ହାଇଦ୍ରାବାଦ:ଆଜିଠୁ ଆରମ୍ଭ ହେଲା ନୂଆ ଆର୍ଥିକ ବର୍ଷ । ଏହାର ଅର୍ଥ 2024-2025 ଆର୍ଥିକ ବର୍ଷ ଆଜିଠାରୁ ଆରମ୍ଭ ହୋଇଛି । ପ୍ରତ୍ୟେକ ମାସର ଆରମ୍ଭରେ କିଛି ନା କିଛି ଆର୍ଥିକ ନିୟମରେ ପରିବର୍ତ୍ତନ ହୋଇଥାଏ । ଆର୍ଥିକ ବର୍ଷ ଆରମ୍ଭରୁ ଅନେକ ନିୟମରେ ପରିବର୍ତ୍ତନ ହୋଇଥାଏ । ଏହି ନିୟମ ସାଧାରଣ ଜନତାଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ।
ନୂଆ ଆର୍ଥିକ ବର୍ଷ, ନୂଆ ନିୟମ :
PF ଆକାଉଣ୍ଟ ଟ୍ରାନ୍ସଫର: ଯେତେବେଳେ ଜଣେ ବ୍ୟକ୍ତି ଚାକିରି ପରିବର୍ତ୍ତନ କରିଥାଆନ୍ତି ତାହେଲେ, PF ଆକାଉଣ୍ଟକୁ ମଧ୍ୟ ସ୍ଥାନାନ୍ତର କରିବାକୁ ପଡିଥାଏ । କିନ୍ତୁ ଆଜିଠାରୁ PF ଆକାଉଣ୍ଟ ଟ୍ରାନ୍ସଫର ପାଇଁ ନିୟମରେ ପରିବର୍ତ୍ତନ ହୋଇଛି । କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (EPFO) ପକ୍ଷରୁ କୁହାଯାଇଛି ଯେ, 2024 ଏପ୍ରିଲ ମାସରୁ PF ଆକାଉଣ୍ଟ ସ୍ୱୟଂଚାଳିତ ଭାବରେ ସ୍ଥାନାନ୍ତରିତ ହେବ । ଉପଭୋକ୍ତାମାନଙ୍କୁ ଆକାଉଣ୍ଟ ଟ୍ରାନ୍ସଫର କରିବା ପାଇଁ ଅନୁରୋଧ କରିବାକୁ ପଡିବ ନାହିଁ ।
TAX ରିଜିମ: ଯଦି ଜଣେ ବ୍ୟକ୍ତି ମାର୍ଚ୍ଚ 31 ତାରିଖ ମଧ୍ୟରେ ଟ୍ୟାକ୍ସ ରିଜିମ ସିଲେକ୍ଟ କରିନାହାନ୍ତି ତାହେଲେ ଆଜିଠାରୁ ନ୍ୟୁ ଟ୍ୟାକ୍ସ ରିଜିମ ଡିଫଲ୍ଟ ରିଜିମ ହୋଇଯିବ । ଏହାର ଅର୍ଥ ହେଉଛି ଯେ ଟିକସଦାତା ଯେଉଁମାନେ ଟିକସ ବ୍ୟବସ୍ଥା ଚୟନ କରିନାହାନ୍ତି ସେମାନେ ବର୍ତ୍ତମାନ ସ୍ୱୟଂଚାଳିତ ଭାବେ ନୂତନ ଟିକସ ବ୍ୟବସ୍ଥାରେ ITR ଦାଖଲ କରିବେ । ନୂଆ ରେଜିମରେ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ରହିଛି । ୭ ଲକ୍ଷ ଟଙ୍କା ବାର୍ଷିକ ଆୟ ପର୍ଯ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ ।
FASTAGKYC: ଯେଉଁ ଫାଷ୍ଟଟାଗ ୟୁଜର୍ସ ଆଜି ପର୍ଯ୍ୟନ୍ତ ଫାଷ୍ଟଟାଗ କେଓ୍ବାଇସି କରିନାହାନ୍ତି, ସେମାନଙ୍କ କ୍ଷେତ୍ରରେ ଫାଷ୍ଟଟାଗ ଇନଆକ୍ଟିଭ ହୋଇଯିବ । ଏହାର ଅର୍ଥ ଫାଷ୍ଟଟାଗ ମାଧ୍ୟମରେ ଟୋଲ୍ ଟ୍ୟାକ୍ସ ଦେବାକୁ ସକ୍ଷମ ହେବେ ନାହିଁ । NHAI ଫାଷ୍ଟଟାଗ KYC କୁ ବାଧ୍ୟତାମୂଳକ କରିଥିଲା । ଏହାର ସମୟସୀମାକୁ ମାର୍ଚ୍ଚ 31 ତାରିଖ ଯାଏଁ ରଖାଯାଇଥିଲା ।