ଓଡିଶା

odisha

ETV Bharat / health

ନିଦ ଭାଙ୍ଗିଲା ପରେ ଏମିତି ଅନୁଭବ କରୁଛନ୍ତି କି ? ହୋଇପାରେ ସ୍ଲିପ୍ ପାରାଲିସିସ୍ - SLEEP PARALYSIS

ନିଦ ଭାଙ୍ଗିବା ପରେ ହଠାତ୍ ହଲଚଲ୍ ନ ହୋଇପାରିବା, କଥା କହି ନପାରିବା କୌଣସି ଭୂତ-ପ୍ରେତ ନୁହେଁ, ବରଂ ହୋଇପାରେ ନିଦ୍ରା ପକ୍ଷାଘାତର କାରଣ । ପଢନ୍ତୁ ପୁରା ଖବର

ସ୍ଲିପ୍ ପାରାଲିସିସ୍ କଣ
ସ୍ଲିପ୍ ପାରାଲିସିସ୍ କଣ (ETV Bharat)

By ETV Bharat Health Team

Published : Nov 19, 2024, 11:44 AM IST

Updated : Nov 19, 2024, 4:18 PM IST

ବେଳେବେଳେ ଶୋଇବା ଅବସ୍ଥାରେ ଆମେ ଖୁବ୍ ବିଚିତ୍ର ଅନୁଭବ କରିଥାଉ । ଆପଣଙ୍କୁ ବି କେବେ ଏମିତି ଲାଗିଛି କି, ହଠାତ୍ ନିଦ ଭାଙ୍ଗିବା ପରେ ଶରୀର ହଲ୍‌ଚଲ୍ ହୋଇପାରୁନି, କଥା କହିବାକୁ ମୁହଁ ଖୋଲୁନି କିମ୍ବା କେହି ଯେମିତି ଆପଣଙ୍କୁ ଦବାଉଛି । ଏହି ଅନୁଭବ ଖୁବ୍ ଭୟାନକ ହୋଇଥାଏ । କେହି କେହି ତ ଏହାକୁ ଭୂତ-ପ୍ରେତ ସହ ଯୋଡିଥାନ୍ତି । ଭୂତ ପ୍ରଭାବରୁ ଏମିତି ହୁଏ ବୋଲି କୁହନ୍ତି । ହେଲେ ଡାକ୍ତରଙ୍କ ଅନୁଯାୟୀ, ଏହି ଅବସ୍ଥାକୁ 'ନିଦ୍ରା ପକ୍ଷାଘାତ' ବା 'ସ୍ଲିପ୍ ପାରାଲିସିସ୍' (Sleep Paralysis) କୁହାଯାଏ ।

ବିଶେଷଜ୍ଞମାନେ କୁହନ୍ତି, ''ସ୍ଲିପ୍ ପାରାଲିସିସ୍ ଏପରି ଏକ ସ୍ଥିତି ଯେଉଁଥିରେ ମସ୍ତିଷ୍କ ସକ୍ରିୟ ଥାଏ କିନ୍ତୁ ଶରୀର ନିଷ୍କ୍ରିୟ ରହିଥାଏ । ଏହି କାରଣରୁ ନିଦରୁ ଉଠିବା ପରେ ଜଣେ ବ୍ୟକ୍ତି କିଛି ସମୟ ଚଳପ୍ରଚଳ କିମ୍ବା କଥାବାର୍ତ୍ତା କରିବାକୁ ସମର୍ଥ ହୁଏ ନାହିଁ । ଗୋଟିଏ-ଦୁଇ ମିନିଟ୍‌ରେ ଏହା ଆପେ ଆପେ ଠିକ୍ ହୋଇଯାଏ ।''

ନିଦ୍ରା ପକ୍ଷାଘାତର କାରଣ:

ମନସ୍ତତ୍ତ୍ବବିତ୍ ଡଃ ଆଶିଷ ସିଂ କହିଛନ୍ତି, ନିଦ୍ରା ପକ୍ଷାଘାତ କୌଣସି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ନୁହେଁ, ଏହା ଯେକୌଣସି ବ୍ୟକ୍ତିଙ୍କ ସହ ହୋଇପାରେ । ଆମ ଶରୀର ଓ ମସ୍ତିଷ୍କ ନିଦ୍ରାର ବିଭିନ୍ନ ପର୍ଯ୍ୟାୟ ମଧ୍ୟରେ ସମନ୍ବୟ ରକ୍ଷା ନ କରିପାରିଲେ ଏପରି ହୁଏ । ଆମେ ଯେତେବେଳେ ଶୋଇଥାଉ, ଆମ ଶରୀର ଗଭୀର ଆରାମ ଅବସ୍ଥାକୁ ଚାଲିଯାଏ ଯାହାକୁ REM sleep (ରାପିଡ୍ ଆଇ ମୁଭମେଣ୍ଟ ସ୍ଲିପ) କୁହନ୍ତି । ଏହି ଅବସ୍ଥାରେ ଶରୀର ପୁରାପୁରି ଆରାମ କରୁଥାଏ ଏବଂ ମାଂସପେଶୀଗୁଡିକ ଅସ୍ଥାୟୀ ଭାବେ ନିଷ୍କ୍ରିୟ ରହିଥାଏ । ଯଦି ଏହି ସ୍ଥିତିରେ ହଠାତ୍ ନିଦ ଭାଙ୍ଗିଯାଏ ତାହେଲେ ମସ୍ତିଷ୍କ ଶରୀରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିପାରେ ନାହିଁ । ଫଳରେ ନିଦ୍ରା ପକ୍ଷାଘାତର କାରଣ ହୁଏ ।

