ହାଇଦ୍ରାବାଦ:ନିଦ୍ରା ସ୍ବାସ୍ଥ୍ୟ ପକ୍ଷେ ବେଶ ଉପଯୋଗୀ ଏହା ସମସ୍ତେ ଜାଣନ୍ତି । କିନ୍ତୁ ଦିନକୁ ଦିନ ନିଦ୍ରା ସମସ୍ୟା ଗମ୍ଭୀର ହେବାରେ ଲାଗିଛି । ଏକ ତଥ୍ୟ ଅନୁସାରେ, ଆମେରିକାରେ ପ୍ରାୟ 50ରୁ 70 ମିଲିୟନ ଲୋକ ନିଦ୍ରା ସମସ୍ୟା ଦେଇ ଗତି କରୁଥିବା ବେଳେ ଭାରତରେ ଏହି ସଂଖ୍ୟା 10.4 କୋଟି ରହିଛି ।
ରାତି 8ରୁ 10 ମଧ୍ୟରେ ଶୋଇବାକୁ ଏକ ଭଲ ଅଭ୍ୟାସ ଭାବରେ ବିବେଚନା କରାଯାଏ । ଠିକ୍ ସମୟରେ ପର୍ଯ୍ୟାପ୍ତ ଶୋଇବା ଏକ ସୁସ୍ଥ ଜୀବନଶୈଳୀକୁ ବଜାୟ ରଖିବାରେ ସାହାଯ୍ୟ କରେ । ଏହି କ୍ରମରେ ବିଳମ୍ବିତ ରାତିରେ ଶୋଇବା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଏ । 7 ଘଣ୍ଟା ଶୋଇବା ମଧ୍ୟମ ଏବଂ ତଦୁର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଉପଯୁକ୍ତ । ଛୋଟ ଛୁଆମାନେ 11ରୁ 14 ଘଣ୍ଟା ଶୋଇବା ଉଚିତ ।
ସାରା ବିଶ୍ବରେ କରାଯାଇଥିବା ଗବେଷଣାରେ ଏହା ଉଲ୍ଲେଖ କରାଯାଇଛି ଯେ, ନିଦ୍ରାର ଅଭାବ ଏବଂ ନିଦ ସମ୍ବନ୍ଧୀୟ ବ୍ୟାଧି ମାନବ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ । ଯାହାକି ଅନେକ ସମୟରେ ଗମ୍ଭୀର ସମସ୍ୟାର କାରଣ ହୋଇଥାଏ । ତେବେ ସ୍ବାସ୍ଥ୍ୟ ବିଭାଗର ଆକଳନ ଅନୁସାରେ, ଗତ 3 ବର୍ଷ ମଧ୍ୟରେ ନିଦ୍ରାହୀନତା ଏବଂ ସ୍ଲିପ ଆପ୍ନିଆ ଭଳି ନିଦ୍ରା ସମନ୍ଧୀୟ ରୋଗରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଲୋକଙ୍କୁ ସଚେତନ କରାଇବା ଏବଂ ସ୍ବାସ୍ଥ୍ୟ ପ୍ରତି ନିଦର ଆବଶ୍ୟକତା ବାବଦରେ ଜଣାଇବା ଉଦ୍ଦେଶ୍ୟରେ "ବିଶ୍ୱ ନିଦ୍ରା ଦିବସ" ୱାର୍ଲ୍ଡ ସ୍ଲିପ୍ ଡେ' ଆୟୋଜନ କରାଯାଉଛି । ପ୍ରତିବର୍ଷ ଏକ ଥିମ ନେଇ ବିଶ୍ବ ନିଦ୍ରା ଦିବସ ପାଳନ କରାଯାଇଥାଏ । ଏହି ପରୀପ୍ରେକ୍ଷୀରେ ଚଳିତ ବର୍ଷର ଥିମ ରହିଛି ବୈଶ୍ବିକ ସ୍ବାସ୍ଥ୍ୟ ପାଇଁ ନିଦର ସମାନତା ।
କିଛି ବର୍ଷ ପୂର୍ବେ ନିଦ୍ରା ସମସ୍ୟା ବୃଦ୍ଧଙ୍କ ସମସ୍ୟା ବୋଲି ବିବେଚନା କରାଯାଉଥିଲା । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ, ଛୋଟ ପିଲା ଏବଂ ଯୁବକମାନଙ୍କ ମଧ୍ୟରେ ନିଦ୍ରା ସମ୍ବନ୍ଧୀୟ ସମସ୍ୟା ଦେଖାଯାଉଛି । ଏକ ଅଧ୍ୟୟନ ଅନୁଯାୟୀ, ବିଶ୍ବରେ ପ୍ରାୟ 30 ପ୍ରତିଶତ ଲୋକ ନିଦ୍ରା ସମସ୍ୟା ଦେଇ ଗତି କରୁଛନ୍ତି । ଆମେରିକାର ସ୍ଲିପ ଆସୋସିଏସନର ତଥ୍ୟ ଅନୁସାରେ, 25 ମିଲିୟନରୁ ଅଧିକ ଲୋକ ସ୍ଲିପ ଆପ୍ନିଆରେ ପୀଡିତ । ତେବେ ଭାରତରେ ପ୍ରାୟ 10.4 କୋଟିରୁ ଅଧିକ ଲୋକ ନିଦ୍ରା ସମସ୍ୟା ଦେଇ ଗତି କରୁଥିବା ନେଇ ଗତ ବର୍ଷ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ପକ୍ଷରୁ କୁହାଯାଇଥିଲା ।