ଓଡିଶା

odisha

By ETV Bharat Odisha Team

Published : Jan 30, 2024, 1:16 PM IST

ETV Bharat / entertainment

AI ମାଧ୍ୟମରେ ଦିବଙ୍ଗତ ଗାୟକଙ୍କ ସ୍ବର ପୁନର୍ଜୀବିତ କଲେ ଏଆର ରେହମାନ

Ar Rahman Recreate Late Singers Voices: ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ସଂଗୀତକାର ଏଆର ରେହମାନ ଭାରତରେ ଅଟୋ ଟ୍ୟୁନ୍ ପରିଚିତ କରାଇବା ପରେ ଆଉ ଏକ ସଫଳତା ହାସଲ କରିଛନ୍ତି । ସେ ତାଙ୍କ ଗୀତରେ ପ୍ରଥମ ଥର ପାଇଁ AI ବ୍ୟବହାର କରିଛନ୍ତି । ରଜନୀକାନ୍ତଙ୍କ ଅଭିନୀତ ଚଳଚ୍ଚିତ୍ର 'ଲାଲ ସଲାମ'ର ଗୀତ 'ଥିମିର ୟେଜୁଦା'ରେ ରେହମାନ ଏଆଇ ସାହାଯ୍ୟରେ ଦିବଙ୍ଗତ ଗାୟକଙ୍କ ସ୍ବର ପୁନର୍ଜୀବିତ କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଶିରୋନାମାରେ ରହିଛନ୍ତି ଭାରତର ଶ୍ରେଷ୍ଠ ଗାୟକ, ସଂଗୀତକାର ଏବଂ ଗୀତିକାର ଏଆର ରେହମାନ । ସେ ୩୦ ବର୍ଷରୁ ଅଧିକ ସମୟ ଧରି ସଙ୍ଗୀତ ଦୁନିଆରେ କୃତିତ୍ବ ଲାଭ କରିବା ସହ ଦର୍ଶକଙ୍କ ମନ ଜିତିଛନ୍ତି । ରେହମାନ ଗୀତ ରଚନା ଏବଂ ଗାଇବାରେ ସୀମିତ ନୁହଁନ୍ତି, ସେ ତାଙ୍କ ସଙ୍ଗୀତକୁ ଏକ ଭିନ୍ନ ଢଙ୍ଗରେ ଆଗକୁ ନେଇଛନ୍ତି । ରେହମାନ ପ୍ରଥମେ ଭାରତରେ ସଙ୍ଗୀତ ଇଣ୍ଡଷ୍ଟ୍ରିରେ ଅଟୋ ଟ୍ୟୁନର ଟ୍ରେଣ୍ଡ ଆରମ୍ଭ କରିଥିଲେ । ବର୍ତ୍ତମାନ ପୁଣିଥରେ ତାଙ୍କ ସୃଜନଶୀଳତାକୁ ପରବର୍ତ୍ତୀ ସ୍ତରକୁ ନେଇଛନ୍ତି । ଏଆର ରେହମାନ ଦିବଙ୍ଗତ ଗାୟକଙ୍କ ସ୍ବରକୁ ପୁନର୍ଜୀବିତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ।