ସାଧାରଣତଃ ନିଦ୍ରା ଅଭାବ, ଅନିଦ୍ରା, ଶୋଇବାରେ ଅନିୟମିତତା, ଚାପ, ଚିନ୍ତା ଏବଂ ଭୁଲ ମୁଦ୍ରାରେ ଶୋଇବା ଆଦି କେତେକ କାରଣରୁ ସ୍ଲିପ୍ ପାରାଲିସିସ୍ ହୁଏ । କିଛି ସେକେଣ୍ଡ ବା ଦୁଇ ମିନିଟ୍‌ରୁ କମ୍ ସମୟ ଏହି ଅବସ୍ଥା ରହେ ଏବଂ ଆପେ ଆପେ ଭଲ ହୋଇଯାଏ ।

ନିଦ୍ରା ପକ୍ଷାଘାତରୁ କେମିତି ଦୂରେଇ ରହିବେ?

ଡଃ ଆଶିଷ ସିଂ କହିଛନ୍ତି ଯେ, କିଛି ଅଭ୍ୟାସ ପ୍ରତି ଧ୍ୟାନ ଦେଇ ନିଦ୍ରା ପକ୍ଷାଘାତର ଆଶଙ୍କା ବହୁ ପରିମାଣରେ କମ୍ କରାଯାଇପାରେ । ଯେମିତିକି-

  • ଠିକ୍ ସମୟରେ ଶୋଇବା ଅଭ୍ୟାସ କରନ୍ତୁ । ନିୟମିତ ସମୟରେ ଶୋଇବା ଓ ଉଠିବା ଶରୀର ପାଇଁ ଲାଭଦାୟକ । ଶୋଇବା ପାଇଁ ଏକ ନିର୍ଦ୍ଧିଷ୍ଟ ସମୟ ସ୍ଥିର କରନ୍ତୁ ଏବଂ ଉଠନ୍ତୁ । ଏହାକୁ ସବୁବେଳେ ଅନୁସରଣ କରନ୍ତୁ ।
  • ଗଭୀର ଓ ସୁଖ ନିଦ୍ରାରେ ଶୋଇଲେ ଉଭୟ ଶରୀର ଓ ମସ୍ତିଷ୍କରୁ ଆରାମ ମିଳିଥାଏ । ଏଥିରେ ନିଦ୍ରା ପକ୍ଷାଘାତ ଆଶଙ୍କା କମ୍ ହୁଏ ।
  • ଶୋଇବା ଅବସ୍ଥାରେ ସୁଧାର ଆଣି ନିଦ୍ରା ପକ୍ଷାଘାତର ଆଶଙ୍କା କମ୍ କରାଯାଇପାରେ । ଯେମିତିକି ପିଠି ପଟେ ଶୋଇବା ଦ୍ବାରା ଏହି ପକ୍ଷାଘାତ ଆଶଙ୍କା ବଢିଥାଏ । ତେଣୁ କଡ଼ ଲେଉଟାଇ ଶୋଇବାକୁ ଚେଷ୍ଟା କରନ୍ତୁ ।
  • ଅତ୍ଯଧିକ ଚିନ୍ତା ଓ ଚାପ ଯୋଗୁଁ ମଧ୍ୟ ସ୍ଲିପ୍ ପାରାଲିସିସ୍ ହୋଇପାରେ । ତେଣୁ ଯଥାସମ୍ଭବ ମାନସିକ ଚାପ କମାଇବାକୁ ଚେଷ୍ଟା କରନ୍ତୁ । ଗଭୀର ନିଶ୍ବାସ ନେବା, ଧ୍ୟାନ, ଯୋଗ ଦ୍ବାରା ଚାପ କମ୍ କରାଯାଇପାରିବ । ଏହା ସ୍ଲିପ୍ ପାରାଲିସିସ୍ ରୋକିବାରେ ସହାୟକ ହେବ ।

ଏହା ମଧ୍ୟ ପଢନ୍ତୁ:ପାଦରୁ ଜାଣିହେବ ଆପଣ ସୁସ୍ଥ କି ଅସୁସ୍ଥ, ଏସବୁ ସଙ୍କେତ ଥିଲେ...

ଏହା ମଧ୍ୟ ପଢନ୍ତୁ:ହାଇ ବ୍ଲଡସୁଗାର କମ୍ କରିପାରେ ଲେମ୍ବୁ ରସ, ଜାଣନ୍ତୁ ଖାଇବା ବିଧି

ଏହା ମଧ୍ୟ ପଢନ୍ତୁ:ଆପଣଙ୍କ ଓଠ ଫାଟୁଛି କି ? ଏମିତି ନିଅନ୍ତୁ ଯତ୍ନ, ରହିବନି ଟେନସନ

Last Updated : Nov 19, 2024, 4:18 PM IST

ABOUT THE AUTHOR

...view details