ଅସ୍ବାସ୍ଥ୍ୟକର ଜୀବନଶୈଳୀ ଯୋଗୁଁ ଗାଁଠୁ ସହର ଅଧିକାଂଶ ଲୋକେ ଡାଇବେଟିସ ପୀଡିତ । ପ୍ରତି ଘରେ ଡାଇବେଟିସ ରୋଗୀ । ପୂର୍ବରୁ କେବଳ ବୟସ୍କ ଲୋକଙ୍କଠାରେ ଦେଖାଯାଉଥିବା ଏହି ରୋଗ ଏବେ କମ୍ ବୟସର ଯୁବଗୋଷ୍ଠୀଙ୍କୁ ମଧ୍ୟ ଗ୍ରାସ କରୁଛି । ଡାଇବେଟିସ ରୋଗୀମାନେ ସର୍ବଦା ନିଜର ଡାଏଟକୁ ନେଇ ବିଶେଷ ଯତ୍ନବାନ ରହିବା ଆବଶ୍ୟକ । କାରଣ ଖାଦ୍ୟପେୟରେ ସାମାନ୍ୟ ଗଡବଡ ବ୍ଲଡସୁଗାର ବୃଦ୍ଧିର କାରଣ ହୁଏ । ଆମେ ଦେଖୁ, ଡାଇବେଟିସ ପୀଡିତଙ୍କୁ ଏଇଟା ଖାଆନ୍ତୁ, ସେଇଟା ଖାଆନ୍ତୁନି ଏମିତି ଅନେକ ପରାମର୍ଶ ଦିଆଯାଏ । ସମସ୍ତେ ଜାଣନ୍ତି ଫଳ ଖାଇବା ଦେହ ପାଇଁ ହିତ । କିନ୍ତୁ ଏମିତି କିଛି ଫଳ ଅଛି ଯାହା ଡାଇବେଟିସ ପାଇଁ ହାନିକାରକ ହୋଇଥାଏ । ଏହି ଖବରରେ ଜାଣନ୍ତୁ କେଉଁସବୁ ଫଳ ଡାଇବେଟିସ ରୋଗୀ ଖାଇପାରିବେ ନାହିଁ ଏବଂ ଯଦି ଖାଇବେ କେତେ ପରିମାଣରେ ଖାଇପାରିବେ....
କଦଳୀ:
National center for biotechnology information ମୁତବାକ, ପାଚିଲା କଦଳୀରେ କାର୍ବସ ଥାଏ ଯାହା ବ୍ଲଡସୁଗାର ସ୍ତର ବୃଦ୍ଧି କରେ । ଯଦି ଆପଣଙ୍କୁ ଡାଇବେଟିସ ଅଛି ତେବେ ନିଜ ଖାଦ୍ୟରେ କାର୍ବସ ପରିମାଣ ପ୍ରତି ଧ୍ୟାନ ରଖିବା ଜରୁରୀ । ଅନ୍ୟ ପୋଷକ ତତ୍ତ୍ବ ତୁଳନାରେ କାର୍ବସ ରକ୍ତରେ ସୁଗାର ସ୍ତରକୁ ଅଧିକ ବଢାଇଥାଏ । ଯେତେବେଳେ ଡାଇବେଟିସ ବିନା କାହାର ବ୍ଲଡସୁଗାର ବଢେ ଏହା ଶରୀରରେ ଇନସୁଲିନ ଉତ୍ପାଦନ କରିଥାଏ । ଏହା ବ୍ଲଡରୁ ସୁଗାରକୁ କୋଶିକା ଭିତରକୁ ନେବାରେ ସାହାଯ୍ୟ କରେ, ସେଠାରେ ତାହା ବ୍ୟବହୃତ ଓ ସଂରକ୍ଷିତ ରହେ । ଏକ ମଧ୍ୟମ ଆକାରର ପାଚିଲା କଦଳୀରେ 29 ଗ୍ରାମ କାର୍ବସ ଓ 112 କ୍ୟାଲୋରୀ ଥାଏ । କାର୍ବସ ଚିନି, ଷ୍ଟାର୍ଚ ଓ ଫାଇବର ରୂପେ ଥାଏ । ଗୋଟିଏ କଦଳୀରେ ପ୍ରାୟ 15 ଗ୍ରାମ ଚିନି ଥାଏ ଯାହା ଡାଇବେଟିସ ରୋଗୀ ପାଇଁ ହାନିକରକ ।
