ଓଡିଶା

odisha

ETV Bharat / bharat

2024ରେ ମୋଦିଙ୍କ ହ୍ୟାଟ୍ରିକ୍, ଅସ୍ଥିତ୍ବକୁ ଫେରିଲେ ରାହୁଲ, ଓଡ଼ିଶା ସମେତ ବଦଳିଲା ବିଭିନ୍ନ ରାଜ୍ୟର କ୍ଷମତା ସମୀକରଣ - YEARENDER 2024

କେନ୍ଦ୍ରରୁ ରାଜ୍ୟ ପର୍ଯ୍ୟନ୍ତ ରୋଚକ ରାଜନୀତି । ଏକାଧିକ ରାଜ୍ୟରେ ବଦଳିଲା ସରକାର । ସୁଦୃଢ଼ ହେଲେ ବିରୋଧୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ NDAର ଭାଗ୍ୟ ନିର୍ଦ୍ଧାରକ ନୀତିଶ-ନାଇଡୁ ।

ତୃତୀୟ ପାଳି ସହ ରେକର୍ଡ କଲେ ମୋଦି, ଅସ୍ଥିତ୍ବକୁ ଫେରିଲେ ରାହୁଲ, ବଦଳିଲା ଏକାଧିକ ରାଜ୍ୟର କ୍ଷମତା ସମୀକରଣ
ତୃତୀୟ ପାଳି ସହ ରେକର୍ଡ କଲେ ମୋଦି, ଅସ୍ଥିତ୍ବକୁ ଫେରିଲେ ରାହୁଲ, ବଦଳିଲା ଏକାଧିକ ରାଜ୍ୟର କ୍ଷମତା ସମୀକରଣ (ETV Bharat Odisha)

By ETV Bharat Odisha Team

Published : 6 hours ago

ହାଇଦ୍ରାବାଦ:ବେଶ ଘଟଣାବହୁଳ 2024 । ଦେଶର ରାଜନୈତିକ କାଳଖଣ୍ଡ ପାଇଁ ଏକ ଐତିହାସିକ ତଥା ଉଲ୍ଲେଖନୀୟ ବର୍ଷ । ଅଷ୍ଟାଦଶ ସାଧାରଣ ନିର୍ବାଚନ ସହ ଏକାଧିକ ରାଜ୍ୟରେ ହୋଇଥିଲା ବିଧାନସଭା ନିର୍ବାଚନ । ଏହି ଉଭୟ ନିର୍ବାଚନ, ଦେଶର ରାଜନୈତିକ ମାନଚିତ୍ର ଓ କ୍ଷମତା ସମୀକରଣର ନକ୍ସା ପରିବର୍ତ୍ତନ କରିଛି । ଯାହା ଉପରେ ଥିଲା ସମଗ୍ର ବିଶ୍ବର ନଜର । ଏହି ନିର୍ବାଚନୀ ଫଳାଫଳ ହିଁ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଭାରତର ଭାଗ୍ୟ ନିର୍ଣ୍ଣୟ କରିବାକୁ ଯାଉଛି ।

  • ରେକର୍ଡ କଲେ ମୋଦି ଓ ବିଜେପି:-

କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କ୍ରମାଗତ ତୃତୀୟ ପାଳି କ୍ଷମତା ହାସଲ କରି ଭାରତୀୟ ରାଜନୀତିରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇପାରିଛି । ସେହିପରି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ମଧ୍ୟ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହ ସମକ୍ଷକ ହୋଇଛନ୍ତି । ଏହା ସତ୍ତ୍ବେ ମଧ୍ୟ ବିଜେପିର ପୂର୍ଣ୍ଣ ବହୁମତ ତଥା ୪୦୦ ପାର୍ ନାରା ଭୁଲ ପ୍ରମାଣିତ ହୋଇଥିଲା । ସଂସଦରେ ଏକାକୀ ନିରଙ୍କୁଶ ସଂଖ୍ୟା କ୍ଷମତାର ସ୍ବପ୍ନ ଦେଖୁଥିବା ଭାରତୀୟ ଜନତା ପାର୍ଟି(BJP) ଚନ୍ଦ୍ରବାବୁ ନାଇଡୁଙ୍କ ‘ତେଲଗୁ ଦେଶମ ପାର୍ଟି’ (TDP ) ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ‘ସଂଯୁକ୍ତ ଜନତା ଦଳ’ (JDU)ର ସମର୍ଥନରେ କେନ୍ଦ୍ରରେ ମେଣ୍ଟ ସରକାର ଗଠନ କରିଛି ।

