ତେହେରାନ:ଇରାନରେ ମସୁଦ ରାଜ୍ । ରାଷ୍ଟ୍ରପତି ରନ୍-ଅଫ ନିର୍ବାଚନରେ କନଜର୍ଭେଟିକ ନେତା ସଇଦି ଜଲିଲିଙ୍କୁ ହରାଇ ଇରାନର ନୂତନ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ମସୁଦ ପେଜେଶକିୟନ । ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହୋଇଥିବା ବେଳେ ଆଜି (ଶନିବାର) ଭୋଟ ଗଣତି ହୋଇଛି । ଜଲିଲିଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି ମସୁଦ । ଦେଶର ନବମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ମସୁଦ ପେଜେଶକିୟନ ଇରାନର ଜଣେ ଜଣାଶୁଣା ହାର୍ଟ ସର୍ଜନ । ୨୦୦୮ରୁ ସେ ପାର୍ଲିଆମେଣ୍ଟର ମେମ୍ବର ରହିଆସିଛନ୍ତି ।
Mosoud Pezeshkian New President Of Iran (ETV Bharat Odisha) ଇରାନ 1979ରେ ଇସଲାମିକ ବିପ୍ଳବ ପରେ ଦ୍ୱିତୀୟ ଥର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ମେ ୧୯ ତାରିଖରେ ହେଲିକାପ୍ଟର ଦୁର୍ଘଟଣାରେ ରାଷ୍ଟ୍ରପତି ଇବ୍ରାହିମ ରଇିସିଙ୍କ ମୃତ୍ୟୁ ପରେ ଦେଶ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନର ସାମ୍ନା କରିଛି । ଜୁନ ୨୮ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟର ନିର୍ବାଚନରେ ଇରାନ ନିର୍ବାଚନ ଆଇନ ଅନୁଯାୟୀ କୌଣସି ପ୍ରାର୍ଥୀ ସଂଖ୍ୟା ଗରିଷ୍ଠତା ଅର୍ଥାତ୍ ୫୦ ପ୍ରତିଶତ ଭୋଟ ହାସଲ କରିନଥିବା ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା । ଯେଉଁଥିରେ ଜଲିଲିଙ୍କୁ ହରାଇ ମସୁଦ ପେଜେଶକିୟନ ଆଗରେ ରହିଛନ୍ତି । ଏହି ରେସରେ ୪ଜଣ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ରିଫମିଷ୍ଟ ନେତା ପେଜଶକିୟନଙ୍କୁ ୪୨.୫ ପ୍ରତିଶତ, କନର୍ଜଭେଟିଭ ସଇଦ ଜଲିଲିଙ୍କୁ ୩୮.୬ ପ୍ରତିଶତ ଭୋଟ ମିଳିଥିଲା । ଯେଉଁଥିପାଇଁ ଉଭୟ ନେତାଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ରନ-ଅଫ ନିର୍ବାଚନର ସାମ୍ନା କରିବାକୁ ପଡିଥିଲା । ତେବେ ମସୁଦ ଜଣେ ଭାରତ ସମର୍ଥକ ଏବଂ ପାକିସ୍ତାନ ବିରୋଧୀ ରିଫର୍ମିଷ୍ଟ ନେତା ଭାବେ ଜଣାଶୁଣା ।
