କଟକ: କମିଶନରେଟ ପୋଲିସ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ଭସାଣି କେଁ । ଶବ୍ଦ ପ୍ରଦୂଷଣ ନେଇ ପାରମ୍ପାରିକ ବାଜା ଓ ସାଉଣ୍ଡକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କଡାକଡି ଭାବରେ ପାଳନ କରିବ କମିଶନରେଟ ପୋଲିସ । ଯେଉଁ ପୂଜା କମିଟି ନିୟମ ଉଲ୍ଲଘଂନ କରିବେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନେଇ ସ୍ପଷ୍ଟ କରିଛନ୍ତି କଟକ ଡିସିପି । ଅନ୍ୟପଟେ ପାରମ୍ପରିକ ବାଜାକୁ ନେଇ ଧାର୍ଯ୍ୟ କରିଥିବା ସମୟ ଅବଧି ନେଇ ଅସନ୍ତୋଷ ଜାହିର କଲା ପୂଜା କମିଟି ଓ ଶାନ୍ତି କମିଟି ।
ଦୁର୍ଗା ପୂଜା ଭସାଣିରେ ଉଚ୍ଚ ଶବ୍ଦକୁ ନା:
ଦୁର୍ଗା ପୂଜା ଭସାଣି ନେଇ ତେଜୁଛି ସାଉଣ୍ଡ ବିବାଦ । ମେଲାଣି ସମୟରେ ବାଜି ପାରିବନି ୬୫ ଡେସିବିଲରୁ ଅଧିକ ସାଉଣ୍ଡ । ସେ ପାରମ୍ପରିକ ହେଉ କିମ୍ବା ଇଲକ୍ଟ୍ରୋନିକ ସାଉଣ୍ଡ ସିଷ୍ଟମ । କାହାକୁ କରାଯିବନି ବରଦାସ୍ତ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କରାଯିବ କଡାକଡି ଭାବରେ ପାଳନ । ୬୫ ଡେସିବିଲଠୁ ଅଧିକ ସାଉଣ୍ଡର ବ୍ୟବହାର ରୋକ ଲାଗିବା ପରେ ଆଜି ଅନୁଷ୍ଠିତ ପୂଜା ପ୍ରସ୍ତୁତି ବୈଠକରେ ପରୋକ୍ଷରେ ଆକ୍ସନ ମୁଡକୁ ଆସିଛି କମିଶନରେଟ ପୋଲିସ । ଏପିରିକି ଉର୍ଦ୍ଧ୍ବ ଶବ୍ଦ ହେଲେ ଜବତ ହେବ ବାଦ୍ୟଯନ୍ତ୍ର ।
କଟକରେ ବାଜିବନି ପାରମ୍ପରିକ ବାଜା :
ମେଲାଣି ସମୟରେ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ପାରମ୍ପରିକ ବାଜା ବି ବନ୍ଦ ରହିବ । ରାତି 12ଟା ପରେ ଦୁଲଦୁଲି ଓ ତାଳମୂଳି ବାଜା ବାଜିବ ନାହିଁ । କୋଡ଼ିଏ ଲୋକଙ୍କ ପାଇଁ କୋଡିଏ ହଜାର ଲୋକଙ୍କ ସ୍ୱାସ୍ଥ୍ୟକୁ ବଳି ଦିଆଯିବ ନାହିଁ । ଆବଶ୍ୟକ ପଡ଼ିଲେ ଖିଲାପକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏପରିକି ଲାଇସେନ୍ସ ରଦ୍ଦ ସହ ଗିରଫଦାରୀ ମଧ୍ୟ ହେବ ବୋଲି ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ସ୍ପଷ୍ଟ କରିଛନ୍ତି କଟକ ଡିସିପି ଜଗମୋହନ ମିନା । ବୈଠକରେ ଭସାଣି ସମୟରେ ଡିଜେ ବ୍ୟାନ ନିଷ୍ପତ୍ତିକୁ ସ୍ବାଗତ କଲେ ପୂଜା କମିଟି । ଶବ୍ଦ ପ୍ରଦୂଷଣ ଏକ ବଡ ସମସ୍ୟା ବୋଲି କହିଲେ ମହାନଗର ପୂଜା କମିଟି ଓ ଶାନ୍ତି କମିଟି । ରାତି ୧୦ ଟା ପର୍ଯ୍ୟନ୍ତ ମାଇକ ବକ୍ସ ବଜାଇବା ପାଇଁ ନିୟମ ରହିଥିବାବେଳେ, ଏହାକୁ ରାତି ୧୨ ଟା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି ରଖିଲେ ପୂଜା କମିଟି ।
ଅସନ୍ତୋଷ ଝାଡ଼ିଲେ ପୂଜା କମିଟି:
ମେଲାଣି ସମୟରେ ପାରମ୍ପରିକ ବାଦ୍ୟ ଉପରେ ୬୫ ଡେସିବିଲ ଅବଧି ରଖିବା ଉପରେ ଅସନ୍ତୋଷ ଜାହିର କରିଛି ମହାନଗର ପୂଜା କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟି । ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ କହିଛନ୍ତି," କେଉଁ କାଳରୁ ମାଆଙ୍କ ପୂଜାରେ ପାରମ୍ପରିକ ବାଜା ବାଜି ଆସୁଛି । ଡିଜେ ମୁକ୍ତ ଭସାଣି ଠିକ ହେଲେ ପାରମ୍ପାରିକ ବାଦ୍ୟ ଉପରେ ନିୟମ କାନୁନ କରିବା ଠିକ ନୁହେଁ । କାହିଁକି ନା ଯେତେବେଳ ଜଣେ ମୃତ୍ୟୁବରଣ କରୁଛି ତାଙ୍କର ଶୋଭାଯାତ୍ରା ସମୟରେ ୬୫ ଡେସିବିଲରୁ ଅଧିକ ସାଉଣ୍ଡ ରହୁଛି । ହେଲେ ମାଆ ଜଗତଜନନୀଙ୍କ ମେଲାଣି ସମୟରେ ପାରମ୍ପରିକ ବାଦ୍ୟ ଉପରେ ନିୟମ ଲାଗୁ କରିବା ଠିକ ନୁହେଁ । ଏହି ଦିଗରେ କମିଶନରେଟ ପୋଲିସ ବିଶେଷ ଧ୍ୟାନ ଦେବା ଆବଶ୍ୟକ ।"
ଇଟିଭି ଭାରତ, କଟକ