Hashimoto's thyroiditis:ନିକଟରେ ବଲିଉଡ ଅଭିନେତା ଅର୍ଜୁନ କପୁର ନିଜର ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ଅଭିନେତା କହିଛନ୍ତି ଯେ, ସେ ହାସିମୋଟୋସ ଥାଇରଏଡାଇଟସ (Hashimoto's thyroiditis) ଭଳି ରୋଗରେ ପୀଡିତ, ଯାହାକି ଏକ ଗମ୍ଭୀର ଅଟୋ-ଇମ୍ୟୁନ ରୋଗ ଅଟେ । ଏଥିରେ ଥାଇରଏଡ ଗ୍ରନ୍ଥି ନଷ୍ଟ ହୋଇଯାଏ ।
ଅର୍ଜୁନ କପୁର ଏବେ ନିଜ ଫିଲ୍ମ 'ସିଙ୍ଘମ ଏଗେନ' ନେଇ ଚର୍ଚ୍ଚାରେ ରହିଛନ୍ତି । ଏଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ଏହାସହିତ ଅର୍ଜୁନ 'ହାଲ୍ଫ ଗର୍ଲଫ୍ରେଣ୍ଡ', 'ଏକ ଭିଲିଆନ' ଭଳି ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ଏହି ଜଣାଶୁଣା ବଲିଉଡ ଅଭିନେତା ଏକ ଇଣ୍ଟରଭ୍ୟୁରେ ନିଜର ରୋଗ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହି ରୋଗ ସହ ଲଢିବା କେତେ ଆହ୍ବାନପୂର୍ଣ୍ଣ ଏବଂ ଏହାଦ୍ବାରା ତାଙ୍କର ଜୀବନଶୈଳୀ କେମିତି ପ୍ରଭାବିତ ହେଉଛି ।
ମିଡିଆ ରିପୋର୍ଟ ଅନୁସାରେ ଅର୍ଜୁନ କପୁର କହିଛନ୍ତି, ହାସିମୋଟୋସ ଏମିତି ଏକ ରୋଗ, ଯେଉଁଥିରେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଭୁଲବଶତଃ ଥାଇରଏଡ ଗ୍ରନ୍ଥିକୁ ଆକ୍ରମଣ କରି ନଷ୍ଟ କରିଥାଏ । ଏହି ରୋଗ ତାଙ୍କ ଶରୀର ଉପରେ ଚାପ ପକାଇଛି, ଯେଉଁ କାରଣରୁ ଶରୀରର ଓଜନ ଓ ଶକ୍ତି ମଧ୍ୟରେ ସନ୍ତୁଳନ ରକ୍ଷା କରିବା କଷ୍ଟକର ହୋଇଯାଇଛି । ଏହି ରୋଗ ତାଙ୍କର ବ୍ୟକ୍ତିଗତ ଜୀବନ ପ୍ରଭାବିତ କରିଛି । ଏଥିଯୋଗୁଁ ତାଙ୍କୁ ଅନେକ ଆହ୍ବାନର ସାମ୍ନା କରିବାକୁ ପଡୁଛି ।
ହାସିମୋଟୋସ ଥାଇରଏଡାଇଟସ କ'ଣ
ଏହା ଏକ ଅଟୋ-ଇମ୍ୟୁନ ରୋଗ, ଯେଉଁଥିରେ ଶରୀରରେ ଥିବା ପ୍ରତିରକ୍ଷା ପ୍ରଣାଳୀ ଥାଇରଏଡ ଗ୍ରନ୍ଥି ଉପରେ ଆକ୍ରମଣ କରେ । ଆରମ୍ଭରୁ ଏହି ରୋଗର କୌଣସି ଲକ୍ଷଣ ଦେଖା ଦେଇନଥାଏ । ଥାଇରଏଡ ହେଲା ଏକ ଛୋଟ ପ୍ରଜାପତି ଆକୃତିର ଗ୍ରନ୍ଥି, ଯାହାକି ମେଟାବୋଲିଜିମ, ଶକ୍ତି ସ୍ତର ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରକ୍ରିୟାକୁ ନିୟନ୍ତ୍ରିତ କରିଥାଏ । ସମୟ ସହିତ ଏହି ଗ୍ରନ୍ଥିରେ ପ୍ରଦାହ ଓ କ୍ଷତି ଏହାର କାର୍ଯ୍ୟ ଧିମା କରିଦିଏ । ଏହାଦ୍ବାରା ହାଇପୋଥାଇରଏଡଜିମ ସହ ଥାଇରଏଡ ହରମୋନ ଉତ୍ପାଦନ କମିଯାଏ ।
ଅର୍ଜୁନ କପୁର କହିଛନ୍ତି, ଏହି ରୋଗର ସଠିକ କାରଣ ଯଦିଓ ଏବେ ଯାଏଁ ଜଣାପଡିନି ତଥାପି ବଂଶାନୁକ୍ରମ, ପରିବେଶ ଓ ଭାଇରାଲ ସଂକ୍ରମଣ ଯୋଗୁଁ ଏହା ହୋଇପାରେ ।