ଏହାମଧ୍ୟ ପଢନ୍ତୁ.. ଇରାନ ରାଷ୍ଟ୍ରପତି ନିର୍ବାଚନ: ରନ ଅଫରେ କିଏ ମାରିବ ବାଜି, ସଇଦ-ମସୁଦ ମଧ୍ୟରେ କାହାର ପଲ୍ଲା ଭାରି ? - Iran President Election 2024
ଇରାନ ଆଭ୍ୟନ୍ତରୀଣ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟରେ ୩୦ ମିଲିୟନ ମତଦାତା ମତସାବ୍ୟସ୍ତ କରିଥିବା ବେଳେ ସେଥିମଧ୍ୟରୁ ପାଖାପାଖି ୧୬.୩ ମିଲିୟନ ଭୋଟର ମସୁଦଙ୍କୁ ସମର୍ଥନ କରିଥିବା ବେଳେ ବେଳେ ୧୩.୫ ମିଲିୟନ ଭୋଟ ଯାଇଛି ଜଲିଲିଙ୍କ ସମର୍ଥନରେ । ତେବେ ମସୁଦ ୫୩.୭ ପ୍ରତିଶତ ଭୋଟ ପାଇଥିବା ବେଳେ ଜଲିଲି ୪୪.୩ ପ୍ରତିଶତ ଭୋଟ ପାଇଛନ୍ତି ।
ମସୁଦ ପେଜେଶକିୟନଙ୍କ ରାଜନୈତିକ କ୍ୟାରିଅର:
- ୬୯ ବର୍ଷୀୟ ମସୁଦ ପେଜେଶକିୟନ ଇରାନର ଜଣେ ଜଣାଶୁଣା ହାର୍ଟ ସର୍ଜନ ।
- ୨୦୦୮ରୁ ସେ ପାର୍ଲିଆମେଣ୍ଟର ମେମ୍ବର ରହିଆସିଛନ୍ତି ।
- ଏହା ବ୍ୟତୀତ ସେ ସ୍ୱାସ୍ଥ୍ୟ ସହ ଜଡିତ ଅଧିକାଂଶ ସରକାରୀ ପଦବୀରେ କାର୍ଯ୍ୟ କରିଛନ୍ତି ।
- ରାଷ୍ଟ୍ରପତି ମହମ୍ମଦ ଖତାମିଙ୍କ ସମୟରେ ସେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ଉପବାଚସ୍ପତି ଦାୟିତ୍ୱରେ ରହିଥିଲେ ।
- ୨୦୦୦ ମସିହା ପୂର୍ବରୁ ସେ ସ୍ୱାସ୍ଥ୍ୟମନ୍ତ୍ରୀ ରହିବା ସହ ଇରାନ ପାର୍ଲିଆମେଣ୍ଟର ସ୍ୱାସ୍ଥ୍ୟ କମିଶନରେ ଦୀର୍ଘ ଦିନ ଧରି ସଦସ୍ୟ ରହିଆସିଥିଲେ ।
- ୨୦୧୩ ଓ ୨୦୨୧ରେ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଚେଷ୍ଟା କରିଥିଲେ ହେଲେ ଗାର୍ଡିଅନ କାଉନସିଲ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲା ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଇରାନ ଇତିହାସର ସବୁଠୁ କମ ଭୋଟିଂ ଦେଖିଥିଲା । ଏହି ପର୍ଯ୍ୟାୟରେ କେବଳ 39.9% ମତଦାତା ନିଜର ମତସାବ୍ୟସ୍ତ କରିଥିଲେ । 24.5 ମିଲିୟନ ଜଣ ଭୋଟ ଦେଇଥିବା ବେଳେ 1 ମିଲିୟନରୁ ଅଧିକ ଭୋଟକୁ ପଛରେ ଖାରଜ କରାଯାଇଛି । ତେବେ ଇରାନ ଜନତା ରାଷ୍ଟ୍ରପତି ରେସରେ ଥିବା ପ୍ରତିନ୍ଦ୍ୱନ୍ଦୀମାନଙ୍କୁ ପସନ୍ଦ କରୁନଥିବା ଏହି ଭୋଟିଂ ପ୍ରତିଶତରୁ ଅନୁମାନ କରାଯାଉଥିଲା। ଇସଲାମିସ ବିପ୍ଳବ ୧୯୭୯ ପରଠୁ ଏହା ସବୁଠୁ କମ ପ୍ରତିଶତ ଭୋଟ ରହିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