ଭୁବନେଶ୍ୱର: ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି ଓଡ଼ିଆ ଫିଲ୍ମ 'ବଇଦ' । ଶୁକ୍ରବାର ପିଭିଆରରେ ଏହାର ପ୍ରିମିୟର ହୋଇଯାଇଛି । ବଇଦ ଏକ ମୌଳିକ କାହାଣୀକୁ ନେଇ ଗତିଶୀଳ ହେଉଥିବା ବେଳେ ଏହା ପ୍ରଥମ ଫାଉଣ୍ଡ ଫୁଟେଜ ଫିଲ୍ମ । ଯେଉଁଥିରେ କ୍ୟାମେରା ଓ କଣ୍ଟେଣ୍ଟ ନାୟକ ସାଜିଛନ୍ତି । ଭିନ୍ନ ଏକ କାହାଣୀକୁ ଫିଲ୍ମ ନିର୍ମିତ ହୋଇଥିବା ବେଳେ ପ୍ରଥମ ଦିନରେ ଫିଲ୍ମ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ସିନେମା ଭିତରେ ସିନେମା ପ୍ରସ୍ତୁତର ଅନେକ ଅକୁହା କାହାଣୀକୁ ଦର୍ଶାଯାଇଛି । ଯାହା ବେଶ ଭୟଙ୍କର ଓ ରୋମାଞ୍ଚକର ହୋଇଥିବା ବେଳେ ଲାଇଭ ଭିଡିଓ ସହ ନୂଆ ଏକ ଯୁବ ଟିମ ଏଥିରେ କାମ କରିଛନ୍ତି । ଫିଲ୍ମର ଶେଷଭାଗ ବେଶ ଭୟାନକ ଓ ରୋମାଞ୍ଚକର ହୋଇଥିବା ବେଳେ ନୂଆ ଏବଂ ଭିନ୍ନ ସ୍ୱାଦ ନେଇ ଆସିଥିବା ଏହି ମୌଳିକ କାହାଣୀକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ ।
'ବଇଦ' ଷ୍ଟାରକାଷ୍ଟ
ଏମଏନଏମ ଏଣ୍ଟରଟେଣ୍ଟମେଣ୍ଟ ବ୍ୟାନରରେ ଫିଲ୍ମ ପ୍ରସ୍ତୁତ ହୋଇଥିବା ବେଳେ ପ୍ରଯୋଜନା ଓ ନିର୍ଦ୍ଦେଶନା ଦେଇଛନ୍ତି ମୟୂର ମହାପାତ୍ର । ନିର୍ଦ୍ଦେଶକ ଓ ଲେଖକ ଭାବେ ସିଦ୍ଧାନ୍ତ ସ୍ୱରୂପ ରହିଥିବା ବେଳେ ସହ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି ମନୋଜ ପଣ୍ଡା । ସେହିପରି ସିଦ୍ଧାର୍ଥ ରାୟ, ଶୁଭାଙ୍ଗୀ ହରିଚନ୍ଦନ, ସାଇସ୍ରେଷ୍ଟ ଦାସ, ରାଜେଶ ମହାନ୍ତି ଓ ଶିବାନୀ ଖରା ତାରକା ଅଭିନୟ କରିଛନ୍ତି । ନିପଟ ମଫସଲର ଏକ ସତ୍ୟ ଘଟଣାକୁ ନେଇ ସିନେମାଟି ପ୍ରସ୍ତୁତ ହୋଇଥିବା ବେଳେ ଗାଁ ଲୋକମାନେ ବି ଏଥିରେ ଅଭିନୟ କରିଛନ୍ତି ।
'ବଇଦ' କାହାଣୀ
ଦୁଇଜଣ ପୁଅ ଓ ଜଣେ ଝିଅ ଯନ୍ତୁପୁର ନାମକ ଏକ ସ୍ଥାନକୁ ଡକୁମେଣ୍ଟ୍ରି ଫିଲ୍ମ ମେକିଙ୍ଗ ପାଇଁ ଯିବା ପରେ ସେମାନଙ୍କ ଭେଟ ଏକ ଡାକ୍ତରଙ୍କ ସହ ହୁଏ । ପରେ ସେମାନଙ୍କ ସହ କଣ ସବୁ ଘଟଣା ଓ ଦୁର୍ଘଟଣା ଘଟେ ତାକୁ ନେଇ ସିନେମାଟି ପ୍ରସ୍ତୁତ ହୋଇଛି । ଥ୍ରୀଲର ଓ ସସପେନ୍ସ ଭରା ଏହି ଚଳଚିତ୍ର ହୋଇଥିବା ବେଳେ କେନ୍ଦୁଝର ଜଙ୍ଗଲରେ ଏହାର ସୁଟିଂ ହୋଇଛି । ଭିନ୍ନ ଏକ ପ୍ରୟାସ ସହ ନୂଆ ଏକ ଚିନ୍ତାଧାରାକୁ ନେଇ ୧ ଘଣ୍ଟା ୨୦ ମିନିଟର ଏହି ସିନେମାର ପ୍ରତିଟି ଲୋକଙ୍କୁ ଏକ ନୂଆ ଅନୁଭୂତି ଆଣିଦେଇଛି ତେଣୁ ଫିଲ୍ମଟି ଡକୁମେଣ୍ଟ୍ରି ପ୍ୟାଟେନ ହୋଇଥିଲେ ବି ଦର୍ଶକଙ୍କ ହୃଦୟକୁ ଛୁଇଁବେ ବୋଲି କହିଛନ୍ତି ଲେଖକ ସିଦ୍ଧାନ୍ତ ସ୍ୱରୂପ । ସେପଟେ ଧୀରେ ଧୀରେ ଲୋକଙ୍କ ରୁଚି ବଦଳୁଥିବ ବେଳେ ନୂଆ ଏକ ଗବେଷଣାତ୍ମକ ସିନେମାକୁ ନେଇ ବଇଦ ଆସୁଥିବା ବେଳେ ଏହା ନିଶ୍ଚୟ ଲୋକଙ୍କ ମନକୁ ଛୁଇଁବ ବୋଲି ପ୍ରଯୋଜକ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ପରଦାରେ 'ୱାଇଫ୍', 'ସ୍ତ୍ରୀ'ର ତ୍ୟାଗ, ବଳିଦାନ ଓ ସଂଘର୍ଷର କାହାଣୀ ଦେଖିଲେ ଦର୍ଶକ
ଇଟିଭି ଭାରତ, ଭୁବନେଶ୍ୱର