ଓଡିଶା

odisha

ETV Bharat / international

ପଛରେ ପଡିଲା ମାକ୍ରୋନଙ୍କ ମେଣ୍ଟ: ଫ୍ରାନ୍ସରେ ହିଂସା, ପ୍ରଭାବିତ ହେବ କି ଅଲମ୍ପିକ୍ସ ? - French politics

France election result: ନିର୍ବାଚନୀ ଫଳାଫଳରେ ମାକ୍ରୋନଙ୍କ ମେଣ୍ଟକୁ ଦ୍ବିତୀୟ ସ୍ଥାନକୁ ଠେଲିଦେଲା ବାମ ମେଣ୍ଟ । ରାଜନୈତିକ ଅସ୍ଥିରତା ଓ ଦେଶବ୍ୟାପୀ ହିଂସା । ମାକ୍ରୋନଙ୍କୁ ନେଇ ସସପେନ୍ସ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jul 8, 2024, 5:26 PM IST

ଫ୍ରାନ୍ସ ନିର୍ବାଚନରେ ବାମମେଣ୍ଟକୁ ଅଧିକ ଆସନ
ଫ୍ରାନ୍ସ ନିର୍ବାଚନରେ ବାମମେଣ୍ଟକୁ ଅଧିକ ଆସନ (ETV Bharat Odisha)

ହାଇଦ୍ରାବାଦ:ସଂସଦୀୟ ନିର୍ବାଚନ ଫଳାଫଳ ଆସିବା ପରେ ଫ୍ରାନ୍ସରେ ରାଜନୈତିକ ଅସ୍ଥିରତା ଓ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏହି ଜନାଦେଶରେ କେଉଁ ଦଳ କିମ୍ବା ମେଣ୍ଟ ସ୍ପଷ୍ଟ ବହୁମତ ହାସଲ କରିପାରି ନଥିବାରୁ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି । ବାମମେଣ୍ଟ ଅଧିକ ଆସନରେ ବିଜୟୀ ଶାସକ ମେଣ୍ଟକୁ ପଛରେ ପକାଇଛି । ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ନେତୃତ୍ବାଧୀନ କେନ୍ଦ୍ର-ମେଣ୍ଟ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟ ମତଦାନରେ ପ୍ରଥମ ସ୍ଥାନରେ ରହିଥିବା ଦକ୍ଷିଣପନ୍ଥୀ ମେଣ୍ଟ ତୃତୀୟ ସ୍ଥାନକୁ ଖସିଛି । ଏପରି ସମୟରେ ମାକ୍ରୋନଙ୍କ ରାଷ୍ଟ୍ରପତି ପଦ ବଜାୟ ରହିବା ନେଇ ଦ୍ବନ୍ଦ୍ବ ଦେଖିବାକୁ ମିଳିଛି । ମାତ୍ର ମାକ୍ରୋନଙ୍କ ଇସ୍ତଫା ସମ୍ପର୍କରେ ରାଷ୍ଟ୍ରପତି ଭବନରୁ କୌଣସି ସ୍ପଷ୍ଟତା ଆସିନି । ଫଳରେ ଦେଶରେ ନିର୍ବାଚନୀ ପରବର୍ତ୍ତୀ ଅଚଳାବସ୍ଥା ଦେଖିବାକୁ ମିଳିଛି ।

ଫ୍ରାନ୍ସ ନିର୍ବାଚନରେ ବାମମେଣ୍ଟକୁ ଅଧିକ ଆସନ (ETV Bharat Odisha)

ଫ୍ରାନ୍ସର ସଂଖ୍ୟା ଗଣିତ ଓ ଚଳିତ ନିର୍ବାଚନ ଫଳାଫଳ:-

ଫ୍ରାନ୍ସ ସର୍ବୋଚ୍ଚ ବ୍ୟବସ୍ଥାପିକା (ନ୍ୟାସନାଲ ଆସେମବ୍ଲି)ର ନିମ୍ନସଦନରେ 577 ଆସନ ଥିବା ବେଳେ ସରକାର ଗଠନ ପାଇଁ ବହୁମତ ସଂଖ୍ୟା ରହିଛି 289 । ତିନି ପ୍ରମୁଖ ମେଣ୍ଟ ମଧ୍ୟରୁ ଚଳିତ ନିର୍ବାଚନରେ କେହି ସଂଖ୍ୟା ବହୁମତ ହାସଲ କରିପାରି ନାହାନ୍ତି । ହେଲେ ବାମମେଣ୍ଟ ସବୁଠୁ ବଡ ମେଣ୍ଟ ଭାବେ 182 ଆସନରେ ବିଜୟୀ ହୋଇଛି । ଅନ୍ୟପଟେ ମାକ୍ରୋନଙ୍କ ଶାସକ ମେଣ୍ଟକୁ 168 ଆସନ ମିଳିଥିବା ବେଳେ ଦକ୍ଷିଣପନ୍ଥୀ ମେଣ୍ଟ 143 ଆସନ ସହ ତୃତୀୟ ସ୍ଥାନରେ ରହିଛି ।

