ହାଇଦ୍ରାବାଦ:ବିବାଦ ଘେରରେ ଛନ୍ଦି ହୋଇଛିକଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମରଜେନ୍ସି' । ଫିଲ୍ମକୁ ଜୋରଦାର ବିରୋଧ କରାଯାଉଥିବା ବେଳେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ଜୋର ଧରିଛି । ଏପରି ସମୟରେ ସେନ୍ସର ବୋର୍ଡ ମଧ୍ୟ ସାର୍ଟିଫିକେଟ ପ୍ରଦାନ କରିନାହିଁ । ଫଳରେ ଫିଲ୍ମ ରିଲିଜ ସ୍ଥଗିତ ରହିଛି । ଫିଲ୍ମ ସେପ୍ଟେମ୍ୱର 6 ରେ ରିଲିଜ ହେବାର ଥିଲା । ହେଲେ ବର୍ତ୍ତମାନ ଏହି କାରଣରୁ ଫିଲ୍ମ ରିଲିଜ ଘୁଞ୍ଚିଥିବା ଜଣାପଡିଛି । କେବଳ ଏତିକି ନୁହେଁ 'ଏମରଜେନ୍ସି'ରୁ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ସିନ ହଟାଇବାକୁ କଙ୍ଗନାଙ୍କ ଉପରେ ସେନ୍ସର ବୋର୍ଡ ଚାପ ପକାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି । ସେପଟେ ମଧ୍ୟପ୍ରଦେଶ ହାଇକୋର୍ଟରେ ଫିଲ୍ମ ଉପରେ ରୋକ ଲଗାଇବାକୁ ଦାୟର ହୋଇଥିବା ମାମଲା ଉପରେ ହୋଇଛି ଶୁଣାଣି । କୋର୍ଟ ସିବିଏଫସିକୁ ସାର୍ଟିଫିକେଟ ଦେବା ପୂର୍ବରୁ ଫିଲ୍ମ ବିରୋଧରେ ଆସିଥିବା ଆପତ୍ତି ଉପରେ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
'ଏମରଜେନ୍ସି' ଫିଲ୍ମ ବ୍ୟାନ କରିବାକୁ ମଧ୍ୟପ୍ରଦେଶ ହାଇକୋର୍ଟରେ ମାମଲା
ସେପଟେ'ଏମରଜେନ୍ସି' ଫିଲ୍ମକୁ ବିରୋଧ କରି ଜବଲପୁର ଏବଂ ଇନ୍ଦୋରର ଶିଖ ସମ୍ପ୍ରଦାୟ ଏହି ଫିଲ୍ମରେ ମଧ୍ୟପ୍ରଦେଶ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଯାହାର ଶୁଣାଣି କରି ମଧ୍ୟପ୍ରଦେଶ ହାଇକୋର୍ଟ ଅଭିନେତ୍ରୀ କଙ୍ଗନାଙ୍କ ଆଗାମୀ ଫିଲ୍ମ ରିଲିଜ ଉପରେ ରୋକ ଲଗାଇବା ଉପରେ ନିର୍ଦ୍ଦେଶ ଦେବାକୁ ମନା କରିଦେଇଛନ୍ତି । ଏଥିସହ କୋର୍ଟ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) କୁ ସେନ୍ସର ସାର୍ଟିଫିକେଟ୍ ଦେବା ପୂର୍ବରୁ ଫିଲ୍ମ ବିରୋଧରେ ଆସିଥିବା ଆପତ୍ତି ଉପରେ ବିଚାର କରିବାକୁ କହିଛନ୍ତି । ସୂଚନା ଥାଉ କି, ଏହି ଚଳଚ୍ଚିତ୍ର ରିଲିଜକୁ ଚ୍ୟାଲେଞ୍ଜ କରି ମଧ୍ୟପ୍ରଦେଶ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଏଲ) ଦାଖଲ ହୋଇଥିଲା । ଏହି ସମୟରେ ସେନ୍ସର ବୋର୍ଡ ଫିଲ୍ମକୁ ସାର୍ଟିଫିକେଟ ଦିଆଯାଇନଥିବା ସ୍ପଷ୍ଟ କରିଥିଲେ । କେବଳ ସାର୍ଟିଫିକେଟ୍ ନମ୍ବର ଜାରି କରାଯାଇଛି । ଯାହା ପରେ ଏହି ମାମଲାର ଆଜି ପ୍ରଧାନ ବିଚାରପତି ସଞ୍ଜୀବ ସଚ୍ଚଦେବ ଏବଂ ଜଷ୍ଟିସ ବିନୟ ସାରଫଙ୍କ ଏକ ଡିଭିଜନ୍ ବେଞ୍ଚ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।
ସିବିଏଫସି ଏଯାଏଁ ଦେଇନି ସାର୍ଟିଫିକେଟ୍
'ଏମରଜେନ୍ସି' ରିଲିଜରେ ବିଳମ୍ବ ଏବଂ ସେନ୍ସସିପ ଉପରେ କଙ୍ଗନା ରାନାୱତ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଏହି ପ୍ରକ୍ରିୟାକୁ ସମାଲୋଚନା କରି କହିଛନ୍ତି ଯେ ଐତିହାସିକ ଘଟଣାଗୁଡ଼ିକୁ ଚିତ୍ରଣ କରିବାକୁ ଚେଷ୍ଟା କରୁଥିବା ତାଙ୍କ ଭଳି ଚଳଚ୍ଚିତ୍ର ନିର୍ମାତାଙ୍କ ପ୍ରତି ଏହା ଅତ୍ୟନ୍ତ ନିରାଶାଜନକ ଏବଂ ଅନ୍ୟାୟ । ଯଦିଓ ଅନୁମୋଦନ ବିଷୟରେ ପ୍ରାରମ୍ଭିକ ରିପୋର୍ଟ ଥିଲା, ତଥାପି ସିବିଏଫସି ସଦସ୍ୟଙ୍କ ବିରୋଧରେ ମୃତ୍ୟୁ ଧମକ ସମେତ ବିଭିନ୍ନ ଚାପ ଯୋଗୁଁ ପ୍ରମାଣପତ୍ର ପ୍ରକ୍ରିୟା ସ୍ଥଗିତ ରଖାଯାଇଛି ।