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଶପଥ ନେଉଛନ୍ତି ନରେନ୍ଦ୍ର ମୋଦି (ETV Bharat Odisha)
  • NDA ଭାଗ୍ୟ ନିର୍ଦ୍ଧାରକ ନୀତିଶ-ନାଇଡୁ

ଭାରତୀୟ ଜନତା ପାର୍ଟି 240 ଓ ଜେଡିୟୁ 16 ଓ ଟିଡିପି 12 ଆସନ ସହ ଛୋଟ ସହଯୋଗୀଙ୍କୁ ମିଶାଇ ‘ଏନଡିଏ’ ମେଣ୍ଟର ମୋଟ ସଂଖ୍ୟା 293ରେ ପହଞ୍ଚିଛି । ଯାହା ପୂର୍ବ ନିର୍ବାଚନୀ ଫଳାଫଳ ଅନୁସାରେ ବେଶ କମ । 2019 ରେ ବିଜେପି ଏକାକୀ 303 ଆସନ ଜିତି ରେକର୍ଡ କରିଥିଲା । ତେବେ ବିଜେପି ପୂର୍ବରୁ ଯେଉଁ ଏକାଧିକ ଚର୍ଚ୍ଚିତ ତଥା ସମ୍ବିଧାନ ସଂସ୍କାରଧର୍ମୀ ବିଲ୍‌ (ଏକକ ନାଗରିକ ସଂହିତା ଓ ଏକକ ନିର୍ବାଚନ) ଆଣିବା ପାଇଁ ଘୋଷଣା କରିଥିଲା, ତାହା ହୁଏତ ଚଳିତ ମେଣ୍ଟ ଶାସନରେ ସମ୍ଭବ ହୋଇନପାରେ ବୋଲି ବିରୋଧୀ କହିଲେଣି । ତେଣୁ ବିଜେପି କେନ୍ଦ୍ରରେ କ୍ଷମତା ବଜାୟ ରଖିଥିଲେ ସୁଦ୍ଧା ପୂର୍ବାପେକ୍ଷା ଅଧିକ ଦୁର୍ବଳ ଓ ଆଞ୍ଚଳିକ ଦଳ ଉପରେ ନିର୍ଭରଶୀଳ ହୋଇପଡିଛି ବୋଲି ରାଜନୈତିକ ପଣ୍ଡିତମାନେ କହୁଛନ୍ତି ।

ତୃତୀୟ ପାଳି ସହ ରେକର୍ଡ କଲେ ମୋଦି, ଅସ୍ଥିତ୍ବକୁ ଫେରିଲେ ରାହୁଲ, ବଦଳିଲା ଏକାଧିକ ରାଜ୍ୟର କ୍ଷମତା ସମୀକରଣ (ETV Bharat Odisha)
  • କମ୍ ବ୍ୟାକ୍ କରୁଛି କି କଂଗ୍ରେସ ?

ସେହିପରି ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ଓ ଏହାର ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ଆଶା ଅନୁରୂପ ଭଲ ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ଏକାକୀ 99 ଆସନ ଓ ମେଣ୍ଟ 240 ଆସନରେ ବିଜୟ ଲାଭ କରିଛି । ସେହିପରି କଂଗ୍ରେସ 2019 ରେ ମାତ୍ର 52 ଆସନ ଜିତିଥିବା ବେଳେ ଏଥର ସଂଖ୍ୟା 99 ଆସନକୁ ବୃଦ୍ଧି ପାଇଛି । ଅନ୍ୟ ସହଯୋଗୀଙ୍କ 52 ଆସନ ସହ ଇଣ୍ଡିଆ ମେଣ୍ଟ ନିକଟରେ ଏ ଦୃଷ୍ଟିରୁ ପୂର୍ବାପେକ୍ଷା ବିରୋଧୀ ଗୃହରେ ଅଧିକ ସଶକ୍ତ ହୋଇଛନ୍ତି ।

ତୃତୀୟ ପାଳି ସହ ରେକର୍ଡ କଲେ ମୋଦି, ଅସ୍ଥିତ୍ବକୁ ଫେରିଲେ ରାହୁଲ, ବଦଳିଲା ଏକାଧିକ ରାଜ୍ୟର କ୍ଷମତା ସମୀକରଣ (ETV Bharat Odisha)
  • ନୂଆ ଦାୟିତ୍ବରେ ରାହୁଲ

