ବ୍ରହ୍ମପୁର: ପ୍ରଥମ ଥର ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଜମୁଛି ବ୍ୟବସାୟ । ରାଜଧାନୀ ଭୁବନେଶ୍ଵର, କଟକ, ରାଉଲକେଲା ପରେ ଦକ୍ଷିଣ-ଓଡ଼ିଶାର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର କୁହାଯାଉଥିବା ବ୍ରହ୍ମପୁରରେ ପ୍ରଥମଥର ପାଇଁ ଆୟୋଜିତ ହୋଇଛି ଏହି ବାଣିଜ୍ୟ ମେଳା । ଯେଉଁଥିରେ ୨୦ଟି ରାଜ୍ୟ ସମେତ ୮ଟି ଦେଶରୁ ବ୍ୟବସାୟୀମାନେ ଆସି ନିଜର ଷ୍ଟଲ ଖୋଲିଛନ୍ତି । ରାଜସ୍ଥାନୀ ମାର୍ବଲ ହେଉ କି ଇରାନୀ ପର୍ସିଆନ କାର୍ପେଟ । ତୁର୍କୀର ମିଠା ସାଙ୍ଗକୁ କାଶ୍ମୀର ଫର୍ଣ୍ଣିଚର୍ ,ମାଲେସିଆର ଫାଉଏନନ୍ ଏବଂ ବାଂଲାଦେଶୀ ହ୍ୟାଣ୍ଡଲୁମ୍ ସହିତ ଭାରତୀୟ ବଜାରର ଭଳିକି ଭଳି ହସ୍ତତନ୍ତସ ଏଠାରେ ଉପଲବ୍ଧ ।
- ଜମୁଛି ବ୍ୟବସାୟ:
ଏହି ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଇରାନୀ ଗହଣା ସହିତ ଆଫଗାନିସ୍ତାନର ଡ୍ରାଏ ଫୁଡସ୍ , ରିଏଲ୍ ଇଷ୍ଟେଟ୍, ଷ୍ଟାର୍ଟ ଅପ୍ କମ୍ପାନୀ, ଉତ୍ପାଦକ, ବ୍ୟାଙ୍କ, ନିର୍ମାଣ ସାମଗ୍ରୀ, ହାର୍ଡୱେର୍, ଆସବାବପତ୍ର, ଶିକ୍ଷା, ଘର ସାଜସଜ୍ଜା ଭଳି ଅନେକ ଘରୋଇ ଓ ଇଲେକ୍ଟ୍ରୋନିକ୍ସ ଆଇଟମକୁ ଗୋଟିଏ ସ୍ଥାନରେ ପାଇବା ପରେ ଚାଲିଛି ଭଲ ବ୍ୟବସାୟ । ଏପରିକି ମେଳାରେ ଯୁବ ବର୍ଗଙ୍କ ପାଇଁ ସୋସିଆଲ ମିଡ଼ିଆରେ ୟୁନିକ୍ ଏବଂ ଭଲ ଟ୍ରେଣ୍ଡିଙ୍ଗ୍ ହେଉଥିବା ସାମଗ୍ରୀ ଗୁଡିକ ବେଶ ଭଲ ଦରରେ ଉପଲବ୍ଧ ରହିଥିବା ଯୋଗୁଁ ବେଶ ଖୁସି ସମସ୍ତେ । ଇଂଞ୍ଜିନିୟରିଙ୍ଗ୍ ସ୍କୁଲ ପଡ଼ିଆରେ ଆୟୋଜିତ ହୋଇଛି ମେଳା ।
- ଏମିତି କହିଲେ ବ୍ରହ୍ମପୁରବାସୀ:
