ହାଇଦ୍ରାବାଦ: ଆଜିକାଲି ମୁଣ୍ଡ ବିନ୍ଧିବା ସାଧାରଣ ସମସ୍ୟା ହୋଇଛି । ମାନସିକ ଚାପ, କାର୍ଯ୍ୟଭାର ଭଳି ବିଭିନ୍ନ କାରଣରୁ ମୁଣ୍ଡ ବିନ୍ଧିଥାଏ । ମୁଣ୍ଡ ବିନ୍ଧା ହେବା ମାତ୍ରେ ଏଥିରୁ ଯଥାଶୀଘ୍ର ନିସ୍ତାର ପାଇଁ ସମସ୍ତେ ଚାହାନ୍ତି ଏବଂ ବିଭିନ୍ନ ଉପାୟ କରିଥାନ୍ତି । ତେବେ ମାନସିକ ଚାପ ବ୍ୟତୀତ, ଅଧିକ ସମୟ ମୋବାଇଲ ଦେଖିବା, ରାତି ଅନିଦ୍ରା ଓ ଅନ୍ୟ କିଛି ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ମଧ୍ୟ ମୁଣ୍ଡ ବ୍ୟଥା ଅନୁଭବ ହୋଇପାରେ । ଆଜି ଆମେ ସେମିତି 7ଟି ପ୍ରମୁଖ କାରଣ ବିଷୟରେ କହିବୁ, ଯେଉଁଥିପାଇଁ ମୁଣ୍ଡ ବିନ୍ଧିଥାଏ ।
ମାନସିକ ଚାପ: ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଖୁବ୍ ଚାପଗ୍ରସ୍ତ ରହୁଛନ୍ତି । ଚାପ କାରଣରୁ କାନ୍ଧ ଓ ମାଂସପଶୀ ଟାଇଟ୍ ହୋଇଯାଏ ଏବଂ ମୁଣ୍ଡ ବିନ୍ଧିଥାଏ । ଏହି ମାଂସପେଶୀ ଚାପକୁ ମୁଣ୍ଡରେ ଯନ୍ତ୍ରଣା ହେଲା ଭଳି ଅନୁଭବ କରାଯାଏ ।
ଭୋକ ଓ କିଛି ନିର୍ଦ୍ଧିଷ୍ଟ ଖାଦ୍ୟ: ଜୋରରେ ଭୋକ ଲାଗିବା ଦ୍ବାରା ମାଇଗ୍ରେନ ଓ ଟେନସନ ଜନିତ ମୁଣ୍ଡବିନ୍ଧା ହୋଇଥାଏ । ଏହାବ୍ୟତୀତ କିଛି ନିର୍ଦ୍ଧିଷ୍ଟ ଖାଦ୍ୟପଦାର୍ଥ ଯୋଗୁଁ ମାଇଗ୍ରେନ ସମସ୍ୟା ଦେଖାଯାଏ । ଯେମିତିକି, ଆଭୋକାଡୋ, ପନିର, ଚକୋଲେଟ, ଖଟା ଫଳ, ହେରିଙ୍ଗ, ଦୁଗ୍ଧଜାତ ପଦାର୍ଥ ଓ ପିଆଜ ।
ମଦ୍ୟପାନ: ମଦ୍ୟପାନ ମାଇଗ୍ରେନର ଏକ ଜଣାଶୁଣା କାରଣ । କେତେକ ଲୋକ କମ୍ ପରିମାଣର ରେଡ୍ ୱାଇନ ପରି ମଦ ପିଇଲେ ବି ମୁଣ୍ଡବିନ୍ଧା ହୋଇଥାଏ । ତେବେ ଏହାର ପ୍ରକୃତ କାରଣ ମଦ ନା ଏଥିରେ ମିଶିଥିବା ଅନ୍ୟ କିଛି ଉପଦାନ ପାଇଁ ମୁଣ୍ଡ ବ୍ୟଥା ହୁଏ, ତାହା ସ୍ପଷ୍ଟ ହୋଇନି ।
ପାରିପାଶ୍ବିକ ସ୍ଥିତି: ଉଜ୍ଜଳ ଲାଇଟ୍, ଧୂଆଁ, ଗରମ, କଡା ସୁଗନ୍ଧ ଓ ଥଣ୍ଡା ପାଗ କାରଣରୁ ମଧ୍ୟ କିଛି ଲୋକଙ୍କର ମୁଣ୍ଡବିନ୍ଧା ହୋଇଥାଏ । କ୍ଲଷ୍ଟର ମୁଣ୍ଡବିନ୍ଧାରେ ପୀଡିତ ଲୋକମାନେ ଋତୁ ପରିବର୍ତ୍ତନ ଫଳରେ ଯନ୍ତ୍ରଣା ଅନୁଭବ କରିଥାନ୍ତି ।
ହରମୋନ:ମାସିକ ଋତୁସ୍ରାବ ପ୍ରକ୍ରିୟା କାରଣରୁ ଅନେକ ମହିଳାଙ୍କ ମୁଣ୍ଡବିନ୍ଧା ହୋଇଥାଏ ।
ନିଦ୍ରାହୀନତା: ରାତି ଅନିଦ୍ରା ହେବା ବା ନିଦ୍ରାହୀନତା କାରଣରୁ ଉଭୟ ମାଇଗ୍ରେନ ଓ ଟେନସନ ଜନିତ ମୁଣ୍ଡବିନ୍ଧା ହୋଇଥାଏ । ଏହି ସମୟରେ ପୀଡିତ ବ୍ୟକ୍ତି ଶୋଇପଡିଲେ ଟିକିଏ ଆରାମ ମିଳିଥାଏ । ମୁଣ୍ଡବିନ୍ଧା କମିଯାଇଥାଏ ।