ଭୁବନେଶ୍ୱର: ଫିଲ୍ମି ଫ୍ରାଇଡରେ ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ 'ପ୍ରେମୀ ଆୱାରା' । ସହରର ସ୍ଵାତୀ ହଲ ଠାରେ ଫିଲ୍ମର ପ୍ରିମିୟର ହୋଇଥିଲା । ରିଲିଜର ପ୍ରଥମ ଦିନରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଫିଲ୍ମ ଦେଖିଛନ୍ତି । ଏହି ସମୟରେ ମନ୍ତ୍ରୀ ଫିଲ୍ମର ପ୍ରଶଂସା କରିବା ସହ ଓଡ଼ିଆ ସିନେମାର ବିକାଶ ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।
ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିକ୍ରିୟା
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ଦେଇ କହିଛନ୍ତି, ''ବର୍ତ୍ତମାନ ଓଡ଼ିଆ ସିନେମା ଦେଖିବା ପାଇଁ ଲୋକମାନଙ୍କ ଭିତରେ ଉତ୍ସାହ ଓ ଆଗ୍ରହ ବଢିଛି । 'ପ୍ରେମୀ ଆୱାର'ରେ ଓଁକାର ଓ ଅଙ୍କିତ ଉଭୟ ଭଲ ଅଭିନୟ କରିଛନ୍ତି । ଆଗକୁ ସେମାନେ ଆହୁରି ଭଲ କରନ୍ତୁ ଓ କରିବେ । ଲୋକମାନଙ୍କ ଓଡ଼ିଆ ସିନେମା ପ୍ରତି ପୁଣି ଭଲପାଇବା ଦେଖିବାକୁ ମିଳିଛି ଏଣୁ ଲୋକେ ଫିଲ୍ମ ଦେଖିବାକୁ ଆସୁଛନ୍ତି । ଓଡ଼ିଆ ସିନେମା ଶିଳ୍ପ ଓ କଳାକାରଙ୍କ ପାଇଁ ସରକାର ସହଯୋଗ ଓ ପ୍ରୋତ୍ସାହନ ଦେବେ । ମୁଁ ମଧ୍ୟ ଏନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବି । ଯାହାଦ୍ୱାରା ଶିଳ୍ପର ସମୃଦ୍ଧି ସହ କଳାକାରକୁ ଆହୁରି ଭଲ କାମ କରିବା ପାଇଁ ପ୍ରୋତ୍ସାହିତ କରିବ ଏବଂ ମୋର ଆଶା ସିନେମାର ବିକାଶ ଦିଗରେ ସରକାର ଠିକ ସମୟରେ ଠିକ ନିଷ୍ପତି ନେବେ ।''
'ପ୍ରେମୀ ଆୱାରା' କାହାଣୀ
'ପ୍ରେମୀ ଆୱାରା' ଫିଲ୍ମଟି ଏକ ତ୍ରୀକୋଣୀୟ ପ୍ରେମ କାହାଣୀ ସହ ପରିବାରବାଦକୁ ନେଇ ଗତିଶୀଳ ହୋଇଥିବା ବେଳେ ଓଡିଶା ମାଟି ପବନ ସହ ଯୋଡି ହୋଇଥିବା ସୁନ୍ଦର କାହାଣୀଟିଏ । ଏହା ଅନନ୍ୟା ଏଣ୍ଟରଟେନମେଣ୍ଟ ଓ ଲୁବୁନ ଟୁବୁନ ପ୍ରଦକ୍ସନ ନିବେଦିତ ତଥା ପାର୍ବତୀ ଆଚାର୍ଯ୍ୟଙ୍କ ପ୍ରଯୋଜନାରେ ନିର୍ମିତ ହୋଇଛି ଚଳଚ୍ଚିତ୍ର ପ୍ରେମୀ ଆୱାରା । ଏହି ଫିଲ୍ମର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଲୁବୁନ-ଟୁବୁନ। କାହାଣୀ ଲେଖିଛନ୍ତି ଦୁର୍ଗା ଆଚାର୍ଯ୍ୟ । ସଂଳାପ ଦେଇଛନ୍ତି ସଞ୍ଜୟ ମହାକୁଳ । ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ଡ. ନିର୍ମଳ ନାୟକଙ୍କ ରଚିତ ଗୀତ ଗୁଡିକରେ କଣ୍ଠଦାନ କରିଛନ୍ତି ସ୍ୱୟଂ ପାଢ଼ୀ, ଅନନ୍ୟା ଆଚାର୍ଯ୍ୟ, ତାରିକ ଅଜିଜ, ଓଁକାର ଓ ଅଭିନିତ ମଜୁମଦାର । ଏଥିରେ ସମୁଦାୟ ପାଞ୍ଚ ଟି ଗୀତ ରହିଛି ।
ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ଫିଲ୍ମ 'ମିଶିରି' ରିଲିଜ ଡେଟ୍ ଆଉଟ୍, ଏହି ଦିନ ପରଦାରେ କରିବ ଧମାକା
'ପ୍ରେମୀ ଆୱାରା' ଷ୍ଟାରକାଷ୍ଟ
ଫିଲ୍ମରେ ପ୍ରେମ, ରୋମାନ୍ସ, ଡ୍ରାମା, ଇମୋସନ ଓ ଟ୍ରାଜେଡି ଉପରେ ଆଧାରିତ ଫିଲ୍ମର କାହାଣୀ । ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଉଦୀୟମାନ ତାରକା ଓଁକାର, ଅଙ୍କିତା। ଅନ୍ୟାନ୍ୟ ଭୂମିକାରେ ଧୀର ମଲ୍ଲିକ, ପ୍ରଭାତୀ ସାହୁ, ସରୋଜ ଦାଶ, ରବି ମିଶ୍ର, ରିସ୍ନା, କାଳିଆ, ତାନିଆ ଭାଇ, ବାବୁ ପ୍ରଧାନ, ଅପର୍ଣ୍ଣା, ଚୁନୁ, ନାରାୟଣ, ସୋନା, କୁମୁଦିନୀ, ଅକ୍ଷୟ, ନୁପୁର, ବିଜୟ, ସିଲା ଓ ଧୋନି । ଫିଲ୍ମରେ ଓଁକାର ଓ ଅଙ୍କିତାଙ୍କ ଜବରଦସ୍ତ କେମିଷ୍ଟ୍ରି ଦେଖିବାକୁ ପାଇବେ ଦର୍ଶକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