ଲସ ଆଞ୍ଜେଲସ:ପୁଣି ଓସ୍କାରରେ ଚମକିଲା ଏସ ଏସ ରାଜାମୌଲିଙ୍କ ଫିଲ୍ମ 'ଆରଆରଆର' । ଫିଲ୍ମର ଓସ୍କାର ବିଜେତା ଗୀତ 'ନାଟୁ ନାଟୁ' ପୁଣି ଥରେ ଓସ୍କାରରେ ପ୍ରଦର୍ଶିତ ହୋଇଛି । ଓସ୍କାର ସ୍କ୍ରିନରେ 'ଆରଆରଆର'ର ଝଲକ ଦୁଇ ଥର ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଆରଆରଆର ମୁଭି ପକ୍ଷରୁ ଏହି ଭିଡିଓ ସେୟାର କରାଯାଇଛି । ଯାହା ଏବେ ବେଶ ଭାଇରାଲ ହେଉଥିବା ବେଳେ ଏହାକୁ ଲୋକେ ପୁଣି ଥରେ ଓସ୍କାର ମଞ୍ଚରେ ଜଲୱା ଦେଖାଇ ଭାରତୀୟଙ୍କୁ ଗର୍ବିତ କରିଛି । ଏଥିସହ କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କୁ ମଧ୍ୟ ଓସ୍କାରରେ ସମ୍ମାନିତ କରାଯାଇଛି ।
ଓସ୍କାରରେ ପୁଣି 'ଆରଆରଆର'କୁ ମିଳିଲା ସମ୍ମାନ
'ଆରଆରଆର' ଓସ୍କାର ୨୦୨୪ରେ ପରଦାରେ ଦୁଇଥର ପ୍ରଦର୍ଶିତ ହୋଇଛି । ସର୍ବପ୍ରଥମେ, ଷ୍ଟଣ୍ଟ କଳାକାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବାବେଳେ ପରଦାରେ ଫିଲ୍ମର ଆକ୍ସନ ସିନ ଝଲକ ପ୍ରଦର୍ଶିତ କରାଯାଇଥିଲା । ଏହା ପରେ ଶ୍ରେଷ୍ଠ ଅରିଜିନାଲ ଗୀତ ପୁରସ୍କାର ଘୋଷଣା ସମୟରେ ଓସ୍କାର ବିଜେତା ଗୀତ 'ନାଟୁ ନାଟୁ' ପ୍ରଦର୍ଶିତ ହୋଇଥିଲା । ଯେଉଁଥିରେ ରାମ ଚରଣ ଏବଂ ଜୁନିଅର ଏନଟିଆର 'ନାଟୁ ନାଟୁ' ଗୀତର ହୁକ୍ ଷ୍ଟେପ୍ କରୁଥିଲେ । ଓସ୍କାର ୨୦୨୪ରୁ ନାଟୁ ନାଟୁର ଏହି ଝଲକ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।
ଏହା ମଧ୍ୟ ପଢନ୍ତୁ:ଇତିହାସ ରଚିଲା RRR, ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ନାଟୁ ନାଟୁକୁ ମିଳିଲା ଓସ୍କାର
ସୂଚନା ଥାଉ କି, ୯୫ତମ ଓସ୍କାର ଆୱାର୍ଡ ହାତେଇଥିଲା RRR । ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ RRR ଫିଲ୍ମର ନାଟୁନାଟୁ ଗୀତ ଓସ୍କାର ପୁରସ୍କାର ହାସଲ କରିଥିଲା । ଏହି ବର୍ଗରେ RRR ପ୍ରଥମ ଭାରତୀୟ ଫିଲ୍ମ ଭାବେ ସ୍ଥାନ ପାଇ ଇତିହାସ ରଚିଥିଲା । ଏଥିସହ ଓସ୍କାର ମଞ୍ଚରେ ନାଟୁ-ନାଟୁ ଗୀତର ଲାଇଭ୍ ପ୍ରଦର୍ଶନ ମଧ୍ୟ ହୋଇଥିଲା । ଏହି ଗୀତର ଗାୟକ କାଲ ଭୈରବ ଏବଂ ରାହୁଲ ସିପ୍ଲିଗୁଞ୍ଜ ନିଜେ ଓସ୍କାର ମଞ୍ଚରେ ଗୀତ ଗାଇଥିଲେ । ତେବେ ପୁଣି ଥରେ ଏହି ଫିଲ୍ମର ଝଲକ ଅନ୍ତର୍ଜାତୀୟ ମଞ୍ଚରେ ଦେଖିବାକୁ ମିଳିଛି ।
ଓସ୍କାର ମଞ୍ଚରେ କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳୀ
ଓସ୍କାର ୨୦୨୪ରେ ଭାରତୀୟ କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ମେମୋରିୟମ ମୁହୂର୍ତ୍ତ ସମୟରେ, ବିଶ୍ୱର ଚଳଚ୍ଚିତ୍ର କଳାକାରମାନଙ୍କୁ ସେମାନଙ୍କର ଅବଦାନ ପାଇଁ ସ୍ମରଣ କରାଯାଇଥିଲା । ଏହି ସମୟରେ ନିତିନ ଦେଶାଇଙ୍କ ଝଲକ ଦେଖାଇବା ସହ ତାଙ୍କୁ ସ୍ମରଣ କରାଯାଇଥିଲା । ଏଥିସହ ଫ୍ରେଣ୍ଡସ୍ ତାରକା ମାଥ୍ୟୁ ପେରି, ଟିନା ଟର୍ନର, ଅଭିନେତା ରିଆନ୍ ଓ’ନାଲ୍, ସଙ୍ଗୀତ ନିର୍ଦ୍ଦେଶକ ରିଚାର୍ଡ ଲୁଇସ୍, ଅଭିନେତ୍ରୀ ଗ୍ଲେଣ୍ଡା ଜ୍ୟାକସନ, ହ୍ୟାରି ବେଲାଫୋଣ୍ଟେ, ଅଭିନେତା ପଲ୍ ରୁବେନ୍ସ, ସଙ୍ଗୀତଜ୍ଞ ବିଲ୍ ଲି, ଜୁଲିଆନ୍ ସ୍ୟାଣ୍ଡସ୍, ଟ୍ରିଟ ୱିଲିୟମ୍ସଙ୍କ ଭଳି ଅନେକ କଳାକାରଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ:ଜୀବନ ହାରିଲେ ପ୍ରଖ୍ୟାତ କଳା ନିର୍ଦ୍ଦେଶକ ନିତିନ ଦେଶାଇ, ଷ୍ଟୁଡିଓରୁ ମିଳିଲା ମୃତଦେହ