ଭୁବନେଶ୍ବର: ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ଲକ୍ଷ୍ୟରେ ସରକାର । ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକ୍ରିୟାରେ, ବାହାର ରାଜ୍ୟର ଜାତୀୟ ଉଦ୍ୟାନରୁ ଓଡ଼ିଶାକୁ ବାଘ ଅଣାଯାଉଛି । ନିକଟରେ ମହାରାଷ୍ଟ୍ରରୁ ଶିମିଳିପାଳ ଅଣାଯାଇଥିଲା ଦୁଇଟି ବାଘୁଣୀ ଯମୁନା ଏବଂ ଜୀନତ । ତେବେ ଦୁଇଟି ଯାକ ବାଘୁଣୀ ଶିମିଳିପାଳରୁ ଚମ୍ପଟ ମାରିଥିବା ଚର୍ଚ୍ଚା ହେଉଛି । କେଉଁଠି ଅଛନ୍ତି ବାଘୁଣୀ 'ଯମୁନା' ଏବଂ 'ଜୀନତ', ସେନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଶିମିଳିପାଳ ଆସିଥିଲା ପ୍ରଥମ ବାଘୁଣୀ ଯମୁନା:-
ଶିମିଳିପାଳ ଅଭୟାରଣ୍ୟକୁ ଆସିଥିଲା ଚଳିତ ବର୍ଷ ପ୍ରଥମ ନୂଆ ଅତିଥି ବାଘୁଣୀ ଯମୁନା । ଅକ୍ଟୋବର ୨୭ ତାରିଖରେ ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ତଡୋବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ବାଘୁଣୀ ଯମୁନାକୁ ଆଣି ଶିମିଳିପାଳ ଅଭୟାରଣ୍ୟରେ ଛଡ଼ା ଯାଇଥିଲା । ହେଲେ କିଛି ଦିନ ତଳେ ଶିମିଳିପାଳ ଛାଡି ଶିମିଳିପାଳ ଆଭୟାରଣ୍ୟ ପାଖ କୁଲଡିହ ଜଙ୍ଗଲରେ ରହିଛି ଯମୁନା । ସେଠାରେ ବନ ବିଭାଗ ବାଘୁଣୀକୁ ଟ୍ରାକ କରୁଛନ୍ତି । ବର୍ତ୍ତମାନ ସୁଧା ବାଘୁଣୀ କୌଣସି ଜୀବଜନ୍ତୁଙ୍କୁ ଶିକାର କରିନଥିବା କହିଛନ୍ତି ବନ୍ୟାପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା ।
ଦ୍ଵିତୀୟ ବାଘୁଣୀ ଜୀନତ:-
ବନ୍ୟାପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି " ଶିମିଳିପାଳ ଅଭୟାରଣ୍ୟକୁ ଦ୍ଵିତୀୟ ନୂଆ ଅତିଥି ହେଉଛି ବାଘୁଣୀ ଜୀନତ । ନଭେମ୍ବର ୧୪ ତାରିଖରେ ମହାରାଷ୍ଟ୍ରରୁ ଜୀନତକୁ ଅଣାଯାଇଥିଲା । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ତଡୋବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ହିଁ ଦ୍ୱିତୀୟ ବାଘୁଣୀ ଶିମିଳିପାଳ ଅଭୟାରଣ୍ୟ ଆସିଥିଲା । ଏଥିପାଇଁ ଶିମିଳିପାଳ ଅଭୟାରଣ୍ୟର ଏକ ସ୍ୱତନ୍ତ୍ର ଦଳ ଜୀନତ ଉପରେ ତୀକ୍ଷ୍ଣ ନଜର ରଖିଥିଲା । ତେବେ ଏହି ବାଘୁଣୀ ଶିମିଳିପାଳରେ ବାରହା ଶିକାର ମଧ୍ୟ କରିଥିଲା । ହେଲେ କିଛି ଦିନ ପୂର୍ବରୁ ବାଘୁଣୀ ଜୀନତ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ପଳାଇଥିଲା । ଯାହା ଝାଡ଼ଖଣ୍ଡର ଏକ ଜଙ୍ଗଲରେ ବାଘୁଣୀ ଜିନତକୁ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ବାଘୁଣୀ ଝାଡାଖଣ୍ଡରେ ଥିବା ଜଙ୍ଗଲରେ ଶିକାର ମଧ୍ୟ କରିଥିବା ସୂଚନା ଦେଇଛନ୍ତି " ।
ଜୀନତ କେଉଁଠି ?
