ହାଇଦ୍ରାବାଦ:'ପୁଷ୍ପା ୨: ଦ ରୁଲ୍' (ଡିସେମ୍ବର 4) ର ପ୍ରିମିୟର୍ ସୋ ସମୟରେ ଥିଏଟରରେ ଠେଲାପେଲା ଘଟଣାରେ ମହିଳା ମୃତ୍ୟୁ ଘଟଣା । ଏନେଇ ତିନି ଜଣଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ । ସନ୍ଧ୍ୟା ଥିଏଟରରେ ଘଟିଥିବା ଏହି ଘଟଣାରେ ପ୍ରିମିୟର୍ ସୋ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ । ବର୍ତ୍ତମାନ ପୋଲିସ ସନ୍ଧ୍ୟା ଥିଏଟର ମାଲିକ ସମେତ 3 ଜଣଙ୍କୁ ଗିରଫ କରିଛି ।
ରବିବାର ଦିନ ପୋଲିସ କହିଛି ଯେ ଗିରଫ ଅଭିଯୁକ୍ତ ହେଲେ ସନ୍ଧ୍ୟା ଥିଏଟରର ଜଣେ ମାଲିକ ଏମ ସନ୍ଦୀପ, ସିନିୟର ମ୍ୟାନେଜର ଏମ ନାଗରାଜୁ (51) ଏବଂ ଲୋଏର ବାଲକୋନି ଦାୟିତ୍ୱରେ ଥିବା ବିଜୟ ଚନ୍ଦ୍ର (53)। ତାଙ୍କୁ କୋର୍ଟରେ ହାଜର କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ବହୁ ଜନସମାଗମ ହୋଇଥିବା ବେଳେ ଏହି ଠେଲାପେଲା ଘଟିଥିଲା, ଯେଉଁଥିପାଇଁ ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ ଏବଂ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣା ଡିସେମ୍ବର 4 ରେ ଘଟିଥିବା ବେଳେ ରେବତୀ ନାମକ ଜଣେ 35 ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଥିଲା ଏବଂ ତାଙ୍କ ପୁଅ ଚିକିତ୍ସିତ ହେଉଛନ୍ତି ।
ଅଲ୍ଲୁ ଅର୍ଜୁନଙ୍କ ସୁରକ୍ଷା ଟିମ ନାଁରେ ମଧ୍ୟ ମାମଲା ରୁଜୁ
କହିରଖୁଛୁ କି, ଘଟଣା ପରେ ମୃତକଙ୍କ ପରିବାର ଚିକ୍କଡପଲି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଧାରା 105 ଏବଂ 118 (1) ଅଧୀନରେ ଏକ ମାମଲା ରୁଜୁ ହୋଇଥିଲା । ସେଣ୍ଟ୍ରାଲ୍ ଜୋନ୍ ଡିସିପି ଅକ୍ଷୟ ଯାଦବ କହିଛନ୍ତି, “ଅଭିଯୋଗ ଅନୁଯାୟୀ, ଥିଏଟର ମ୍ୟାନେଜର, ଅଭିନେତା ଅଲ୍ଲୁ ଅର୍ଜୁନ ଏବଂ ତାଙ୍କ ସୁରକ୍ଷା ଟିମ ନାଁରେ ମାମଲା ରୁଜୁ କରାଯାଇଛି । ପୋଲିସ ପକ୍ଷରୁ କୌଣସି ଭୁଲ ହୋଇନଥିଲା । ଏଣୁ ସେହି ସମୟରେ ତାଙ୍କ ସୁରକ୍ଷା ଟିମରେ କିଏ ଉପସ୍ଥିତ ଥିଲେ ଏବଂ କିଏ ଲୋକମାନଙ୍କୁ ଠେଲିଥିଲେ ଯେଉଁ କାରଣରୁ ଏହି ପରିସ୍ଥିତି ଉପୁଜିଥିଲା । ତାହାର ତଦନ୍ତ ଚାଲିଛି। ”