ଭୁବନେଶ୍ବର: 'ଭାଇ-ଭଉଣୀ' ମଧୁର ସମ୍ପର୍କ କାହାଣୀକୁ ନେଇ ବଡ ପରଦାରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର 'ଭାଇ' । ଗତକାଲି (ଶୁକ୍ରବାର) ଭୁବନେଶ୍ବର ଶ୍ରୀୟା କମ୍ପ୍ଲେକ୍ସରେ ପ୍ରଥମ ପ୍ରିମିୟର ହୋଇଥିଲା । ପ୍ରଥମ ଦିନରେ ହଲ ହାଉସଫୁଲ ଥିବାବେଳେ ଦର୍ଶକଙ୍କର ବେଶ ଭଲ ପାଇବା ସାଉଁଟିଛି । ଆମର ଷ୍ଟୁଡିଓ ଏବଂ ଶ୍ରେୟାନ୍ସ ପ୍ରଡ଼କସନ୍ସ ବ୍ୟାନରରେ ପ୍ରସ୍ତୁତ ନବୀନ ଭଣ୍ଡାରୀ ଏବଂ କାଜଲ ରାୟଙ୍କ ପ୍ରଯୋଜନାରେ ନିର୍ମିତ ହୋଇଛି ଏହି ନୂଆ ଓଡ଼ିଆ ଚଳଚ୍ଚିତ୍ର "ଭାଇ" ।
ନୂଆ ଓଡ଼ିଆ ଚଳଚ୍ଚିତ୍ର "ଭାଇ" :
ଏହି ଚଳଚ୍ଚିତ୍ରରେ 'ତାଣ୍ଡବ',ମାଲ୍ୟଗିରି ଓ ‘ଗୁପଚୁପ'ର ନିର୍ଦ୍ଦେଶକ ପୃଥୀରାଜ ପଟ୍ଟନାୟକ ନିର୍ଦ୍ଦେଶନା ଦାୟିତ୍ୱ ନେଇଥିଲେ । ଏଥିରେ ଅଭିନେତା ସୁଜିତ (ଭାଇ) ଏବଂ ଦିବ୍ୟା (ଭଉଣୀ) ଚରିତ୍ରରେ ନଜର ଆସିଛନ୍ତି । ନାୟକ ଅମ୍ଳାନ ଦାସଙ୍କର ବଳିଷ୍ଠ ଅଭିନୟ ଏଥିରେ ଦେଖିବାକୁ ମିଳିଛି । ଯାହା ଦର୍ଶକଙ୍କୁ ବେଶ ଭଲ ଲାଗିବ ବୋଲି ଆଶା କରାଯାଉଛି । ଅଭିନେତ୍ରୀ ଅନନ୍ୟା ଓ ଦୃଷ୍ଟିକୋଣ ଚଳଚ୍ଚିତ୍ରର ଅଭିନେତା ବିକାଶ ମଧ୍ୟ ଭାଇରେ ଅଭିନୟ କରିଛନ୍ତି । 'ଭାଇ'ର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାରେ ପୃଥୀରାଜ ଥିବାବେଳେ ସଂଳାପ ରଚନା କରିଛନ୍ତି ରବିନାରାୟଣ ଦାସ । ଗୀତ ଅରୁଣ ମନ୍ତ୍ରୀ ଓ ରଞ୍ଜନ ନାୟକ ରଚନା କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନବ ସରୋଜ । ଚିତ୍ରତ୍ତୋଳନ କରିଛନ୍ତି ରୁଦ୍ର ।
ଭାଇ-ଭଉଣୀ ସମ୍ପର୍କକୁ ନେଇ ନିର୍ମିତ:
ଚଳଚ୍ଚିତ୍ରଟି ଆକ୍ସନ ଜୋନର ସିନେମା ହୋଇଥିବା ବେଳେ ଭାଇ-ଭଉଣୀ ସମ୍ପର୍କର ଅନେକ ମିଠା ସ୍ମୃତିକୁ ଏଥିରେ ଦେଖିବାକୁ ମିଳିଛି । ଏହାସହ ଭଉଣୀର ସୁଖ ଓ ସୁରକ୍ଷାକୁ ନେଇ ଭାଇ କେତେ ଶକ୍ତ ହୋଇଥାଏ । ଭଉଣୀର ସୁରକ୍ଷା ପାଇଁ ଭାଇ କିପରି ଦୁନିଆ ସହ ଲଢ଼ିଥାଏ । ତାହା ଏଥିରେ ଦେଖିବାକୁ ମିଳିଛି । ସୁଜିତ ଓ ଦିବ୍ୟା ଦୁଇଜଣ ଭାଇ-ଭଉଣୀ ଚରିତ୍ରରେ ରହିଥିବା ବେଳେ ଓଡ଼ିଆ ଦର୍ଶକଙ୍କୁ ଭାଇ-ଭଉଣୀ ସମ୍ପର୍କର ତ୍ୟାଗ,ବଳିଦାନ ,ସମର୍ପଣ ,ଭଲପାଇବା ଓ କର୍ତ୍ତବ୍ୟର ନିଖୁଣତାକୁ ଦେଖାଇବା ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ ।
ଲଦାଖରେ ହୋଇଛି ସୁଟିଂ:
ଭରପୁର ମନୋରଞ୍ଜନର ସହ ସିନେମାଟି ପ୍ରସ୍ତୁତ ହୋଇଥିବା ବେଳେ ଦର୍ଶକଙ୍କୁ ଭଲ ଲାଗିବ ବୋଲି ଆଶା କରିଛନ୍ତି ପ୍ରଯୋଜକ । ଏହାର ସୁଟିଂ ଓଡ଼ିଶାର ତଥା ଓଡ଼ିଶା ବାହାରେ ମନାଲି, ଲଦାଖ ଇତ୍ୟାଦି ସ୍ଥାନରେ ହୋଇଛି । ଏଥିରେ ପାରିବାରିକ କାହାଣୀ ସହ ଆକ୍ସନ୍କୁ ବେଶ୍ ଗୁରୁତ୍ଵ ଦିଆଯାଇଛି । ଯାହା ବିଶେଷ କରି ଦର୍ଶକଙ୍କୁ ଶେଷ ଯାଇଁ ବାନ୍ଧି ରଖିଛି ।
ଇଟିଭି ଭାରତ, ଭୁବନେଶ୍ବର