ହାଇଦ୍ରାବାଦ:ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହି ଐତିହାସିକ ସମାରୋହ ପାଇଁ ଭକ୍ତିମୟ ପରିବେଶରେ ସାରା ଦେଶ । ଏହି ସମାରୋହରେ ସାମିଲ ହେବାକୁ ଅନେକ ତାରକାଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ବର୍ତ୍ତମାନ ଅଯୋଧ୍ୟାରେ ପହଞ୍ଚିଛନ୍ତି କଙ୍ଗନା ରାଣାୱତ । ସେପଟେ ରଜନୀକାନ୍ତ, ଧନୁଷ, ରଣଦୀପ ହୁଡା ଏବଂ ଅନୁପମ ଖେର ବର୍ତ୍ତମାନ ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି ।
ବଲିଉଡ କୁଇନ କଙ୍ଗନା ରାଣାୱତ ଅଯୋଧ୍ୟାରେ ପହଞ୍ଚି ବିଭିନ୍ନ ମନ୍ଦିର ପରିଦର୍ଶନ କରିବା ସହ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ମଧ୍ୟ ଭେଟିଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ ଏହି ସମୟର ଅନେକ ଭିଡିଓ ସେୟାର କରିଛନ୍ତି । ଅଯୋଧ୍ୟାରେ ପହଞ୍ଚି ସେ ହନୁମାନ ଗଡି ମନ୍ଦିରର ଦର୍ଶନ କରିଥିଲେ । ଏହି ସମୟରେ ସେ ମନ୍ଦିର ବେଢାରେ ପୋଛା ମାରିଥିଲେ ଏବଂ ମନ୍ଦିରର ଯଜ୍ଞରେ ମଧ୍ୟ ସାମିଲ ହୋଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସମୟରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ମନ୍ଦିର ବେଢାରେ ପୋଛା ଲଗାଇ ବେଶ ଖୁସି ଥିବା କହିଛନ୍ତି । ଏଥିସହ ଏହି ସଫେଇ କାର୍ଯ୍ୟକ୍ରମରେ ସେ ସାମିଲ ହୋଇ ଜନସାଧାରଣଙ୍କୁ ମଧ୍ୟ ଏଥିରେ ସାମିଲ ହେବାକୁ ନିବେଦନ କରିଛନ୍ତି ।
ସେ ଆହୁରି କହିଛନ୍ତି, ଅଯୋଧ୍ୟା ଆସି ବେଶ ଭଲ ଲାଗୁଛି । ଫୁଲମାଳାରେ ପୁରା ରାମ ନଗରୀ ସଜେଇ ହୋଇଛି ଏବଂ ଚାରିଆଡେ ପଣ୍ଡିତଙ୍କ ଦ୍ବାରା ଯଜ୍ଞ ହେଉଛି । ବହୁତ ଭକ୍ତିମୟ ପରିବେଶ ଦେଖି ବେଶ ଖୁସି ଲାଗୁଥିବା ସେ କହିଛନ୍ତି । ଏଥିସହ ଏହି ସମାରୋହକୁ ବିଜେପି କାର୍ଯ୍ୟକ୍ରମ କହୁଥିବା ଏବଂ ଏହି ସମାରୋହରେ ବିରୋଧୀ ସାମିଲ ନହେବା ପ୍ରସଙ୍ଗରେ ମଧ୍ୟ ସେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଯଦି ସେମାନଙ୍କ ଦ୍ବାରା ଏହା ସମ୍ଭବ ହୋଇଥାନ୍ତା ତେବେ ରାମ ବହୁତ ଆଗରୁ ଆସିଯାଇଥାନ୍ତି । ଏହା ସେମାନଙ୍କ ଦ୍ବାରା ସମ୍ଭବ ନୁହେଁ । ଏଥିପାଇଁ ରାମ ଏବେ ଆସୁଛନ୍ତି । ତାହାର ମଧ୍ୟ କିଛି କାରଣ ରହିଛି । ଆମ ସମସ୍ତଙ୍କ ପାଇଁ ଏହା ରାମମୟ ହେବାର ସମୟ । ଯାହାକୁ ନାରାଜ ହୋଇ ଆସିବାର ନାହିଁ ନଆସନ୍ତୁ ।