୨୦୨୪ରେ ସର୍ବାଧିକ ଚର୍ଚ୍ଚାରେ ଥିଲେ କଂଗ୍ରେସର ଷ୍ଟାର-ପ୍ରଚାରକ ତଥା ଦଳର ପୂର୍ବତନ ସର୍ବକନିଷ୍ଠ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ରାଜନୈତିକ ଉତ୍ଥାନ । ରାହୁଲ ନିଜ ମା‘ ସୋନିଆ ଗାନ୍ଧୀ ରାଜ୍ୟସଭା ଯିବା ପରେ ତାଙ୍କ ପାରମ୍ପରିକ ଆସନ ରାଏ-ବରେଲୀରୁ ଓ ନିଜ ପୂର୍ବ ଆସନ କେରଳର ଓ୍ବାୟନାଡରୁ ନିର୍ବାଚନ ଲଢି ଦୁଇଟି ଆସନରେ ଭଲ ବ୍ୟବଧାନରେ ବିଜୟ ହୋଇଥିଲେ । ରାହୁଲଙ୍କ ପୂର୍ବତନ ପ୍ରତିଦ୍ବନ୍ଦ୍ବୀ ସ୍ମୃତି ଇରାନୀଙ୍କୁ ଏଥର ଆମେଠୀ ଆସନରୁ ପରାସ୍ତ ହେବାକୁ ପଡିଛି । ନିର୍ବାଚନୀ ସଫଳତା ସହ ରାହୁଲ ରାଜନୈତିକ କ୍ୟାରିୟରରେ ଆଉ ପାଦେ ଆଗକୁ ବଢିଛନ୍ତି । କଂଗ୍ରେସର ପ୍ରଧାନମନ୍ତ୍ରୀ ଚେହେରା ଭାବେ ଭାରତୀୟ ରାଜନୀତିରେ ଚର୍ଚ୍ଚିତ ଥିବା ରାହୁଲ ଚଳିତଥର ନିର୍ବାଚନୀ ସଫଳତା ସହ ସାମ୍ବିଧାନିକ ପଦବୀ ମଧ୍ୟ ଗ୍ରହଣ କରିଛନ୍ତି । ସଂସଦର ନିମ୍ନ ସଦନ ଲୋକସଭାରେ ବିରୋଧୀ ଦଳ ନେତା ହୋଇଛନ୍ତି ରାହୁଲ ।

ଗାନ୍ଧୀ ପରିବାରରୁ ୩ ସାଂସଦ:-

କଂଗ୍ରେସର ଭେଟେରାନ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜ ରାଜନୈତିକ କ୍ୟାରିୟରରେ ପ୍ରଥମ ଥର ରାଜ୍ୟସଭାକୁ ଯାଇଛନ୍ତି । ସେପଟେ ପୁଅ ରାହୁଲଙ୍କ ଇସ୍ତଫା ପରେ ଓ୍ବାୟନାଡରେ ହୋଇଥିବା ସଂସଦୀୟ ଉପ-ନିର୍ବାଚନରେ ଉଭଣୀ ପ୍ରିୟଙ୍କା ପ୍ରାୟ 4 ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପ୍ରଥମ ବିଜୟ ହାସଲ କରିଛନ୍ତି । ଏବେ ସଂସଦରେ ଗାନ୍ଧୀ ପରିବାରର ୩ ସଦସ୍ୟ ତଥା ମା’ ସୋନିଆ, ପୁଅ ରାହୁଲ ଓ ଝିଅ ପ୍ରିୟଙ୍କାକୁ ଦଖିବାକୁ ମିଳୁଛି । ଏହି ସମୀକରଣ ବିଶେଷ ଭାବେ କଂଗ୍ରେସ ପାର୍ଟି ଓ ବିରୋଧୀଙ୍କୁ ଆତ୍ମବିଶ୍ବାସ ଦେଇଛି ।