ନିର୍ବାଚନ ଫଳାଫଳ ପରେ ବିଭିନ୍ନ ସ୍ଥାନରେ ହିଂସା (ETV Bharat Odisha)

କଣ ହେବ ମାକ୍ରୋନଙ୍କ ଭାଗ୍ୟ:

ଚଳିତମାସ (ଜୁଲାଇ) 18 ତାରିଖରୁ ଜାତୀୟ ବ୍ୟବସ୍ଥାପିକାର ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏବେ ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହୋଇନି । ମାକ୍ରେନ ରାଷ୍ଟ୍ରପତି ପଦ ବଜାୟ ରଖିବେ,କି ଇସ୍ତଫା ଦେବେ ସେ ସମ୍ପର୍କରେ ତାଙ୍କ ମେଣ୍ଟ କିଛି ସ୍ପଷ୍ଟ କରିନି । ଅଧିକ ଆସନ ପାଇଥିବା ବାମମେଣ୍ଟ ସରକାର ଗଠନ ପାଇଁ ମାକ୍ରୋନଙ୍କ ମେଣ୍ଟର ସମର୍ଥନ ଲୋଡିପାରେ । ଏପରି ହେଲେ ମାକ୍ରୋନଙ୍କୁ ପଦ ଛାଡିବାକୁ ହେବ ।

ଫ୍ରାନ୍ସରେ ଗତମାସ (ଜୁନ) 30 ତାରିଖରେ ପ୍ରଥମ ପର୍ଯ୍ୟାୟ ଓ ଗତକାଲି (7 ତାରିଖ)ରେ ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ଶେଷ ହେବା ପରେ ଗତକାଲି ରାତିରେ ନିର୍ବାଚନୀ ଫଳାଫଳ ଆସିଛି । ରାଜନୈତିକ ଅସ୍ଥିରତା କାରଣରୁ ରାଜଧାନୀ ପ୍ୟାରିସ ସମେତ ବିଭିନ୍ନ ସହରରେ ହିଂସା ଦେଖିବାକୁ ମିଳିଛି । ପରସ୍ପର ଉପରେ ବିରୋଧୀ ଦଳର କର୍ମୀମାନେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । କିଛି ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି । ହିଂସା ଓ ପୋଲିସ କାର୍ଯ୍ୟାନୁଷ୍ଠାନରେ ବହୁ ଲୋକେ ଆହତ ହେବାର ମଧ୍ୟ ସୂଚନା ରହିଛି । ଦେଶବ୍ୟାପୀ ପୋଲିସ ଓ ସଶସ୍ତ୍ର ଫୋର୍ସ ମୁତୟନ ହୋଇଛନ୍ତି ।

ପ୍ରଭାବିତ ହୋଇପାରେ ଅଲମ୍ପିକ୍ସ !

ଚଳିତଥର କ୍ରୀଡା ମହାକୁମ୍ଭ ‘ଅଲମ୍ପିକ୍ସ-2024’ ଆୟୋଜନ ଭାର ଫ୍ରାନ୍ସ ଗ୍ରହଣ କରିଛି । ରାଜଧାନୀ ପ୍ୟାରିସରେ 26 ଜୁଲାଇରୁ 11 ଅଗଷ୍ଟ ପର୍ଯ୍ୟନ୍ତ ଅଲମ୍ପିକ୍ସ ହେବାକୁ ଥିବା ବେଳେ ବିଶ୍ବବ୍ୟାପୀ ଆଥଲେଟ୍ସ ଓ ଅତିଥିମାନେ ପ୍ୟାରିସରେ ପହଞ୍ଚିବେ । ଏବେ ସରକାର ଗଠନ ନେଇ ସସପେନ୍ସ ଓ ହିଂସା ସ୍ଥିତି ମଧ୍ୟରେ ‘ଅଲମ୍ପିକ୍ସ’ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଦେଖାଯାଇଛି । ହେଲେ ସ୍ଥାନୀୟ ସରକାର ଏହା ପ୍ରଭାବିତ ହେବନାହିଁ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details