ହାଇଦ୍ରାବାଦ:ଭାଲେଣ୍ଟାଇନ ସପ୍ତାହରେ ରିଲିଜ ହୋଇଛି ଦୁଇଟି ଭିନ୍ନ ଭାଷାର ରୋମାଣ୍ଟିକ ଫିଲ୍ମ । ଫେବୃଆରୀ 7ରେ ଏକାଦିନରେ ରିଲିଜ ହୋଇଛି ସାଉଥ ଫିଲ୍ମ 'ଥଣ୍ଡେଲ' ଓ ହିନ୍ଦୀ ଫିଲ୍ମ 'ଲଭୟାପା' । ଉଭୟ ରୋମାଣ୍ଟିକ ଫିଲ୍ମ ହୋଇଥିବା ବେଳେ ବକ୍ସ ଅଫିସରେ କଡା ଟକ୍କର ହୋଇଛି । ତେବେ ଦର୍ଶକ ଭିନ୍ନ କାହାଣୀ ଦେଖିବାକୁ ପାଇଥିବା ବେଳେ ଉଭୟ ଫିଲ୍ମ ପ୍ରଥମ ଦିନରେ କିଭଳି ପ୍ରଦର୍ଶନ କରିଛି ଏବଂ କେତେ କଲେକ୍ସନ କରିଛି ? ଜାଣନ୍ତୁ,
'ଥଣ୍ଡେଲ' ବକ୍ସ ଅଫିସ କଲେକ୍ସନ
ହିଟ୍ ଫିଲ୍ମ ଲଭଷ୍ଟୋରି ପରେ ସାଇ ପଲ୍ଲବୀଙ୍କ ସହ ନାଗା ଚୈତନ୍ୟ ଏହି ଫିଲ୍ମ ସହ ପୁଣି ଥରେ ଦର୍ଶକଙ୍କ ହୃଦୟକୁ ଛୁଇଁଛନ୍ତି । ଫେବୃଆରୀ ୭ ତାରିଖରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ସମାଲୋଚକ ଏବଂ ଦର୍ଶକ ଉଭୟଙ୍କ ଠାରୁ ସକାରାତ୍ମକ ପ୍ରତିକ୍ରିୟା ପାଇଛି । ସାକନିକଙ୍କ ଅନୁସାରେ, ଥଣ୍ଡେଲ ପ୍ରଥମ ଦିନରେ ପ୍ରାୟ ୧୦ କୋଟି ଟଙ୍କା ରୋଜଗାର କରିଛି । ତେଲୁଗୁ ସଂସ୍କରଣ 9.8 କୋଟି ଆୟ କରିଥିବା ବେଳେ ହିନ୍ଦୀରେ 15 ଲକ୍ଷ ଏବଂ ତାମିଲ 5 ଲକ୍ଷ ଆୟ କରିଛି ।
'ଲଭୟାପା' ବକ୍ସ ଅଫିସ କଲେକ୍ସନ
ସେହିପରି ଜୁନୈଦ ଖାନ ଏବଂ ଖୁସୀ କପୁରଙ୍କ ହିନ୍ଦୀ ଫିଲ୍ମ 'ଲଭୟାପା' ମଧ୍ୟ ସମାନ ଦିନରେ ରିଲିଜ ହୋଇଛି । ହେଲେ ଏହି ଫିଲ୍ମ ଦର୍ଶକଙ୍କ ମନ ଜିତିବାରେ ଅସପଳ ହୋଇଥିବା ମନେ ହେଉଛି । ମୁକ୍ତିଲାଭର ପ୍ରଥମ ଦିନ ଆୟର ପ୍ରାରମ୍ଭିକ ସଂଖ୍ୟା ମଧ୍ୟ ଆସିଯାଇଛି । ସାକନିକଙ୍କ ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, 'ଲଭୟାପା' ରିଲିଜର ପ୍ରଥମ ଦିନରେ 1.25 କୋଟି ଟଙ୍କା ରୋଜଗାର କରିଛି । ଯାହା ବେଶ କମ ଆୟ ହୋଇଛି ।
ଏହା ମଧ୍ୟ ପଢନ୍ତୁ:ଜୁନୈଦଙ୍କ ଫିଲ୍ମ 'ଲଭୟାପା' ସ୍କ୍ରିିନିଂ, ଏକାଠି ନଜର ଆସିଲେ ସଲମାନ-ଶାହାରୁଖ-ଆମୀର
'ଥଣ୍ଡେଲ'ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମରେ ରାଜୁ ଏବଂ ତାଙ୍କ ମତ୍ସ୍ୟଜୀବୀଙ୍କ ଦଳ ମାଛ ଧରିବା ସମୟରେ ପାକିସ୍ତାନୀ ଜଳସୀମାକୁ ଚାଲିଯାଆନ୍ତି । ରାଜୁ ଏବଂ ବୁଜ୍ଜୀ ଥାଲ୍ଲୀଙ୍କ ପ୍ରେମ କାହାଣୀ, ପୁନଃମିଳନ ମୁହୂର୍ତ୍ତ ପର୍ଯ୍ୟନ୍ତ ସେମାନଙ୍କର ସାହସ ଏବଂ ଶକ୍ତି ଏଥିରେ ସୁନ୍ଦର ଭାବରେ ଉପସ୍ଥାପନ କରାଯାଇଛି । ସେହିପରି 'ଲଭୟାପା' ଫିଲ୍ମ ବିଷୟରେ କହିବାକୁ ଗଲେ, ସିଦ୍ଧାର୍ଥ ପି. ମଲହୋତ୍ରାଙ୍କ ନିର୍ଦ୍ଦେଶିତ 'ଲଭୟାପା' ଏକ ରୋମାଣ୍ଟିକ ଡ୍ରାମା, ଯେଉଁଥିରେ ଜୁନୈଦ ଖାନଙ୍କ ସହ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ପ୍ରଯୋଜକ ବୋନି କପୁରଙ୍କ ସାନ ଝିଅ ଖୁସୀ କପୁର ଦ୍ୱାରା ଅଭିନୀତ । ଫିଲ୍ମର କାହାଣୀ ଏକ ଅସାଧାରଣ ପରିସ୍ଥିତି ଉପରେ ଗତି କରେ ଯେଉଁଥିରେ ଜଣେ ଝିଅର ବାପା ତାଙ୍କ ଝିଅ ଏବଂ ତାଙ୍କ ପ୍ରେମିକଙ୍କୁ ଫୋନ୍ ବଦଳାଇବାକୁ ବାଧ୍ୟ କରନ୍ତି, ଯାହା ସେମାନଙ୍କ ସମ୍ପର୍କରେ ଏକ ନୂତନ ମୋଡ଼ ଆଣେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