ଆମ୍ବ:
NCBI ଅନୁସାରେ, ଡାଇବେଟିସ ରୋଗୀ ସୀମିତ ମାତ୍ରାରେ ଆମ୍ବ ଖାଇପାରିବେ । ହେଲେ ଅଧିକ ଖାଇବା କ୍ଷତିକାରକ । କାରଣ ଆମ୍ବ ଖାଇଲେ ବ୍ଲଡସୁଗାର ସ୍ତର ବଢିପାରେ । ଏଥିରେ ସୁଗାର ମାତ୍ରା ଅଧିକ ଥାଏ ଯାହାକି ସୁଗାର ସ୍ତର ବଢାଇପାରେ । ହେଲେ ଆମ୍ବରେ ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଥାଏ । ଏହା ସୁଗାର ସ୍ତର ହ୍ରାସ କରିବାରେ ସହାୟକ ହୋଇପାରେ । ଏଥିସହିତ ଆମ୍ବର ଗ୍ଲାଇସେମିକ ଇଣ୍ଡେକ୍ସ 51 ଥିବାରୁ ମଧୁମେହ ରୋଗୀଙ୍କ ପାଇଁ କମ୍ ଓ ନିରାପଦ ବିବେଚନା କରାଯାଏ । ଧ୍ୟାନ ଦେବେ କି, ଆମ୍ବ ଖାଇବା ପୂର୍ବରୁ ନିଜ ବ୍ଲଡସୁଗାର ସ୍ତର ଯାଞ୍ଚ କରନ୍ତୁ ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।
ଅଙ୍ଗୁର:
ଡାଇବେଟିସ ରୋଗୀଙ୍କ ପାଇଁ ଅଙ୍ଗୁର ଲାଭଦାୟକ ହୋଇପାରେ । କିନ୍ତୁ ଏଥିରେ କିଛି ସମ୍ଭାବ୍ୟ ବିପଦ ମଧ୍ୟ ରହିଛି ଯାହା ଉପରେ ବିଚାର କରାଯିବା ଉଚିତ୍ । ଅଙ୍ଗୁରରେ ପ୍ରାକୃତିକ ସୁଗାର ବିଶେଷକରି ଫ୍ରୁକ୍ଟୋଜ ମାତ୍ରା ଅଧିକ । ତେଣୁ ଏହାର ଅଧିକ ସେବନ ଡାଇବେଟିସ ରୋଗୀଙ୍କ ସ୍ବାସ୍ଥ୍ୟପ୍ରତି ହାନିକାରକ ହୋଇପାରେ । ଅଧିକ ଅଙ୍ଗୁର ଖାଇଲେ ବ୍ଲଡସୁଗାର ସ୍ତର ବଢିପାରେ । ଶୁଷ୍କ ଅଙ୍ଗୁର ଅର୍ଥାତ କିସମିସରେ ମଧ୍ୟ ସୁଗାର ଅଧିକ ଥିବାରୁ ଏହାକୁ ଡାଇବେଟିସ ରୋଗୀ ଖାଇବା ଠିକ୍ ନୁହେଁ । ଡାଏଟେସିଆନ ଅନୁସାରେ, ଡାଇବେଟିସ ରୋଗୀ ପ୍ରତିଦିନ ଅଙ୍ଗୁର ଖାଇପାରିବେ । ହେଲେ 10ଟି କିମ୍ବା ଏକ କପରୁ ଅଧିକ ନୁହେଁ । କାରଣ ଗୋଟିଏ କପ୍ ଅଙ୍ଗୁରରେ 23.2 ଗ୍ରାମ ଚିନି ଥାଏ ।