ହାଇଦ୍ରାବାଦ:ଖରାପ ଜୀବନଶୈଳୀ ଓ ଅସ୍ବାସ୍ଥ୍ୟକର ଖାଦ୍ୟ ଯୋଗୁଁଆଜିକାଲି ଲକ୍ଷ ଲକ୍ଷ ଲୋକ କୋଲେଷ୍ଟ୍ରଲ ସମସ୍ୟାରେ ପୀଡିତ । ଶରୀରରେ କୋଲେଷ୍ଟ୍ରଲ (Cholesterol) ବଢି ଚାଲିଥିଲେ ବି ଏହାର କୌଣସି ଲକ୍ଷଣ ନଜର ଆସିନଥାଏ । କିନ୍ତୁ କୋଲେଷ୍ଟ୍ରଲ ବଢିବା କାରଣରୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ଏମିତିକି ଜୀବନ ପ୍ରତି ବିପଦ ସୃଷ୍ଟି ହୁଏ । କୋଲେଷ୍ଟ୍ରଲ ବୃଦ୍ଧି ହେଲେ ହାର୍ଟଆଟାକ୍, ବ୍ରେନଷ୍ଟ୍ରୋକ ସହ କ୍ୟାନ୍ସର ମଧ୍ୟ ହେବାର ଆଶଙ୍କା ରହିଥାଏ । ତେଣୁ କେମିତି କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିବେ ? କ'ଣ ଖାଇବେ ଓ କେଉଁ ଖାଦ୍ୟରୁ ଦୂରେଇ ରହିବେ ? କିପରି ଜୀବନଶୈଳୀରେ ପରିବର୍ତ୍ତନ ଆଣିବେ ସେନେଇ ସୂଚନା ଦେଇଛନ୍ତି ହୃଦରୋଗ ବିଶେଷଜ୍ଞ ଦିବ୍ୟ ରଞ୍ଜନ ବେହେରା ।
ହୃଦରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟରଞ୍ଜନ ବେହେରାଙ୍କ କହିବା ଅନୁସାରେ, ''କୋଲେଷ୍ଟ୍ରଲ ଶରୀରର ପ୍ରତ୍ୟେକ ସେଲ୍ରେ ରହିଥାଏ । ଏମିତିକି ଆମେ ଯେଉଁ ଖାଦ୍ୟ ଖାଉଛେ ସେଥିରେ ମଧ୍ୟ କୋଲେଷ୍ଟ୍ରଲ ଭରପୁର ରହିଥାଏ । ଶରୀରରେ ଥିବା ଚର୍ବି ଜାତୀୟ ପଦାର୍ଥକୁ କୋଲେଷ୍ଟ୍ରଲ କହିଥାଉ । ଏହା ଅଧିକ ହେଲେ ବିପଦ, କମ ହେଲେ ମଧ୍ୟ ବିପଦ । ଏହାକୁ କଣ୍ଟ୍ରୋଲ କରିବା ପାଇଁ ହେଲେ ନିୟମିତ ୩ ମାସକୁ ଥରେ ପରୀକ୍ଷା କରିବା ଆବଶ୍ୟକ ।"
କୋଲେଷ୍ଟ୍ରଲ କେତେ ପ୍ରକାରର:
ସାଧାରଣତଃ କୋଲେଷ୍ଟ୍ରଲ ୨ ପ୍ରକାରର । ଲୋ ଡେନ୍ସିଟି ଲିପୋପ୍ରୋଟିନ୍ସ(low density lipoproteins) ବା ଖରାପ କୋଲେଷ୍ଟ୍ରଲ ଏବଂ ହାଇ ଡେନସିଟି ଲିପୋପ୍ରୋଟିନ୍ସ (high density lipoproteins) ବା ଭଲ କୋଲେଷ୍ଟ୍ରଲ । ଭିଏଲଡିଏଲ ଏବଂ ଟ୍ରାଇଗସ ରାଇଡ ଭଳି କୋଲେଷ୍ଟ୍ରୋଲ ମଧ୍ୟ ରହିଥାଏ । ବିଶେଷ ଭାବେ ପ୍ରଥମ ୨ ପ୍ରକାର କୋଲେଷ୍ଟ୍ରଲ ଆମ ଶରୀରରେ ଥାଏ । କିନ୍ତୁ ରକ୍ତରେ ଏହି ଦୁଇ କୋଲେଷ୍ଟ୍ରଲର ସନ୍ତୁଳନ ରକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ । ଏ ଦୁଇଟି କୋଲେଷ୍ଟ୍ରଲ ଅସନ୍ତୁଳିତ ହୋଇଗଲେ ହୃଦ୍ଜନିତ ସମସ୍ୟା, ବ୍ରେନ ଷ୍ଟ୍ରୋକ ଏବଂ କ୍ୟାନ୍ସର ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ ।
ଲୋ ଡେନ୍ସିଟି ଲିପୋପ୍ରୋଟିନ୍ସ କୋଲେଷ୍ଟ୍ରଲ୍ କ'ଣ :
"ଲୋ ଡେନ୍ସିଟି ଲିପୋପ୍ରୋଟିନ୍ସ କୋଲେଷ୍ଟ୍ରଲ ବିଶେଷ ଭାବେ ଖରାପ କୋଲେଷ୍ଟ୍ରଲ ଅଟେ । ଶରୀରରେ ଏହାର ମାତ୍ରା ବଢ଼ିଲେ ରକ୍ତନଳୀଗୁଡ଼ିକ ସଂକୀର୍ଣ୍ଣ ହେବା ସହିତ ଶରୀରରେ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୋଇଥାଏ । ଏଥିପାଇଁ ଭବିଷ୍ୟତରେ ହାର୍ଟ ଆଟାକ, ବ୍ରେନଷ୍ଟ୍ରୋକ, କ୍ୟାନ୍ସର ହେବାର ଆଶଙ୍କା ଅଧିକ ଥାଏ । ସବୁଠାରୁ ବିପଦପୂର୍ଣ୍ଣ କୋଲେଷ୍ଟ୍ରଲ ହେଉଛ ଏଲଡିଏଲ(LDL) । ଏହାର ମାତ୍ରା ୧୦୦ରୁ କମ ରହିବା ଉଚିତ୍ । ଏନେଇ ପ୍ରତି ୩ ମାସରେ ଥରେ ପରୀକ୍ଷା କରିବା ଆବଶ୍ୟକ । ଯେଉଁମାନଙ୍କ ହାର୍ଟରେ ଅପରେସନ ହୋଇଛି କିମ୍ବା କିଛି ହାର୍ଟ ଜନିତ ସମସ୍ୟା ରହିଛି ସେଥିରେ ସେମାନଙ୍କର ଏଲଡିଏଲ ରେଟ୍ କମ ରହିବା ଆବଶ୍ୟକ । ୭୦ ତଳକୁ ରହିଲେ ଆହୁରି ଭଲ ।"
ହାଇ ଡେନ୍ସିଟି ଲିପୋପ୍ରୋଟିନ୍ସ କୋଲେଷ୍ଟ୍ରଲ୍ କ’ଣ:
ହାଇ ଡେନ୍ସିଟି ଲିପୋପ୍ରୋଟିନ୍ସ କୋଲେଷ୍ଟ୍ରଲ (HDL) ଭଲ କୋଲେଷ୍ଟ୍ରଲ ହୋଇଥିବାରୁ ଏହା ହୃଦ୍ଘାତ ହେବାରୁ ରକ୍ଷା କରିଥାଏ । ଏହି କୋଲେଷ୍ଟ୍ରଲ୍ ମାତ୍ରା ଶରୀରରେ କମ୍ ହେଲେ ହୃଦ୍ଜନିତ ସମସ୍ୟା ଉପୁଜିଥାଏ । ଏହା ଶରୀରରେ ଯେତେ ଅଧିକ ରହିବ ସେତେ ଭଲ । ବିଶେଷ ଭାବରେ ୪୫-୫୦ ଉପରେ ରହିବା ଠିକ୍ ।
ଟ୍ରାଇଗିସ ରାଇଡ୍ କୋଲେଷ୍ଟ୍ରଲ:
ହୃଦରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ରଞ୍ଜନ ବେହେରା କହିଛନ୍ତି, "ଏହା ବିଶେଷ ଭାବରେ ଶର୍କରା ଜାତୀୟ ଖାଦ୍ୟରୁ ମିଳିଥାଏ । ଆଳୁ, ଭାତ, ଚିନି ଆଦି ଖାଦ୍ୟରୁ ଏହା ମିଳିଥାଏ । ଏହା ଶରରୀରେ ୧୫୦ରୁ କମ ରହିବା ଦରକାର । ୩୦୦ ଉପରକୁ ଗଲେ ମେଡ଼ିସିନ ଆବଶ୍ୟକ ପଡିଥାଏ । ସେହିପରି ଭାବେ କହିବାକୁ ଗଲେ ଏପରି ଅନେକ ଜିନିଷ ରହିଛି ଯାହା ଜଣେ ବ୍ୟକ୍ତିଙ୍କ ଶରୀରରେ କୋଲେଷ୍ଟ୍ରଲର ମାତ୍ରାକୁ ପ୍ରଭାବିତ କରିଥାଏ । କିଛି ପରିମାଣରେ ଏହାକୁ ନିୟନ୍ତ୍ରଣ କରାଯାଇପାରେ । କିନ୍ତୁ ଏହି ସମସ୍ୟା ବଂଶାନୁଗତିକ ହୋଇଥିଲେ ଏହାକୁ ନିୟନ୍ତ୍ରଣ କରିବା ଅସମ୍ଭବ । ଯାହା ପାଇଁ ସୁସ୍ଥ ଖାଦ୍ୟ ଖାଇବା ଆବଶ୍ୟକ । ଓଜନକୁ ଠିକ୍ ରଖିବା ସହିତ ନିୟମିତ ଭାବରେ ବ୍ୟାୟାମ କରିବା ଆବଶ୍ୟକ । ଏହାଦ୍ଵାରା ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲ୍ର ସ୍ତର କମ୍ ହୋଇଥାଏ ।"
ଶରୀରରେ କୋଲେଷ୍ଟ୍ରଲ ନିୟନ୍ତ୍ରଣର ଉପାୟ:
ପ୍ରତ୍ଯେକ ଦିନ ବ୍ୟାୟାମ:ପ୍ରତ୍ୟେକ ଦିନ ୩୦ ମିନିଟ ପର୍ଯ୍ୟନ୍ତ ବ୍ୟାୟାମ ଓ ଯୋଗ କରିବା ଦ୍ବାରା କୋଲେଷ୍ଟ୍ରଲ ଅନେକ ମାତ୍ରାରେ ନିୟନ୍ତ୍ରଣ ହୋଇଥାଏ ।
ଓଜନ ହ୍ରାସ: ଯଦି କେହି ମୋଟାପଣ ବା ଓବେସିଟିର ଶିକାର ହୋଇଥାଆନ୍ତି ତେବେ ସେମାନେ ଅଧିକ ଯୋଗ ବ୍ୟାୟମ ଭଳି ଏକ୍ସରସାଇଜ କରିବା ଆବଶ୍ୟକ । ବାହାର ଜିନିଷଠାରୁ ଦୂରେଇ ରହିବା ଉଚିତ । ତେଲ ମସଲା ଠାରୁ ଯଥାସମ୍ଭବ ଦୂରେଇ ରହିବା ଆବଶ୍ୟକ ।
ଧୂମ୍ରପାନ ଛାଡିବା: ଧୂମ୍ରପାନ ଛାଡିବା ଦ୍ୱାରା ଶରୀରରେ ୧୫ରୁ ୨୦ ପ୍ରତିଶତ ଏଚଡିଏଲର ପରିମାଣ ବୃଦ୍ଧି ପାଇଥାଏ ।
ସ୍ୱାସ୍ଥ୍ୟକର ଖାଦ୍ୟ: ଦୈନନ୍ଦିନ ଖାଦ୍ୟରେ ସ୍ନେହସାରର ପରିମାଣକୁ ହ୍ରାସ କରିବା ସହ ଏଲଡିଏଲ୍ ପରିମାଣକୁ ହ୍ରାସ କରିବା ଆବଶ୍ୟକ । ରିଫାଇନ, ଚାଉଳ ଓ ଗହମ ପରି ଖାଦ୍ୟକୁ ବର୍ଜନ କରିବା ଆବଶ୍ୟକ ।
ଉପଯୁକ୍ତ ଔଷଧ ବ୍ୟବହାର: ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧର ବ୍ୟବହାର କରି ଏଚଡିଏଲର (HDL) ମାତ୍ରାକୁ ବୃଦ୍ଧି କରିପାରିବେ ବୋଲି କହିଛନ୍ତି ହୃଦରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟରଞ୍ଜନ ବେହେରା ।