ନିକଟରେ ଏଆର ରେହମାନ ରଜନୀକାନ୍ତଙ୍କ ଆଗାମୀ ଚଳଚ୍ଚିତ୍ର 'ଲାଲ ସଲାମ' ପାଇଁ ଥିମିରି ୟେଜୁଦା ଗୀତ ପ୍ରସ୍ତୁତ କରିଛନ୍ତି, ଯାହା ମଧ୍ୟ କୃତ୍ରିମ ବୁଦ୍ଧିମତା (AI) ସାହାଯ୍ୟରେ ହୋଇଛି । ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କଣ୍ଠଶିଳ୍ପୀ ବାମ୍ବା ବାକ୍ୟା ଏବଂ ଶହୁଲ ହମିଦଙ୍କ ସ୍ବରକୁ ଏଆଇ ସାହାଯ୍ୟରେ 'ଲାଲ ସଲାମ'ର 'ଥିମିରି ୟେଜୁଦା' ଗୀତ ପ୍ରସ୍ତୁତ କରାଯାଇଛି । ଦିବଙ୍ଗତ କଣ୍ଠଶିଳ୍ପୀଙ୍କ ସ୍ବରକୁ ପୁନର୍ଜୀବିତ କରିବା ଇଣ୍ଡଷ୍ଟ୍ରିରେ ଏହା ପ୍ରଥମ ଥର ପାଇଁ ହୋଇଛି । ଯାହା ବର୍ତ୍ତମାନ ସମସ୍ତଙ୍କୁ ଚକିତ କରିବା ସହ ଗାୟକଙ୍କ ଏଭଳି ଅଭିନବ ପ୍ରୟାସକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି ।

ସେପଟେ ଏଆର ରେହମାନ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରି ଏହି ପ୍ରୟାସ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ ଗୀତର ପୋଷ୍ଟର ସେୟାର କରି ଲେଖିଛନ୍ତି, ଯେପର୍ଯ୍ୟନ୍ତ AI ସଠିକ୍ ଭାବରେ ବ୍ୟବହାର ନହୁଏ ସେ ପର୍ଯ୍ୟନ୍ତ AI ବ୍ୟବହାର କରିବା କ୍ଷତିକାରକ ନୁହେଁ । ଗାୟକ ଏହା ମଧ୍ୟ କହିଛନ୍ତି ଯେ, ସ୍ବର୍ଗତ ଗାୟକଙ୍କ ପରିବାରଠାରୁ ଅନୁମତି ନେବା ପରେ ସେ ଏହି ଗୀତ ପ୍ରସ୍ତୁତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଦିୱାଲୀରେ ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କୁ ଉପହାର, ରିଲିଜ ହେଲା ଲାଲ ସଲାମର ଟିଜର

ବାମ୍ବା ବାକ୍ୟା ଏବଂ ଶହୁଲ ହମିଦ କିଏ?

ବମ୍ବା ବାକ୍ୟା ତାମିଲ ସିନେମାର ଜଣେ ଜଣାଶୁଣା ପ୍ଲେବ୍ୟାକ୍ ଗାୟକ ତଥା ଗୀତ ରଚୟତା ଥିଲେ । ବାମ୍ବା ଅନେକ ଚଳଚ୍ଚିତ୍ରରେ ରେହମାନଙ୍କ ସହ କାମ କରିଛନ୍ତି । ବାକ୍ୟା ରଜନୀକାନ୍ତଙ୍କ ଫିଲ୍ମ ୨.୦ରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ପୁଲିନଗାଲ ଗୀତ ଗାଇବା ପରେ ସେ ଲୋକପ୍ରିୟ ହୋଇଥିଲେ । ସେ ୨୦୨୨ ମସିହାରେ ୪୧ ବର୍ଷ ବୟସରେ ହୃଦ୍‌ଘାତରେ ଜୀବନ ହାରିଥିଲେ । ବାମ୍ବା ବାକ୍ୟାଙ୍କ ପରି ଶହୁଲ ହମିଦ ମଧ୍ୟ ତାମିଲ ସିନେମାର ଜଣେ ପ୍ରସିଦ୍ଧ ଗାୟକ ଥିଲେ, ଯିଏ ଏଆର୍ ରେହମାନଙ୍କ ସହ କାମ କରିଛନ୍ତି । ସେ ଅନେକ ଟିଭି ଜିଙ୍ଗଲ୍ସରେ ରେହମାନଙ୍କ ସହ ସହଯୋଗ କରିଥିଲେ । ୧୯୯୭ରେ ଏକ କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ABOUT THE AUTHOR

...view details