PCCF କହିଛନ୍ତି " ଶିମିଳିପାଳରେ ବାଘ ସଂଖ୍ୟ ଯଥେଷ୍ଟ ରହିଛି । ଜୀନତ ଏବେ ଝାଡ଼ଖଣ୍ଡର ଏକ ୧୫୦୦ ଏକର ଜଙ୍ଗଲ ମଧ୍ୟରେ ରହିଛି । ଭଲ କଥା କି ଜୀନତ ବାହାରେ ନ ବୁଲି ଜଙ୍ଗଲ ମଧ୍ୟରେ ରହିଛି । ଆମ ଟିମ ତା ଉପରେ ନଜର ରଖିଛନ୍ତି । ଜଙ୍ଗଲରେ ପ୍ରଚୁର ପରିମାଣରେ ଜଙ୍ଗଲୀ ଜନ୍ତୁ ଅଛନ୍ତି । ଦୁଇ ଦିନ ତଳେ ଶିକାର କରି ଖାଇଛି ଜୀନତ। ଭଲ ଶିକାର ହେଇଥିଲେ, ସପ୍ତାହେ ପର୍ଯ୍ୟନ୍ତ ଖାଦ୍ୟ ଦରକାର ପଡ଼େନି " ।
କୁଲଡିହରେ ଯମୁନା:
ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି ଯେ, " ଯମୁନା ଶିମିଳିପାଳ ଆଭୟାରଣ୍ୟ ପାଖ କୁଲଡିହ ଜଙ୍ଗଲରେ ରହିଛି । ଆଗରୁ ଗୋଟେ ବାଘ ସେଠି ଦୁଇମାସ ରହିବା ପରେ ଶିମିଳିପାଳ ଫେରିଥିଲା । ଖୁବ ଶୀଘ୍ର ଯମୁନା ଫେରିବ ନେଇ ଆଶା କରୁଛୁ " ।
ଏହା ମଧ୍ୟ ପଢ଼ନ୍ତୁ- ଏନକ୍ଲୋଜରରୁ ବାହାରି ଶିମିଳିପାଳର ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଯମୁନା - SIMILIPAL TIGRESS YAMUNA |
ଶିମିଳିପାଳ ବାହାରେ ବାଘୁଣୀ:
ଅକ୍ଟୋବରରେ ଯମୁନା ଏବଂ ନଭେମ୍ବରରେ ଜୀନତଙ୍କୁ ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲା ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଶିମିଳିପାଳ ଅଣାଯାଇଥିଲା । ବନ୍ୟାପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି ଯେ, "ଜୀନତ ଓ ଯମୁନାର ଗତିବିଧି ଉପରେ ନଜର ରହିଛି । ଛଅରୁ ଆଠ ମାସ ପରେ ଆଉ ବାକି ବାଘ ଅଣାଯିବ କି ନାହିଁ ତାହା ନିଷ୍ପତ୍ତି ନିଆଯିବ।"
ଶିମିଳିପାଳରେ ବାଘ ବଂଶ ବୃଦ୍ଧି ପାଇଁ ପ୍ରୟାସ:-
ପିସିସିଏଫ ପ୍ରେମ କୁମାର ଝାଙ୍କ ସୂଚନା ଅନୁସାରେ "ଶିମିଳିପାଳ ଅଭୟାରଣ୍ୟ ବାଘ ବଂଶ ବୃଦ୍ଧି ପାଇଁ ଦେଶର ଏକ ଉତ୍ତମ ସ୍ଥାନ । ବାଘ ଗଣନା ରିପୋର୍ଟ ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟରେ ୨୮ଟି ବାଘ ସଂଖ୍ୟା ଥିବା ବେଳେ ତାହା ବୃଦ୍ଧି ପାଇବ । ଆଗାମୀ ଦିନରେ ଶିମିଳିପାଳରେ ବାଘ ବଂଶ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି । ଯାହା ରାଜ୍ୟରେ ବାଘଙ୍କ ସଂଖ୍ୟା ଆହୁରି ବୃଦ୍ଧି କରାଇବ ।"
ବ୍ୟାଘ୍ର ବଂଶ ବୃଦ୍ଧି ନେଇ ପୂର୍ବ ଯୋଜନା ବିଫଳ !
