ହାଇଦ୍ରାବାଦ:ବଲିଉଡ ଭେଟେରାନ ଅଭିନେତ୍ରୀ ଜୟା ବଚ୍ଚନ ଆଜି ଅର୍ଥାତ୍ ଏପ୍ରିଲ ୯ରେ ତାଙ୍କ ୭୬ତମ ଜନ୍ମଦିନ ପାଳନ କରୁଛନ୍ତି । ଜୟା ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଅନେକ ସ୍ମରଣୀୟ ଚଳଚ୍ଚିତ୍ର ଦେବା ସହ ନିଜ ଅଭିନୟରେ ଏବେ ବି ଲୋକଙ୍କ ମନରେ ରାଜ କରୁଛନ୍ତି । କେବଳ ଅଭିନୟର ନୁହଁ ରାଜନୀତିରେ ମଧ୍ୟ ସେ ଖୁବ ସକ୍ରିୟ ରହିଛନ୍ତି । ତେବେ ଆଜି ଅଭିନେତ୍ରୀଙ୍କ ଜନ୍ମଦିନରେ ଖାସ୍ ଅନ୍ଦାଜରେ ତାଙ୍କୁ ଜନ୍ମଦିନ ଶୁଭକାମନା ଜଣାଇଛନ୍ତି ସ୍ୱାମୀ ବିଗ୍ ବି । ଜୟାଙ୍କ ସ୍ୱାମୀ ତଥା ବଲିଉଡ ସମ୍ରାଟ ଅମିତାଭ ବଚ୍ଚନ ତାଙ୍କ ବ୍ଲଗରେ ତାଙ୍କ ପତ୍ନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ପୁଅ ଅଭିଷେକ ବଚ୍ଚନ ମଧ୍ୟ ନିଜ ମା'ଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।
ଜୟାଙ୍କ ପାଇଁ ବିଗ ବିଙ୍କ ହୃଦୟସ୍ପର୍ଶୀ ନୋଟ୍
ଅମିତାଭ ବଚ୍ଚନ ଜୟା ବଚ୍ଚନଙ୍କ ଜନ୍ମଦିନରେ ନିଜ ବ୍ଲଗରେ ହୃଦୟସ୍ପର୍ଶୀ ନୋଟ୍ ଲେଖି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ବିଗ୍ ବି ଲେଖିଛନ୍ତି, "ଏହା ଆଉ ଜଣେ ପରିବାର ସଦସ୍ୟଙ୍କ ଜନ୍ମର ସକାଳ । ଯାହା ପାଇଁ କୌଣସି ବ୍ୟାଖ୍ୟା ଆବଶ୍ୟକ ନାହିଁ । ମୋର ପତ୍ନୀ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଆମେ ସମଗ୍ର ପରିବାର ମଧ୍ୟରାତ୍ରିରେ ଏକାଠି ହୋଇ ଆମେ ତାଙ୍କ ଜନ୍ମଦିନ ପାଳନ କରିଥିଲୁ । ରାତି କିପରି କଟିଗଲା ଜାଣିପାରିଲୁ ନାହିଁ । ମୁଁ ଭଗବାନ ନିକଟରେ ପ୍ରାର୍ଥନା କରୁଛି ତାଙ୍କର ସମସ୍ତ ଇଚ୍ଛା ପୂରଣ ହେଉ।" ସେହିପରି ଅଭିଷେକ ବଚ୍ଚନ ନିଜ ଇନଷ୍ଟାଗ୍ରାମରେ ମାଆ ଜୟା ବଚ୍ଚନଙ୍କ ଏକ ଥ୍ରୋବ୍ୟାକ ଫଟୋ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
କେବଳ ରିଅଲ୍ ନୁହଁ ରିଲ୍ ଲାଇଫରେ ମଧ୍ୟ ବିଗ ବି-ଜୟାଙ୍କ ଯୋଡ଼ି ହିଟ୍
ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ୩ ଜୁନ୍ ୧୯୭୩ ରେ ବିବାହ କରିଥିଲେ । ଅମିତାଭ-ଜୟା ଯୋଡ଼ି କେବଳ ବାସ୍ତବ ଜୀବନରେ ନୁହେଁ ବରଂ ରିଲ ଲାଇଫରେ ମଧ୍ୟ ହିଟ୍ ହୋଇଥିଲେ । ଅନ-ସ୍କ୍ରିନ୍ ଏବଂ ଅଫ୍ ସ୍କ୍ରିନରେ ବିଗ୍ ବି ଏବଂ ଜୟା ବଚ୍ଚନ ଅନ୍ୟତମ ଲୋକପ୍ରିୟ ଦମ୍ପତି । ଏଥିସହ ସେ ଅନେକ ଆଇକନିକ ଚଳଚ୍ଚିତ୍ରର ଅଂଶ ମଧ୍ୟ ହୋଇଛନ୍ତି । 'ଅଭିମାନ' ଠାରୁ 'ଶୋଲେ', 'ଜଞ୍ଜୀର' ଏବଂ 'କଭି ଖୁସି କବି ଗମ' ଭଳି ଅନେକ ଫିଲ୍ମରେ ଏହି ଯୋଡି ସେମାନଙ୍କର ଅଭିନୟରେ ଲୋକଙ୍କ ମନ ଜିତିଛନ୍ତି ।