ୍ଡିଂ ଉପରେ ମିଶାଇଲ ଷ୍ଟ୍ରାଇକ ହୋଇଥିଲା । ଏଥିରେ ରୟାନ ଏଭାନ୍ସଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ସାଥୀ ସାମ୍ବାଦିକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଆକ୍ରମଣ ଋଷ ପକ୍ଷରୁ ହୋଇଥିବା ୟୁକ୍ରେନ ପକ୍ଷରୁ କୁହାଯାଉଥିଲେ ସୁଦ୍ଧା, ମସ୍କୋ ଏ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ରଖିନି ।
- ଅଢେଇ ବର୍ଷ ପରେ ମଧ୍ୟ ଶେଷ ହେଉନି ଋଷ-ୟୁକ୍ରେନ ଯୁଦ୍ଧ:-
2022 ରୁ ଆରମ୍ଭ ହୋଇଥିବା ଋଷ- ୟୁକ୍ରେନ ଯୁଦ୍ଧକୁ ପ୍ରାୟ ଅଢେଇ ବର୍ଷ ବିତିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଅର୍ଥବିରତି ଘୋଷଣା ହୋଇନି । ଋଷର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନର ଏକାଧିକ ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହେଲାଣି । ହେଲାଣି ଆମେରିକା ଓ ଅନ୍ୟ ପଶ୍ଚିମ ଦେଶସମୂହଙ୍କ ସହଯୋଗରେ ୟୁକ୍ରେନ ସେନା ମଧ୍ୟ ଋଷକୁ କଡା ଜବାବ ଦେବା ଜାରି ରଖିଛି । ଏଥିରେ ସେନା କର୍ମଚାରୀଙ୍କ ବ୍ୟତୀତ ବହୁ ସାଧାରଣ ଜନତା ଓ ଗଣମାଧ୍ୟମ କର୍ମୀ ମଧ୍ୟ ପ୍ରାଣ ହରାଇ ସାରିଲେଣି ।