ଓ୍ବାରସ: ଦୁଇଦିନିଆ ପୋଲାଣ୍ଡ ଗସ୍ତ କରି ପ୍ରବାସୀ ଭାରତୀୟଙ୍କୁ ଭେଟିବା ସହ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 45 ବର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀ ପୋଲାଣ୍ଡ ଗସ୍ତରେ ଆସିଛନ୍ତି । ସେଠାରେ ପହଞ୍ଚିବା ପରେ ଓ୍ବାରସ୍ଥିତ ହୋଟେଲରେ ପ୍ରବାସୀ ଭାରତୀୟ ମାନେ ମୋଦିଙ୍କୁ ସ୍ବାଗତ କରିଥିଲେ । ସେହି ସମୟରେ ଭାରତୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ହୋଇଥିଲା । ଆଜି ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟକ୍ସ ଏବଂ ରାଷ୍ଟ୍ରପତି ଆନ୍ଦ୍ରେ ସେବାଷ୍ଟିଆନଙ୍କୁ ଭେଟିବେ ମୋଦି । ଏହି ସମୟରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । 1979 ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ଶେଷ ଥର ପାଇଁ ପୋଲାଣ୍ଡ ଗସ୍ତ କରିଥିଲେ । ଆସନ୍ତାକାଲି ୟୁକ୍ରେନ ଗସ୍ତ କରିବାକୁ ଥିବା ବେଳେ ଏହା ପୂର୍ବରୁ ପୋଲାଣ୍ଡରେ ଶାନ୍ତିର ବାର୍ତ୍ତା ଦେଇଥିଲେ ମୋଦି ।
ଭାରତ ପୁରା ବିଶ୍ବର ବନ୍ଧୁ:
ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ,''ଆପଣ ସମସ୍ତେ ପୋଲାଣ୍ଡର ବିଭିନ୍ନ ସ୍ଥାନରୁ ଆସିଛନ୍ତି । ସମସ୍ତଙ୍କର ଅଲଗା ଅଲଗା ଭାଷା ଓ ଖାଦ୍ୟ ଅଭ୍ୟାସ ମଧ୍ୟ । କିନ୍ତୁ ଆପଣ ସମସ୍ତେ ଭାରତୀୟତାର ଭାବନା ସହିତ ଜଡିତ । ଆପଣ ମାନେ ମୋତେ ଏଠାରେ ଭବ୍ୟ ସ୍ବାଗତ କରିଛ । ଏହି ସ୍ୱାଗତ ପାଇଁ ମୁଁ ସମସ୍ତଙ୍କୁ ଓ ପୋଲାଣ୍ଡବାସୀଙ୍କୁ ଧନ୍ୟବାଦ ଜଣାଉଛି । ଦଶନ୍ଧି ଧରି ଭାରତର ନୀତି ସବୁ ଦେଶଠାରୁ ସମାନ ଦୂରତା ବଜାୟ ରଖିବା ଥିଲାବେଳେ ଆଜି କିନ୍ତୁ ଭାରତର ନୀତି ସବୁ ଦେଶର ନିକଟତର ହେବା। ଭାରତ ଆଜିର ଦିନରେ ସମସ୍ତଙ୍କ ସହ ଯୋଡି ହେବାକୁ ଚାହୁଁଛି, ସମସ୍ତଙ୍କ ବିକାଶ ବିଷୟରେ କହୁଛି, ଆଜିର ଭାରତ ସମସ୍ତଙ୍କ ସହ ଅଛି, ସମସ୍ତଙ୍କ କଲ୍ୟାଣ ବିଷୟରେ ଚିନ୍ତା କରୁଛି । ଆମେ ଗର୍ବିତ ଯେ ଆଜି ବିଶ୍ୱ ଭାରତକୁ ବିଶ୍ବ ବନ୍ଧୁ ଭାବେ ସମ୍ମାନ ଜଣାଉଛି । ''
ଭାରତୀୟଙ୍କ ପାଇଁ ପୁରା ବିଶ୍ବରେ ଭାରତର ପରିଚିତ: ମୋଦି କହିଥିଲେ, ''ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ, ପୋଲାଣ୍ଡ ଅସୁବିଧାରେ ବୁ଼ଡିକି ରହିଥିଲା, ପୋଲାଣ୍ଡର ହଜାର ହଜାର ମହିଳା ଏବଂ ଶିଶୁ ଆଶ୍ରୟ ନେବାକୁ ବୁଲୁଥିଲେ । ସେହି ସମୟରେ ଜାମ ସାହାବ, ଦିଗବିଜୟ ସିଂ, ରଣଜିତ ସିଂ, ଜାଡେଜା ଜୀ ଆଗକୁ ଆସିଥିଲେ। ସେମାନେ ମହିଳା ଏବଂ ଶିଶୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କ୍ୟାମ୍ପ ନିର୍ମାଣ କରିଥିଲେ । ସେହି କ୍ୟାମ୍ପରେ ମହିଳା ଏବଂ ପିଲାମାନଙ୍କୁ କହିଥିଲେ ଯେ ଯେପରି ଜାମନଗରର ଲୋକମାନେ ମୋତେ ବାପୁ ବୋଲି ଡାକନ୍ତି, ମୁଁ ମଧ୍ୟ ତୁମର ବାପୁ।ଏକବିଂଶ ଶତାବ୍ଦୀର ଭାରତ ଏହାର ଐତିହ୍ୟ ପାଇଁ ଗର୍ବିତ ଥିବାବେଳେ ବିକାଶ ପଥରେ ଆଗକୁ ବଢୁଛି । ଆଜି ପୁରା ବିଶ୍ବରେ ଭାରତ ସେହି ମାନଙ୍କ ପାଇଁ ଜଣାଶୁଣା ଯେଉଁ ଭାରତୀୟ ମାନେ ପୁରା ବିଶ୍ବରେ ନିଜକୁ ପରିଚିତ କରାଇଛନ୍ତି । ''