ହାଇଦ୍ରାବାଦ: ଘରେ ସୁଆଦିଆ ତରକାରୀ ହେଉ ଅବା ଭଜା । ଟେଷ୍ଟି ଖାଇବା ବନେଇବା ପାଇଁ ପ୍ରଥମେ ତେଲର ଖୋଜାପଡ଼େ । ଆଉ ରୋଷେଇ ପାଇଁ ପ୍ରତ୍ୟେକ ରୋଷେଇ ଘରେ ତେଲ ବ୍ୟବହାର ହୁଏ । ତେବେ ଅଧିକାଂଶ ଲୋକ ରୋଷେଇରେ ରିଫାଇନ୍ ତେଲ ବ୍ୟବହାର କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ? ରିଫାଇନ ତେଲ ଠାରୁ ସୋରିଷ ତେଲ ଅଧିକ ଲାଭଦାୟକ । ସୋରିଷ ତେଲ ବ୍ୟବହାର କରିବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ଶୁଦ୍ଧ ଓ କଚ୍ଚି ଘନି ସୋରିଷ ତେଲରେ ଫ୍ୟାଟି ଏସିଡ୍ ମିଳିଥାଏ । ଯାହା ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧିରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।
ସୋରିଷ ତେଲର ଫାଇଦା:
ସୋରିଷ ତେଲରେ ଥିବା ରୋଗ ପ୍ରତିରୋଧକ ଗୁଣ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ସୋରିଷ ତେଲରେ ପ୍ରୋଟିନ୍, ମିନେରାଲ୍ସ, କାର୍ବୋହାଇଡ୍ରେଟ, କ୍ୟାଲୋରୀ, ଭିଟାମିନ୍ A ଏବଂ ଭିଟାମିନ୍ C ପ୍ରଚୁର ପରିମାଣରେ ମିଳିଥାଏ । କେବଳ ଏତିକି ନୁହେଁ, ସୋରିଷ ତେଲରେ ଓମେଗା-3 ଫ୍ୟାଟି ଏସିଡ୍, ଭିଟାମିନ୍ E ଏବଂ ଓମେଗା-5 ଫ୍ୟାଟି ଏସିଡ୍ ମଧ୍ୟ ରହିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ସୋରିଷ ତେଲରେ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ମଧ୍ୟ ମିଳିଥାଏ ।
କୋଲେଷ୍ଟ୍ରଲ କମ୍ କରେ ସୋରିଷ ତେଲ:
ଆଜିକାଲି ଖରାପ ଖାଇବା ଅଭ୍ୟାସ ଏବଂ ଖରାପ ଜୀବନଶୈଳୀ କାରଣରୁ ଉଚ୍ଚ କୋଲେଷ୍ଟ୍ରଲ ସମସ୍ୟା ସାଧାରଣ ହୋଇଗଲାଣି । ଯୁବପିଢ଼ିଙ୍କ ଠାରୁ ଆରମ୍ଭ କରି ଯେ କୌଣସି ବୟସର ବ୍ୟକ୍ତି ସମସ୍ତଙ୍କ ପାଖରେ କୋଲେଷ୍ଟ୍ରଲ ସମସ୍ୟା ଦେଖାଦେଉଛି । ତେଣୁ ଏଥିରୁ ବର୍ତ୍ତିବା ପାଇଁ ରନ୍ଧା ତେଲ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ । ରିଫାଇନ ସହ ଅନ୍ୟାନ୍ୟ ରନ୍ଧନ ତେଲ ଶରୀରରେ ଖରାପ କୋଲେଷ୍ଟ୍ରଲ ସ୍ତରକୁ ବୃଦ୍ଧି କରିଥାଏ । ମାତ୍ର ସୋରିଷ ତେଲରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟରେ ଫ୍ୟାଟ ପରିମାଣ କମ୍ ଥାଏ । ସୋରିଷ ତେଲ ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ସୋରିଷ ତେଲ:
ସୋରିଷ ତେଲରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଓ ଆଣ୍ଟି-ଫଙ୍ଗଲ୍ ଗୁଣ ଭରି ରହିଛି । ସୋରିଷ ତେଲରୁ ପ୍ରସ୍ତୁତ ଖାଦ୍ୟ ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ । ଶରୀରକୁ ପୋଷଣ ମିଳିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ସୋରିଷ ତେଲ ଖାଇବା ଦ୍ୱାରା ଶରୀରରେ ଖରାପ କୋଲେଷ୍ଟ୍ରଲ କମିଥାଏ । ଏହା ସହ ଚର୍ମଜନୀତ ସମସ୍ୟା ଯେପରିକି ଯାଦୁ କାଛୁ ଭଳି ରୋଗରୁ ଉପସମ ଦେଇଥାଏ ।