ରାହୁଲ ଓ ପ୍ରିୟଙ୍କା (ETV Bharat Odisha)
  • 2024 ସାଧାରଣ ନିର୍ବାଚନ ତଥ୍ୟ:-

18ତମ ବା ଅଷ୍ଟାଦଶ ଲୋକସଭା ଗଠନ ପାଇଁ ଗଣତନ୍ତ୍ରର ଜନନୀ କୁହାଯାଉଥିବା ସର୍ବବୃହତ୍ତ ଗାଣତାନ୍ତ୍ରିକ ଦେଶ ଭାରତ ଏଥର ଭୋଟ ଦେଇଛି । ମୋଟ ଜନସଂଖ୍ୟାର 96.8 କୋଟି (968 ନିୟୁତ) ମତଦାତାଙ୍କ ମଧ୍ୟରୁ 64.2 କୋଟି ଏହି ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରେ ଅର୍ଥାତ 312 ନିୟୁତ ମହିଳା ରହିଛନ୍ତି । 1951-52 ମସିହାରେ ଦେଶରେ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନ ପ୍ରକ୍ରିୟା ପ୍ରାୟ ଦୁଇମାସ ଚାଲିଥିଲା । ସେହିପରି ଚଳିତବର୍ଷ 44 ଦିନିଆ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରି ଭାରତୀୟ ନିର୍ବାଚନୀ ବ୍ୟବସ୍ଥା ଓ ନିର୍ବାଚନ ଆୟୋଗ ସମଗ୍ର ବିଶ୍ବରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଚଳିତବର୍ଷ ଏପ୍ରିଲ 19 ତାରିଖରୁ ଆରମ୍ଭ ହୋଇ ଜୁନ୍ ପହିଲା ପର୍ଯ୍ୟନ୍ତ ମୋଟ ସାତୋଟି ପର୍ଯ୍ୟାୟରେ ଏହି ନିର୍ବାଚନ ଶେଷ କରାଯାଇଥିଲା । ଫଳାଫଳ ଜୁନ୍ 4 ତାରିଖରେ ଘୋଷଣା କରାଯାଇଥିଲା ।

ତୃତୀୟ ପାଳି ସହ ରେକର୍ଡ କଲେ ମୋଦି, ଅସ୍ଥିତ୍ବକୁ ଫେରିଲେ ରାହୁଲ, ବଦଳିଲା ଏକାଧିକ ରାଜ୍ୟର କ୍ଷମତା ସମୀକରଣ (ETV Bharat Odisha)
  • ୭ ରାଜ୍ୟରେ ବିଧାନସଭା ନିର୍ବାଚନ :-

୨୦୨୪ ମସିହାରେ ୭ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେଇଥିଲା । ଏଥିରେ ଏକାଧିକ ରାଜ୍ୟରେ କ୍ଷମତା ପରିବର୍ତ୍ତନ ଓ କିଛି ରାଜ୍ୟରେ କ୍ଷମତାର ପୁନରାବୃତ୍ତି ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ରହିଛି ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ । ଧାରା 370 ଉଚ୍ଛେଦ ସହ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଦୀର୍ଘ 10 ବର୍ଷ ପରେ ବିଧାନସଭା ପାଇଁ ଭୋଟ ଦେଇଥିଲା କାଶ୍ମୀର । ହେଲେ ଏଥିରେ ଭାରତୀୟ ଜନତା ପାର୍ଟିର କ୍ଷମତା ହାସଲ ସ୍ବପ୍ନ ଅଧା ରହିଛି । ପୁଣି ଥରେ ଫାରୁକ ଅବଦୁଲ୍ଲା ନେତୃତ୍ବାଧୀନ ନ୍ୟାସନାଲ କନଫରେନ୍ସ କ୍ଷମତା ହାସଲ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପୁଣି କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ପଦ ଗ୍ରହଣ କରିଛନ୍ତି । ସେହିପରି ୨୦୨୪ ମସିହାରେ ଲୋକସଭା ସାଧାରଣ ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପରେ ହରିୟାଣା ମହାରାଷ୍ଟ୍ର, ଝାଡଖଣ୍ଡରେ ମଧ୍ୟ ନିର୍ବାଚନ ହୋଇଥିଲା ।

ମତଦାନ କଲେ ଭାରତୀୟ (ETV Bharat Odisha)

ବିଧାନସଭା ନିର୍ବାଚନ ୨୦୨୪:

1. ଓଡ଼ିଶା :

