ମାତୃତ୍ବ ପ୍ରତ୍ୟେକ ମହିଳାଙ୍କ ଲାଗି ଏକ ନିଆରା ଅନୁଭବ । କିନ୍ତୁ ଶିଶୁ ଜନ୍ମ ହେବା ପରର କିଛି ଦିନ ମହିଳାମାନଙ୍କ ପାଇଁ ଅତ୍ୟନ୍ତ କଠିନ ରହିଥାଏ । ଭଜାଇନାଲ ଡେଲିଭରି ହେଉକି ସିଜରିଆନ, ପ୍ରସବ ପରେ ଦେଖାଯାଉଥିବା ସ୍ବାସ୍ଥ୍ୟ ସମସ୍ୟା, ଶାରିରୀକ ପରିବର୍ତ୍ତନ, ଦୁର୍ବଳତା ସହିତ ଶିଶୁର ଯତ୍ନ, ଏପରି ଅନେକ କାରଣରୁ ମହିଳାଙ୍କ ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟ ଗୁରୁତର ପ୍ରଭାବିତ ହୋଇଥାଏ । ଅଧିକାଂଶ ମହିଳା ଅବସାଦର ଶିକାର ହୁଅନ୍ତି । ଏନେଇ ଡାକ୍ତରଙ୍କ କହିବା କଥା, ପ୍ରସବ ପୂର୍ବ ସମୟ ଭଳି ପ୍ରସବ ପରେ ମଧ୍ୟ ମାଆର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖିବା ଜରୁରୀ । ପ୍ରସବ ପରର କିଛି ଦିନକୁ ଯାହାକୁ ପୋଷ୍ଟପାର୍ଟମ ଟାଇମ୍ କୁହନ୍ତି, ଏହି ସମୟରେ ମହିଳା ଶାରିରୀକ ଓ ମାନସିକ ଭାବେ ଦୁର୍ବଳ ରହିଥାନ୍ତି ।
ପୋଷ୍ଟପାର୍ଟମ ସମସ୍ୟା
ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡଃ ବିଜୟଲକ୍ଷ୍ମୀ କହିଛନ୍ତି ଯେ, ଶିଶୁ ଜନ୍ମ ପରର ସମୟ ସବୁ ମହିଳାଙ୍କ ପାଇଁ ଭିନ୍ନ ଭିନ୍ନ ହୋଇଥାଏ । କିଛି ମହିଳା ଶୀଘ୍ର ରିକଭରି କରିଥାନ୍ତି ତ ଆଉ କିଛି ଜଣଙ୍କୁ ଅଧିକ ସମୟ ଲାଗିଯାଏ । ଉଭୟ ସିଜରିଆନ ଓ ଭଜାଇନାଲ ଡେଲିଭରି ପରେ କିଛି ଦିନ ପ୍ରତ୍ୟେକ ମହିଳାଙ୍କ ପାଇଁ ବହୁତ କଷ୍ଟଦାୟକ ହୋଇଥାଏ । ଯଦି ନର୍ମାଲ ବା ଭଜାଇନାଲ ଡେଲିଭରି ହୋଇଛି ତେବେ କିଛି ଦିନ ପର୍ଯ୍ୟନ୍ତ ଯୋନିରେ ଯନ୍ତ୍ରଣା ରହିଥାଏ । ଏହି କାରଣରୁ ମୂତ୍ର ଓ ମଳତ୍ୟାଗ ସମୟରେ ସମସ୍ୟା ହୁଏ । କେବଳ ଏତିକି ନୁହେଁ ଯଦି ଭଜାଇନାଲ ଡେଲିଭରି ବେଳେ ଷ୍ଟିଚ୍ ଲାଗେ ବା ଏପିସିୟୋଟୋମି ହୁଏ ତେବେ ଅନେକ ଦିନ ଯାଏ ମହିଳାଙ୍କ ଯୋନି, ଭଲବା ଓ ପେରିନିୟମରେ ଯନ୍ତ୍ରଣା ରହେ ।
ସେହିପରି ସିଜରିଆନ ଡେଲିଭର ମଧ୍ୟ ଖୁବ୍ ଯନ୍ତ୍ରଣା ଓ ସମସ୍ୟାପୂର୍ଣ୍ଣ ହୋଇଥାଏ । ଯେଉଁ ପ୍ରକାରେ ଡେଲିଭରି ହୋଇଥାଉ ନା କାହିଁକି 15ରୁ 20 ଦିନ କିମ୍ବା ଏହାରୁ ଅଧିକ ସମୟ ଧରି ରକ୍ତସ୍ରାବ ମଧ୍ୟ ହୋଇଥାଏ । ତେଣୁ ଶିଶୁ ଜନ୍ମ ଦେବାର କିଛି ଦିନ ପର୍ଯ୍ୟନ୍ତ ମହିଳାଙ୍କୁ ନିଜ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ପରାମର୍ଶ ଦିଆଯାଏ ।
ପ୍ରସବ ପରର ଅବସାଦ:
ଡାକ୍ତର ଆହୁରି କହିଛନ୍ତି ଯେ, ପ୍ରସବ ସମୟରେ ଓ ପରେ ଶରୀରରୁ ବହୁତ ଶକ୍ତି କ୍ଷୟ ହୋଇଥାଏ । ଜନ୍ମ ପରେ ମହିଳାଙ୍କ ହରମୋନ ସ୍ତର ହଠାତ୍ ହ୍ରାସ ପାଏ । ଯେଉଁ କାରଣରୁ ଅଧିକାଂଶ ସମୟରେ ମୁଡ୍ ସୁଇଂ ଏବଂ ଅନ୍ୟ କେତେକ ସମସ୍ୟା ଅନୁଭବ ହୁଏ । ଏହାବ୍ୟତୀତ ଶିଶୁର ଯତ୍ନ ନେବା, ତାକୁ ସ୍ତନ୍ୟପାନ କରାଇବା, ତା'ର ଅସମୟରେ ଶୋଇବା, ଉଠିବା, କାନ୍ଦିବା ଇତ୍ୟାଦି ମାଆକୁ ଖୁବ୍ କ୍ଲାନ୍ତ କରିଦିଏ । ସେ ଠିକ୍ ଭାବେ ଶୋଇ ପାରେନି କି ଆରାମ କରିପାରେନି । ଏହି କାରଣରୁ ପୋଷ୍ଟପାର୍ଟମ ଡିପ୍ରେସନ ଭଳି ସ୍ଥିତି ଦେଖାଯାଏ ।