ହାଇଦ୍ରାବାଦ:ବହୁଚର୍ଚ୍ଚିତତୋଶଖାନା ଘୋଟାଲା ମାମଲାରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ପତ୍ନୀ ବୁଶରା ବିବିଙ୍କୁ ବଡ ଆଶ୍ବସ୍ତି ମିଳିଛି । ପୂର୍ବରୁ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ମିଳିଥିବା ଦଣ୍ଡାଦେଶ ଉପରେ ଇସଲାମାବାଦ ହାଇକୋର୍ଟ ଆଜି ସ୍ଥଗିତାଦେଶ ଜାରି କରିଛନ୍ତି । ପୂର୍ବରୁ ଏହି ମାମଲାରେ ଉଭୟ ଇମ୍ରାନ ଦମ୍ପତି ଦୋଷୀ ସାବ୍ୟସ୍ତ ହେବା ସହ 14ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶରେ ଦଣ୍ଡିତ ହୋଇଥିଲେ । ଆଜି ହାଇକୋର୍ଟ ସ୍ଥଗିତାଦେଶ ଜାରି କରିବା ସହ ‘ଇଦ’ ପରେ ମାମଲାର ଚୂଡାନ୍ତ ଶୁଣାଣି କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି ।
କ୍ଷମତାରୁ ହଟିବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଯାଇ ମାମଲା ଦାଏର କରାଯାଇଥିଲା । ପାକିସ୍ତାନ ଆକାଉଣ୍ଟବିଲିଟି କୋର୍ଟ ଇମ୍ରାନ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 14ବର୍ଷ ଜେଲ ଦଣ୍ଡାରେ ଦଣ୍ଡିତ କରିଥିଲେ । ଫେବୃଆରୀରେ ଇମ୍ରାନ ଏହି ଦଣ୍ଡାଦେଶ ବିରୋଧରେ ଇସଲାମାବାଦ ହାଇକୋର୍ଟରେ ଆବେଦନ କରିଥିଲେ । ଦଣ୍ଡାଦେଶ ଖାରଜ କରିବା ପାଇଁ ଆବେଦନରେ ଦର୍ଶାଇଥିଲେ ଇମ୍ରାନ । ଆଜି ଇମ୍ରାନ ଦମ୍ପତିଙ୍କୁ ଆଶ୍ବସ୍ତି ମିଳିଥିଲେ ସୁଦ୍ଧା ଚୂଡାନ୍ତ ଶୁଣାଣିକୁ ଅପେକ୍ଷା କରିବାକୁ ହେବ । ତେବେ ଯଦି ଏହି ମାମଲାରେ ସେ ଦୋଷମୁକ୍ତ ହୁଅନ୍ତି, ତଥାପି ଜେଲରୁ ମୁକ୍ତ ହେବା ପ୍ରକ୍ରିୟା ଏତେ ସହଜ ହେବନାହିଁ । କାରଣ ସେ ଏହି ମାମଲା ବ୍ୟତୀତ ଇମ୍ରାନ ଏକାଧିକ ମାମଲାରେ ମଧ୍ୟ ଛନ୍ଦି ହୋଇଛନ୍ତି ।