ସର୍ବାଧିକ ଚର୍ଚ୍ଚାରେ ଥିଲା ଓଡ଼ିଶା ବିଧାନସଭା ନିର୍ବାଚନ । ଦୀର୍ଘ 24 ବର୍ଷ ପରେ ବର୍ଷ 2024ରେ ଓଡିଶା କ୍ଷମତା ପରିବର୍ତ୍ତନ ଦେଖିଛି । ଏକଦା ଅତ୍ୟନ୍ତ ଲୋକପ୍ରିୟ ଓ ଅପ୍ରତିଦ୍ବନ୍ଦ୍ବୀ ନେତା ଭାବେ ପରିଗଣିତ ହେଉଥିବା ନବୀନ ପଟ୍ଟାନାୟକ ପରାଜିତ ହେବା ସହ ଦଳ ‘ବିଜେଡି’ ମଧ୍ୟ କ୍ଷମତାକୁ ହଟିଛି । ଚାରିଟି ପର୍ଯ୍ୟାୟରେ ତଥା ମେ’ ୧୩, ୨୦, ୨୫ ଏବଂ ଜୁନ ୧ ତାରିଖରେ ଅନୁଷ୍ଠିତ ହୋଇଥିଲା । 2000 ରୁ 2009 ପର୍ଯ୍ୟନ୍ତ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ସରକାରରେ ସହଯୋଗୀ ଥିବା ଭାରତୀୟ ଜନତା ପାର୍ଟି ଏଥର ରାଜ୍ୟରେ ପ୍ରଥମ ଥର ଏକକ ସଂଖ୍ୟା ଗରିଷ୍ଠତାରେ ସରକାର ଗଠନ କରିଛି । ଆଦିବାସୀ ନେତା ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ବିଜେପି କେନ୍ଦ୍ରୀୟ ନେତୃତ୍ବ ମଧ୍ୟ ସରପ୍ରାଇଜ ସିଏମ କାର୍ଡ ଖେଳିଛନ୍ତି ।

ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି (BJP) 78 ଟି ଆସନରେ ଜିତି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି । 24 ବର୍ଷ ଧରି କ୍ଷମତାରେ ଥିବା ବିଜେଡି 51 ଆସନ ଓ କଂଗ୍ରେସ 14 ଆସନରେ ବିଜୟୀ ହୋଇଛନ୍ତି । ସେହପରି CPI(M) ଗୋଟିଏ ଆସନ ଓ 3 ସ୍ବାଧୀନ ବିଧାୟକ ବିଜୟୀ ହୋଇଛନ୍ତି ।

ଓଡିଶାରେ ସରକାର କଲା ବିଜେପି, ମୋହନ ହେଲେ ମୁଖ୍ୟମନ୍ତ୍ରୀ (ETV Bharat Odisha)

2. ଜମ୍ମୁ ଓ କାଶ୍ମୀର:

କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପୁନର୍ଗଠନ ପରେ ପ୍ରଥମ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେଇଥିଲା ଘାଟି । ଜାତୀୟ କାନ୍ଫରେନ୍ସ ଓ କଂଗ୍ରେସ ମିଳିତ ଭାବେ କ୍ଷମତା ହାସଲ କରିଛନ୍ତି । ନ୍ୟାସନାଲ କନଫରେନ୍ସ (NC) ଓ କଂଗ୍ରେସ ମେଣ୍ଟ ୪୯ଟି ଆସନରେ ବିଜୟ ହୋଇଥିଲା । ଏଥିରେ NC ୪୨ଟି ଆସନ ଓ କଂଗ୍ରେସ ୭ଟି ଆସନରେ ବିଜୟୀ ହୋଇଛନ୍ତି । ରାଜ୍ୟରେ ଏନସି ସରକାର ଗଠନ କରିଥିବା ବେଳେ କଂଗ୍ରେସ ଏକ ସହଯୋଗୀ ଭୂମିକାରେ ରହିଛି ।

ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଓମାର ଅବଦୁଲ୍ଲାଙ୍କ ଶପଥ (ETV Bharat Odisha)

3. ହରିୟାଣା:

ହରିୟାଣାରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । 2014 ରୁ ଦୀର୍ଘ 10 ବର୍ଷ ଧରି କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ସତ୍ତା ବିରୋଧୀ ହାଓ୍ବାର ସମ୍ମୁଖୀନ ହୋଇ କ୍ଷମତା ହରାଇବା ଚର୍ଚ୍ଚା ମଧ୍ୟରେ ଫଳାଫଳ କିନ୍ତୁ ବିପରୀତ ହୋଇଥିଲା । ବିଜେପି ୪୮ ଆସନରେ ବିଜୟୀ ହେଇ ସରକାର ଗଠନ କରିଛି । କଂଗ୍ରେସ ୩୭ ଆସନରେ ବିଜୟୀ ହୋଇଛି । ସ୍ୱାଧୀନ ପ୍ରାର୍ଥୀମାନେ ୩ ଆସନ ହାତେଇଛନ୍ତି । ପୂର୍ବଥର ମୁଖ୍ୟମନ୍ତ୍ରୀ ଥିବା ଯୁବ ଚେହେରା ନାଏବ ସିଂ ସୈନୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ କେନ୍ଦ୍ରରେ ସ୍ଥାନ ମିଳିଛି ।

