ଭୁବନେଶ୍ବର:ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର 'ଅକ୍ସିଜେନ' । ଏହା ନଭେମ୍ବରରେ ମୁକ୍ତିଲାଭ କରିବ ବୋଲି ସୂଚନା ଦେଇଛି ପ୍ରଯୋଜନା ସଂସ୍ଥା । 'ବୃକ୍ଷ ହିଁ ଜୀବନ, ଗଛ ବଞ୍ଚିଲେ ମଣିଷ ସମାଜ ବଞ୍ଚିବ ଏହି ନିଆରା ବାର୍ତ୍ତା ସହ ଭିନ୍ନ ଏକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି 'ଅକ୍ସିଜେନ'। ଏଥିରେ ଏକ ସୁନ୍ଦର ପ୍ରେମ କାହାଣୀ ମଧ୍ୟ ଦେଖିବାକୁ ମିଳିବ।
ଫିଲ୍ମର ଷ୍ଟାରକାଷ୍ଟ:
ଅପ୍ରୀ ପ୍ରଡକ୍ସନ ବୟାନରରେ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଥିବା ବେଳେ ମୁକ୍ତିଲାଭ ପୂର୍ବରୁ ଭୁବନେଶ୍ୱରର ବୁଲନଭାଇ ସେବା ସଦନରେ ଏହାର ଟ୍ରେଲର, ପୋଷ୍ଟର ଓ ମ୍ୟୁଜିକ ରିଲିଜ ହୋଇଯାଇଛି। ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସମ୍ବିତ, ତମନ୍ନା ଏବଂ ବବି ମିଶ୍ର। ପରିବେଶ ସୁରକ୍ଷାର କାହାଣୀ ସହ ପ୍ରତିଟି ଚରିତ୍ର ବେଶ ଜୀବନ୍ତ ହୋଇଛି । କଳାକାରମାନଙ୍କର ଦମଦାର ଅଭିନୟ ସାଙ୍ଗକୁ ଫିଲ୍ମର ଗୀତ ସବୁ ଖୁବ ମଧୁର ହୋଇଛି । ସବୁ ଗୀତ ଓଡି଼ଆ ଲୋକଙ୍କ ହୃଦୟକୁ ଛୁଇଁବ ବୋଲି ପ୍ରଯୋଜକ ପ୍ରସାଦ ପଣ୍ଡା ଆଶା ରଖିଛନ୍ତି । କାହାଣୀ ଏବଂ ସଂଳାପ ରଶ୍ମି ରଞ୍ଜନ ପଣ୍ଡା ଲେଖିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଛନ୍ତି ଅଭିଜିତ ମଜୁମଦାର। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପିନୁ ନାୟକ। ଗୀତିକାର ନିର୍ମଳ ନାୟକ ଗୀତକୁ ଶବ୍ଦରେ ସଜେଇ ଥିବାବେଳେ ହ୍ୟୁମାନ ସାଗର, ଅଭିଜିତ ମଜୁମଦାର, ସତ୍ୟଜିତ ପ୍ରଧାନ, ତାରିକ ଅଜିଜ, ନେହା ନିହାରିକା କଣ୍ଠଦାନ କରିଛନ୍ତି । ବାବୁ ପ୍ରଧାନ, ଡିସ୍କୋ ରେଡି, କୃଷ୍ଣ, ଶ୍ରାବଣୀ, ତାନିଆ, ଉମାକାନ୍ତ, ନିହାରିକା ଘୋଷ ପ୍ରମୁଖ ଅନ୍ୟ ଭୂମିକାର ରହିଛନ୍ତି ।
ଫିଲ୍ମର ଥିମ୍:
ବର୍ତ୍ତମାନ ମଣିଷ ନିଜ ନିଜର ସୁବିଧାକୁ ଚରିତାର୍ଥ କରିବାକୁ ଯାଇ ଅଧିକରୁ ଅଧିକ ଗଛ କାଟୁଛି । ଫଳରେ ବାୟୁ ମଣ୍ଡଳ ପ୍ରଦୂଷିତ ହେଉଥିବାବେଳେ ଅଙ୍ଗାରକାମ୍ଳ ବଢୁଛି ଓ ଅମ୍ଳଜାନ କମୁଛି । ଠିକ ଭାବେ ବର୍ଷା ହେଉ ନାହିଁ ଏବଂ ବର୍ଷା ଅଭାବରୁ କୃଷି ନଷ୍ଟ ହେଉଛି। ମଣିଷ ଶରୀର ସଠିକ ଭାବରେ କାର୍ଯ୍ୟ କରିବା ପାଇଁ ଅମ୍ଳଜାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବାୟୁରୁ ଶରୀର ଅମ୍ଳଜାନ ପାଇଥାଏ । ଅକ୍ସିଜେନ ଜୀବନ ଧାରଣାର ମୁଖ୍ୟ ଉତ୍ସ। ତେଣୁ ଜଙ୍ଗଲ ସୃଷ୍ଟି କରିବା ଓ ପରିବେଶକୁ ରକ୍ଷା କରିବା ଧାରଣାକୁ ନେଇ ତିଆରି ହୋଇଛି ଓଡି଼ଆ ଫିଲ୍ମ ‘ଅକ୍ସିଜେନ’।