ଭୁବନେଶ୍ବର: ଫିଲ୍ମ ଫ୍ରାଇଡେରେ ବଡ ପରଦାରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର 'ନିର୍ଣ୍ଣୟ' । ଶ୍ରଦ୍ଧା ସବୁରୀ ପ୍ରଡ଼କସନ୍ସର ପ୍ରଥମ ଅବଦାନ ତଥା ଟିକି ପଟ୍ଟନାୟକ ପ୍ରଯୋଜିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର 'ନିର୍ଣ୍ଣୟ' ଶୁଭମୁକ୍ତି କରିଛି। ସିନେପଲିସରେ ଏହାର ପ୍ରିମିୟର ଶୋ' ହୋଇଯାଇଛି । ପ୍ରଥମ ଶୋ'ରେ ଟିମର ସମସ୍ତ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକଙ୍କ ସମେତ ଓଲିଉଡର ଅନେକ କଳାକାର, ପ୍ରଯୋଜକ, ନିର୍ଦ୍ଦେଶକ ତଥା ସମୀକ୍ଷକ ଏକାଠି ହୋଇ ସିନେମା ଦେଖିଛନ୍ତି । ଏହି ଚଳଚ୍ଚିତ୍ର ୪ଟି କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ଓଡ଼ିଆ ମୌଳିକ କଥାବସ୍ତୁର ଏହି କାହାଣୀର ମୁଖ୍ୟ ୪ ଚରିତ୍ର ତାଙ୍କ ଜୀବନରେ ନେଉଥିବା ନିର୍ଣ୍ଣୟକୁ ନେଇ କାହାଣୀଟି ଗତିଶୀଳ ହୋଇଥିବା କହିଛି ପ୍ରଯୋଜନା ସଂସ୍ଥା । ତେଣୁ ଏହା ନିଶ୍ଚୟ ଓଡ଼ିଆ ସିନେପ୍ରେମୀଙ୍କୁ ଭଲ ଲାଗିବ ଓ ସିନେମାକୁ ଢେରସାରା ଭଲପାଇବା ଦେବେ ବୋଲି ଆଶା ରଖିଛନ୍ତି ଫିଲ୍ମର ପୁରା ଟିମ୍ ।
କାହାଣୀ ଅନୁସାରେ, ମୁଖ୍ୟ ଚରିତ୍ରମାନେ ଜୀବନ ବାଟରେ ଚାଲିଲା ବେଳେ, ସମୟ ସେମାନଙ୍କୁ ନେଇ ଏମିତି ମୋଡ଼ରେ ଛାଡିଛି ଯେ, ସେମାନେ ସମାଜ ଆଖିରେ ସେମାନେ କେଉଁଠି ନା କେଉଁଠି ଦୋଷୀ ହୋଇଯାଆନ୍ତି । ଭଲ ପାଇବାକୁ ଏକ ସମ୍ପର୍କର ନାଁ ଦେବା ପାଇଁ କାହିଁକି ଦୁଇ ଜଣ ଅନବରତ ଚେଷ୍ଟାରେ ଥାଆନ୍ତି । ଏହି ଚେଷ୍ଟାର ନାଁ ସମାଜ 'ଦୋଷ' ଦେଇଦିଏ । କେଉଁ ନିର୍ଣ୍ଣୟ ପାଇଁ ଆଜି ଏମିତି ଦୋଛକିରେ ଠିଆ ହୋଇଛନ୍ତି ? ନିଜ ପାଇଁ ନିର୍ଣ୍ଣୟ ନେବା ଆଉ ସେହି ନିର୍ଣ୍ଣୟରେ ନିଜକୁ ଠିଆ କରିବା କେତେ ଯୁକ୍ତିଯୁକ୍ତ ? ଭଳି ପ୍ରଶ୍ନକୁ ଆଧାର କରାଯାଇଛି ।
ପ୍ରଯୋଜକ ଟିକି ପଟ୍ଟନାୟକ 'ନିର୍ଣ୍ଣୟ'ର ପ୍ରଯୋଜନା ଦେଇଥିବାବେଳେ ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର । ଅଭିଜ୍ଞ ଯୁବ ନିର୍ଦ୍ଦେଶକ ରାଜେନ୍ଦ୍ର ମହାନ୍ତଙ୍କ ଦ୍ୱାରା ନିର୍ଦ୍ଦେଶିତ 'ନିର୍ଣ୍ଣୟ' ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ଶୁଭଶ୍ରୀ ଶୁଭଶ୍ମିତା ମିଶ୍ର ଏବଂ ସଂଳାପ ଲେଖିଛନ୍ତି ସୁମିତ ପଣ୍ଡା । ଚିତ୍ରତ୍ତୋଳନ ଦାୟିତ୍ୱରେ ଅଛନ୍ତି ଦୀପକ କୁମାର । ସେହିପରି ଗୀତ ରଚନା ସ୍ଥିତ ପଟ୍ଟନାୟକ, ସୁମିତ ପଣ୍ଡା କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବର୍ତ୍ତମାନର ଯୁବ ନିର୍ଦ୍ଦେଶକ ସୋମେଶ ଶତପଥି ଏବଂ ଗୌରବ ଆନନ୍ଦ । କଣ୍ଠଦାନ କରିଛନ୍ତି ସଞ୍ଚିତା ଶୁଭଦର୍ଶିନୀ, ଆଶିଷ ପ୍ରଧାନ, ଅନୁରାଧା ପାଣିଗ୍ରାହୀ ଏବଂ ଗୌରବ ଆନନ୍ଦ ।