ଭୁବନେଶ୍ବର: ଓଡ଼ିଆ ସିନେ ଜଗତ ପାଇଁ ଏକ ଦୁଃଖଦ ଖବର । ଆରପାରିରେ ସିନେ ପ୍ରଯୋଜକ ବିଜୟ ପଟ୍ଟନାୟକ କଟକର SCB ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ବର୍ଷ ବୟସ ହୋଇଥିଲା । ତେବେ ଅଭିନୟ ପାଇଁ ବିଜୟଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଥିଲା । ତାଙ୍କ ମୃତ୍ୟୁରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।
ଓଲିଉଡ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଚେହେରା ଅଭିନେତା ତଥା ପ୍ରଯୋଜକ ବିଜୟ ପଟ୍ଟନାୟକ ଗତକାଲି ବିଳମ୍ବିତ ରାତିରେ ତାଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତେବେ ସୂଚନା ମୁତାବକ ସେ ୧୫ଦିନ ପୂର୍ବରୁ ଘରେ ଦୃଘଟଣାବଶତ ପଡ଼ିଯାଇଥିଲେ । ଫଳରେ ତାଙ୍କର ମୁଣ୍ଡରେ ଆଘାତ ଲାଗିଥିଲା । ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେହିଦିନ ହିଁ ତାଙ୍କୁ କଟକ ଏସିବି ପଠାଯାଇଥିଲା । ସେଠାରେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କର ନିଖୁଣ ଅଭିନୟ ପାଇଁ ତାଙ୍କୁ ଅନେକ ଲୋକ ନୂଆ ଟ୍ରେଣ୍ଡ ସେଟର ବୋଲି କହୁଥିଲେ । 'ଛବିର ମଣିଷ', 'ଅଗ୍ନି ସଂକେତ', ସିଦ୍ଧାନ୍ତ ମହାପାତ୍ର ଓ ରୂପା ଗାଙ୍ଗୁଲିଙ୍କ ଅଭିନୀତ 'ରଣଭୂମି', ୨୦୧୨ରେ ପରଦାକୁ ଆସିଥିବା ସିନେମା 'ଅଜାତି'ରେ ତାଙ୍କ ନିଖୁଣ ଅଭିନୟ ଦେଖିଛନ୍ତି ଦର୍ଶକ।