ନିକିତା ସାହୁ ନାମକ ଜଣେ ମହିଳା କହିଛନ୍ତି," ଏଭଳି ସାମଗ୍ରୀ ପୂର୍ବରୁ କୈାଣସି ମେଳାରେ ଦେଖିବାକୁ ମିଳିନଥିଲା । ଭଳିକି ଭଳି ଷ୍ଟଲରେ ବିଭିନ୍ନ ଘରସଜା ଉପକରଣ ସାଙ୍ଗକୁ ଡ୍ରାଇ ଫୁଡସ୍ ଏବଂ ଆଦିବାସୀ ତେଲ ଷ୍ଟଲ କାଉଣ୍ଟରରେ ବେଶ ଭିଡ଼ ରହିଛି । ଏପରିକି ରୟାଲ ଷ୍ଟାଇଲର ଫନିଚର ସାଙ୍ଗକୁ ଭଳିକି ଭଳି ଉପକରଣ ବେଶ ସୁନ୍ଦର ଲାଗୁଛି ।" ସେହିପରି ରଞ୍ଜନ କୁମାର ପାତ୍ର ନାମକ ଜଣେ ବ୍ୟକ୍ତି କହିଛନ୍ତି," ପ୍ରଥମ ଥର ପାଇଁ ବ୍ରହ୍ମପୁର ସହରରେ ଏପରି ମେଳାର ଆୟୋଜନ ହୋଇଛି । ପୂର୍ବରୁ ଏହି ମେଳା ଦେଖିବାକୁ ବାହାରକୁ ଯିବାକୁ ପଡ଼ୁଥିଲା । "
ଆଫଗାନିସ୍ତାନରୁ ଆସିଛି ଡ୍ରାଏ ଫୁଡସ୍ :
ମହାରାଷ୍ଟ୍ରରରୁ ଆସିଥିବା ଏଞ୍ଜଲ ନମ୍ନୀ ଜଣେ ମହିଳା ବ୍ୟବସାୟୀ କହିଛନ୍ତି," ପ୍ରଥମ ଥର ପାଇଁ ବ୍ରହ୍ମପୁର ଆସିଛୁ । ଏହି ମେଳାକୁ ଆମେ ଅନେକ ସାମଗ୍ରୀ ଆଣିଛୁ, ବ୍ୟବସାୟ ମଧ୍ୟ ଭଲ ଚାଲିଛି ।" ସେହିପରି ଆଫଗାନିସ୍ତାନରୁ ଆସିଥିବା ଜଣେ ଡ୍ରାଏ ଫୁଡସ୍ ବ୍ୟବସାୟୀ କହିଛନ୍ତି," ମୋ ପାଖରେ ୪୦ ପ୍ରକାର ସାମଗ୍ରୀ ରହିଛି । ଖଜୁର ଠାରୁ ଆରମ୍ଭ କରି ଅଲମଣ୍ଡ ଭଳି ଅନେକ ଡ୍ରାଏ ଫୁଡସ୍ ରହିଛି । ତେବେ ଖଜାରର ମୂଲ୍ୟ ତିନି ହଜାର ଟଙ୍କା ରହିଥିବା ବେଳେ ପିସ୍ତାର କିଲୋପ୍ରତି ଦର ରହିଛି ୧୮ଶହ ଟଙ୍କା । "
ଏମିତି କହିଲେ ଆୟୋଜକ:
ଏହି ମେଳାର ଆୟୋଜକ ପାୟଲ ଆଚାର୍ଯ୍ୟ ଗୁପ୍ତା କହିଛନ୍ତି," ରାଜ୍ୟର ପ୍ରମୁଖ ସହରରେ ଜନସାଧାରଣଙ୍କ ମଧ୍ୟରେ କ୍ରୟ କରିବାର ସକ୍ଷମତା ରହିଥିବା ଆମେ ଅନୁଭବ କରି ରାଜଧାନୀ ଭୁବନେଶ୍ଵର,କଟକ, ରାଉଲକେଲା ଭଳି ସହରରେ ଏଭଳି ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆୟୋଜନ କରି ସଫଳତା ପାଇବା ପରେ ବ୍ରହ୍ମପୁର ସହରରେ ଆୟୋଜନ କରାଯାଇଛି । ଏଠାରେ ଦେଶ-ବିଦେଶରୁ ଆସିଥିବା ବିଭିନ୍ନ ସାମଗ୍ରୀ ମିଳୁଛି । "
ଇଟିଭି ଭାରତ , ବ୍ରହ୍ମପୁର