ଓଡିଶା

odisha

ETV Bharat / entertainment

25ବର୍ଷ ପରେ ଭାରତ ଫେରିଲେ ମମତା କୁଲକର୍ଣ୍ଣି, ଭିଡ଼ିଓ ସେୟାର କରି ହେଲେ ଭାବବିହ୍ୱଳ

ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଭାରତ ଫେରିଛନ୍ତି । ଦୀର୍ଘ 25ବର୍ଷ ପରେ ସ୍ୱଦେଶ ଫେରିବା ନେଇ ହୋଇଛନ୍ତି ଭାବବିହ୍ୱଳ ।

Mamta Kulkarni returns india
Mamta Kulkarni returns india (Song Poster)

By ETV Bharat Entertainment Team

Published : 16 hours ago

ହାଇଦ୍ରାବାଦ:'କରଣ ଅର୍ଜୁନ' ଫେମ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଦୀର୍ଘ ଦିନ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଥିଲେ । ଫ୍ୟାନ୍ସ ମାନେ ତାଙ୍କ ବିଷୟରେ ଏବଂ ସେ କେଉଁଠାରେ ଅଛନ୍ତି ଜାଣିବାକୁ ବହୁତ ଉତ୍ସାହିତ ହୋଇରହିଥିଲେ । ତେବେ ବର୍ତ୍ତମାନ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ଆସିଛି । ମମତା କୁଲକର୍ଣ୍ଣି ବର୍ତ୍ତମାନ ଭାରତ ଫେରିଛନ୍ତି । ଅଭିନେତ୍ରୀଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଏହି ସୂଚନା ଦେଇଛନ୍ତି। ତେବେ ଦୀର୍ଘ ବର୍ଷ ପରେ ଅଭିନେତ୍ରୀ ନିଜ ଦେଶକୁ ଫେରୁଥିବା ବେଳେ ଭାବବିହ୍ୱଳ ହୋଇଛନ୍ତି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

25 ବର୍ଷ ପରେ ଭାରତ ଫେରିଲେ ମମତା କୁଲକର୍ଣ୍ଣି

ମମତା କୁଲକର୍ଣ୍ଣି ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ସେ 25 ବର୍ଷ ପରେ ଭାରତ ଫେରିବା ବିଷୟରେ ନିଜର ଭାବନା ପ୍ରକାଶ କରିଛନ୍ତି। ଭିଡିଓରେ ସେ କହୁଛନ୍ତି, “ମୁଁ ମମତା କୁଲକର୍ଣ୍ଣି ଏବଂ ମୁଁ 25 ବର୍ଷ ପରେ ଭାରତ, ବମ୍ବେ, ମୁମ୍ବାଇ ଏବଂ ଆମ୍ଚି ମୁମ୍ବାଇ ଆସିଛି।” ଅଭିନେତ୍ରୀ ଭାବପ୍ରବଣ ହୋଇ କହିଛନ୍ତି ଯେ ଯେତେବେଳେ ମୁଁ 2000 ମସିହାରେ ଭାରତ ଛାଡି 2024 ମସିହାରେ ଫେରିଆସିଥିଲି, ମୁଁ ବହୁତ ଖୁସି, ମୁଁ ମୋର ଭାବନା ପ୍ରକାଶ କରିବାକୁ ସକ୍ଷମ ନୁହେଁ, ବିମାନ ଉଡ଼ାଣ ଭାରତରେ ଅବତରଣ କରିବା ପୂର୍ବରୁ ମୁଁ ମୋର ଡାହାଣ-ବାମକୁ ଦେଖୁଥିଲି, ଏବଂ 24 ବର୍ଷ ପରେ ମୁଁ ମୋ ଦେଶକୁ ଉପରରୁ ଦେଖିଲି, ମୋ ଆଖି ଲୁହରେ ଭରିଗଲା । ମୁମ୍ବାଇ ବିମାନବନ୍ଦରରେ ପାଦ ଦେବା ମାତ୍ରେ ମୁଁ ଉତ୍ସାହିତ ହୋଇଗଲି । ମମତା କୁଲକର୍ଣ୍ଣି ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, '2012 ରେ କୁମ୍ବ ମେଳାରେ ଯୋଗଦେବାର 12 ବର୍ଷ ପରେ ମୁଁ କୁମ୍ବ ମେଳା ପାଇଁ ମୋର ମାତୃଭୂମି ଭାରତକୁ ଫେରି ଆସିଛି।'

