ଭୁବନେଶ୍ବର:ଶୀତ ଦିନେ ତାପମାତ୍ରା ଖସିବା ସହ ଥଣ୍ଡା-କାଶ, ଜ୍ବର ସମସ୍ୟା ଲାଗି ରହିଥାଏ । ଶିଶୁଠାରୁ ବୃଦ୍ଧ ଯାଏଁ ସମସ୍ତେ ଏଥିରେ ଆକ୍ରାନ୍ତ ହୋଇଥାନ୍ତି । ଏଥିରୁ ସୁସ୍ଥ ହେବାକୁ ବାରମ୍ବାର ମେଡିସିନ ସେବନ ଦ୍ବାରା ଆମ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । କିଛି ମେଡିସିନରେ ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ରହିଥାଏ । ବିଶେଷକରି ଛୋଟ ଛୁଆ ଓ ବୃଦ୍ଧ ଲୋକମାନେ ବାରମ୍ବାର ମେଡିସିନ ଖାଇବା କାରଣରୁ ସେମାନଙ୍କ ସ୍ବାସ୍ଥ୍ୟ ପ୍ରଭାବିତ ହୋଇପାରେ । ତେଣୁକରି ଶୀତ ଦିନିଆ ରୋଗ ଓ ଏହାର ପ୍ରତିକାର ନେଇ ପରାମର୍ଶ ଦେଇଛନ୍ତି ମେଡିସନ ବିଭାଗ ଡାକ୍ତର ପ୍ରଦୀପ ରଞ୍ଜନ ସାହୁ ।
ଡାକ୍ତର ପ୍ରଦୀପ ରଞ୍ଜନ ସାହୁ କହିଛନ୍ତି ଯେ, ଶୀତ ଦିନେ ଛୋଟ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଥଣ୍ଡା ଫ୍ଲୁ ହୋଇଥାଏ । କିନ୍ତୁ ସାମାନ୍ୟ ଅସାବଧାନତା ଯୋଗୁଁ ଏହି ଛୋଟିଆ ରୋଗ ନିମୋନିଆ ଆଡକୁ ଗତି କରେ । ତେଣୁ ଶୀତ ଦିନେ ଥଣ୍ଡା କାଶ ଲାଗି ରହିଲେ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଶୀତ ଦିନେ ଶ୍ବାସ ଜନିତ ସମସ୍ୟା ଅଧିକ ବଢିଥାଏ । ଏଥିପାଇଁ ଶ୍ବାସରୋଗୀମାନେ ଯତ୍ନଶୀଳ ରହିବା ଆବଶ୍ୟକ ।
ଶୀତ ଦିନେ କିପରି ନେବେ ଯତ୍ନ
ଶୀତ ଦିନେ ଅଧିକ ପିକନିକ୍, ଭୋଜିଭାତ ହୋଇଥାଏ । ଏଥିରେ ଅଧିକାଂଶ ଲୋକେ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ଯାହାଫଳରେ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ । ଶୀତ ଦିନ ହଜମ ପ୍ରକ୍ରିୟା ଧୀମା ରହୁଥିବାରୁ ଏସିଡିଟି ସମସ୍ୟା ମଧ୍ୟ ଦେଖାଯାଇପାରେ । ସେହିପରି ଥଣ୍ଡାରେ ବିଶେଷ କରି ଜଏଣ୍ଟ ପେନ ରୋଗୀଙ୍କ ସମସ୍ୟା ବଢିଯାଇଥାଏ ବୋଲି କହିଛନ୍ତି ଡାକ୍ତର ।
ଶୀତ ଦିନେ ମୁଖ୍ୟ ସମସ୍ୟା ହେଲା ଡ୍ରାଏ ସ୍କିନ ବା ଶୁଷ୍କ ଚର୍ମ । ଥଣ୍ଡା ପବନ ଯୋଗୁଁ ଚର୍ମ ଶୁଷ୍କ ହୋଇ ମୁହଁ, ଓଠ, ଗୋଇଠି ଫାଟିବା ଭଳି ସମସ୍ୟା ଦେଖାଯାଇଥାଏ । ବେଳେବେଳେ ଅଧିକ ଶୁଷ୍କପଣ ବା ଡ୍ରାଏନେସ୍ ଯୋଗୁଁ ଚର୍ମ କୁଣ୍ଡେଇ ହୋଇ ଲାଲ୍ ପଡିଯିବା, ଗୋଇଠି କିମ୍ବା ଓଠରୁ ରକ୍ତସ୍ରାବ ହେବା ଭଳି ସମସ୍ୟା ମଧ୍ୟ ହୁଏ । ତେଣୁ ଏହି ଦିନରେ ନିଜ ଚର୍ମକୁ ମଇଶ୍ଚରାଇଜ ରଖିବା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଯଦି ଚର୍ମର ଯତ୍ନ ନ ନିଅନ୍ତି ତେବେ ଫଙ୍ଗସ୍ ଇନଫେକ୍ସନ ହେବାର ଆଶଙ୍କା ରହିଥାଏ ବୋଲି ଡାକ୍ତର ପ୍ରଦୀପ ରଞ୍ଜନ ସାହୁ କହିଛନ୍ତି ।
ଥଣ୍ଡା ଫ୍ଲ୍ଯୁରୁ କେମିତି ବର୍ତ୍ତିବେ ?