ବ୍ରାସିଲିଆ:ବ୍ରାଜିଲର ଉତ୍ତରପୂର୍ବ ଉପକୂଳରୁ ରହସ୍ୟମୟୀ ମୃତଦେହ ଭରା ଡଙ୍ଗା ଉଦ୍ଧାର ହୋଇଛି । ଡଙ୍ଗାଟି ଭାସି ଭାସି ଆସି କୂଳରେ ଲାଗିଥିବା ବେଳେ ଏଥିରେ ପାଖାପାଖି 20ଟି ଗଳିତ ମୃତଦେହ ଥିବା ଜଣାପଡିଛି । ଅନ୍ୟପଟେ ଏହି ଡଙ୍ଗା କେଉଁଠୁ ଆସିଲା କିମ୍ବା କିପରି ଆସିଲା ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ତେବେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ୱାରା ଏହି ଡଙ୍ଗା ଉଦ୍ଧାର ହୋଇଥିବା ବେଳ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଏହାପୂର୍ବରୁ 2021 ମସିହାରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଲିଥିଲା ।
ସୂଚନା ଅନୁଯାୟୀ, ବ୍ରାଜିଲର ଆଟର୍ଣ୍ଣି ଜେନେରାଲ କାର୍ଯ୍ୟାଳୟରୁ ଏହି ରହସ୍ୟମୟୀ ଡଙ୍ଗା ସମ୍ପର୍କରେ ବୟାନ ଜାରି କରାଯାଇଛି । ଆଟର୍ଣ୍ଣି ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ଡଙ୍ଗା ସମ୍ବନ୍ଧରେ ସୂଚନା ମିଳିଛି । ତେବେ ଘଟଣାସ୍ଥଳରେ ଫରେନ୍ସିକ ଟିମ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି । ବୋଟରେ 20ଟି ମୃତଦେହ ଥିବା ଅନୁମାନ କରାଯାଉଛି । ତେବେ ଏହି ଡଙ୍ଗା କେଉଁଠୁ ଆସିଲା ସେନେଇ ଏବେସୁଦ୍ଧା ଜଣାପଡିନାହିଁ । ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି ।
ଡଙ୍ଗାଟି ଦେଶର ଉପକୂଳବର୍ତ୍ତୀ ରାଜ୍ୟ ପାରାର ରାଜଧାନୀ ବେଲେମଠାରୁ ପାଖାପାଖି 300 କିଲୋମିଟର (185 ମାଇଲ୍ସ) ଦୂରରୁ ଉଦ୍ଧାର ହୋଇଛି ।