୨୦୧୮ ମସିହାରେ ଓଡ଼ିଶାକୁ ବାହାର ରାଜ୍ୟରୁ ଦୁଇଟି ବାଘ ଆସିଥିଲା । ଯାହା ନୂଆ ଭାବରେ ସାତକୋଶିଆ ଜଙ୍ଗଲରେ ଆରମ୍ଭ ହୋଇଥିଲା ବ୍ୟାଘ୍ର ପ୍ରକଳ୍ପ । ଦୁଇଟି ବାଘ ମଧ୍ୟରୁ ଗୋଟିଏ ବାଘୁଣୀ ଶିକାରୀଙ୍କ ପାଇଁ ମୃତ୍ୟୁ ଘଟିଥିଲା । ଅନ୍ୟଟିକୁ ବନ ବିଭାଗ ସଠିକ ଭାବରେ ସୁରକ୍ଷା ଦେଇ ପାରିନଥିଲା । ଫଳରେ ବାଘୁଣୀକୁ ଏକ ବନ୍ଦୀ ଭାବରେ ରଖାଗଲା । ବାଘୁଣୀର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖା ଦେଇଥିଲା । ଯେଉଁଠାରୁ ଆସିଥିଲା ସେହିଠାରେ ପୁଣି ଥରେ ଛାଡି ଦିଆଗଲା । ଯାହାଦ୍ଵାରା ଓଡିଶାରେ ଏହା ଫଳପ୍ରଦ ହୋଇନଥିଲା । ବର୍ତ୍ତମାନ ଏହା ଫଳପ୍ରଦ ହେବ ବୋଲି ଆଶା କରାଯାଇଥିବା ବେଳେ ଦୁଇ ବାଘ ସଂପୂର୍ଣ୍ଣ ରୂପେ ଶିମିଳିପାଳ ଛାଡ଼ିଛନ୍ତି ।
କେବେ ଆସିବେ ଆଉ ୩ ବାଘ ?
ଶିମିଳିପାଳ ଅଭୟାରଣ୍ୟକୁ ମହାରାଷ୍ଟ୍ରରୁ ୫ଟି ବାଘ ଅଣାଯିବା ଯୋଜନା ରହିଛି । ଏଥିରୁ ପ୍ରଥମ ଦୁଇଟି ପର୍ଯ୍ୟାୟରେ ଦୁଇଟି ବାଘୁଣୀ ଯମୁନା ଏବଂ ଜୀନତଙ୍କୁ ଅଣାଯାଇଥିଲା । ମାତ୍ର ଦୁଇ ବାଘୁଣୀ ଶିମିଳିପାଳ ଅଭୟାରଣ୍ୟ ବାହାରକୁ ପଳାଇଥିବା, ବନ ବିଭାଗ ସ୍ବୀକାର କରିଛି । ଏଭଳି ସ୍ଥିତିରେ ଆଗକୁ ଆହୁରି ୩ଟି ବାଘୁଣୀ କେବେ ଅଣାଯିବ ? ସେମାନଙ୍କୁ ଅଣାଯିବ କି ନାହିଁ ? ସେନେଇ ବନ ବିଭାଗ କିମ୍ବା ପିସିସିଏଫଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଇଟିଭି ଭାରତ, ଭୁବନେଶ୍ବର