ଅଭିନେତ୍ରୀଙ୍କ ସହ ଜଡ଼ିତ ବିବାଦ

କହିରଖୁଛୁ କି, 2016 ମସିହାରେ ମମତାଙ୍କ ନାଁ 2 ହଜାର କୋଟି ଟଙ୍କା ମୂଲ୍ୟର ଏକ ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟରେ ଜଡିତ ତଥା ମିଥାମଫେଟାମାଇନ୍ ବେଆଇନ ଉତ୍ପାଦନ ପାଇଁ ଗ୍ୟାଙ୍ଗଷ୍ଟରମାନଙ୍କୁ ଏଫେଡ୍ରାଇନ୍ ଯୋଗାଉଥିବା ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଖବର ଅନୁଯାୟୀ, ମମତା ତାଙ୍କ ସାଥୀ ବିକି ଗୋସ୍ୱାମୀ ଏବଂ ଅନ୍ୟ ସହଯୋଗୀମାନଙ୍କ ସହ 2016 ରେ କେନିଆରେ ଏକ ଡ୍ରଗ୍ସ ମିଟିଂରେ ଯୋଗ ଦେଇଥିଲେ । ଯାହା ପରେ ତାଙ୍କ ନାଁରେ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଥିଲା ।

ଏହା ମଧ୍ୟ ପଢନ୍ତୁ:ପୁଣି ପରଦାକୁ ଫେରୁଛନ୍ତି କରଣ-ଅର୍ଜୁନ, ଏହି ଦିନ ଫିଲ୍ମ ହେବ ରି-ରିଲିଜ

ମମତାଙ୍କର ଶେଷ ଚଳଚ୍ଚିତ୍ର

90 ଦଶକରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିବା ମମତା କୁଲକର୍ଣ୍ଣି ନିଜ ଅଭିନୟ ପାଇଁ ବେଶ ଲୋକପ୍ରିୟତା ସହ ପ୍ରଶଂସା ସାଉଁଟିଥିଲେ । 1991 ରେ ତାମିଲ ଚଳଚ୍ଚିତ୍ର 'ନନବର୍ଗଲ' ସହିତ ମମତା ଡେବ୍ୟୁ କରିଥିଲେ। ଏଥି ସହିତ, 1992 ମସିହାରେ ସେ ଫିଲ୍ମ 'ମେରା ଦିଲ ତେରେ ଲିଏ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ମମତା 'ତିରଙ୍ଗା', 'ୱାକ୍ଟ ହମାରା ହେ', 'ଆଶିକ୍ ଆୱାରା', 'କ୍ରାନ୍ତିବୀର', 'କରଣ-ଅର୍ଜୁନ', 'ଘାତକ', 'ଚୁପା ରୁସ୍ତମ' ଭଳି ହିଟ୍ ଫିଲ୍ମରେ କାମ କରିଥିଲେ। ମମତା ଶେଷ ଥର ପାଇଁ 2002 ରେ ମୁକ୍ତିଲାଭ କରିଥିବା 'କଭି ତୁମ୍ କଭି ହମ୍' ଫିଲ୍ମରେ ନଜର ଆସିଥିଲେ। ଏଥି ସହିତ, 2003 ମସିହାରେ ମମତା ବାଂଲାଦେଶୀ ଚଳଚ୍ଚିତ୍ର 'ଶେଶ ବଙ୍ଗସୋଦାର'ରେ କାମ କରିଥିଲେ । 'କରଣ-ଅର୍ଜୁନ'ରେ 'ରାଣା ଜୀ ମାଫ କରନା' ଗୀତ ପାଇଁ ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details