ହରିୟାଣାରେ ନାଏବ ସିଂ ସୈନୀ ସରକାର (ETV Bharat Odisha)

4. ମହାରାଷ୍ଟ୍ର:

ତ୍ରିକୋଣୀୟ ମେଣ୍ଟ ଶାସନରେ ଥିବା ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ତେବେ ଏଠାରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ପୁଣି ଶାସନ କ୍ଷମତା ହାସଲ କରିଛି । ମେଣ୍ଟରେ ବିଜେପି ଶୀର୍ଷ ସ୍ଥାନ ସହ ୧୩୨ ଆସନ ଜିତିଛି । ଶିବସେନା (ସିନ୍ଦେ ଗୋଷ୍ଠୀ) ୫୭ଟି ଆସନ ଓ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ୪୧ ଟି ଆସନରେ ବିଜୟୀ ହୋଇଛନ୍ତି । ବିରୋଧୀ ମେଣ୍ଟ ‘ମହାବିକାଶ ଅଗାଡି’ର ନେତୃତ୍ବକାରୀ ଦଳ କଂଗ୍ରେସ ମାତ୍ର 16ଟି ଆସନରେ ଜିତିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ସିନ୍ଦେ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନାଭିସ ଏଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାର ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଚୌକିକୁ ଫେରିଲେ ଫଡନାଭିସ (ETV Bharat Odisha)

5. ଝାଡ଼ଖଣ୍ଡ:

ଆଦିବାସୀବହୁଳ ଝାଡ଼ଖଣ୍ଡରେ ଏଥର ନାଟକୀୟ ଢଙ୍ଗରେ ପୁଣି ଥରେ ସୋରେନ ପରିବାର ନେତୃତ୍ବାଧୀନ ‘ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) କ୍ଷମତା ବଦଜାୟ ରଖିଛି । ଜମି ଘୋଟାଲାରେ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଗିରଫ ହୋଇ ଜେଲରୁ ବେଲରେ ଫେରି ପୁଣି ଥରେ ମୁଖ୍ୟମନ୍ତ୍ରୀ ଶପଥ ନେଇଥିବା ହେମନ୍ତ ସୋରେନ ବାଜିମାତ କରିଛନ୍ତି । ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଦୂରରେ ରହିବାକୁ ବାଧ୍ୟ ହୋଇଛି । ‘ଜେଏମଏମ’ ୩୪ ଆସନରେ ଜିତି ସରକାର ଗଠନ କରିଥିବା ବେଳେ ବିଜେପି ୨୧ ଆସନ ସହ ବିରୋଧୀ ଭୂମିକାରେ ରହିବାକୁ ବାଧ୍ୟ ହୋଇଛି ।

ଝାଡଖଣ୍ଡରେ ହେମନ୍ତଙ୍କ ରାଜ ବଳବତ୍ତର (ETV Bharat Odisha)

6. ଆନ୍ଧ୍ର ପ୍ରଦେଶ

ଏଥର କ୍ଷମତା ପରିବର୍ତ୍ତନ ଦେଖିଛି ଦକ୍ଷିଣ-ଭାରତର ଦ୍ବାର ରାଜ୍ୟ ଆନ୍ଧ୍ର ପ୍ରଦେଶ । ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ବାଧୀନ ଓ୍ବାଏସଆର କଂଗ୍ରେସ କ୍ଷମତାରୁ ହଟିବା ସହ ଜେଲରୁ ଫେରିଥିବା ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନାଇଡୁଙ୍କ ଟିଡିପି, ବିଜେପି ଓ ଜନସେନା ପାର୍ଟି ମିଳିତ ଭାବେ ସରକାର ଗଠନ କରିଛନ୍ତି । ମୋଟ 175 ଆସନ ମଧ୍ୟରୁ ଏନଡିଏ ମୋଟ 164 ଆସନରେ ବିଜୟ ଲାଭ କରିଛି । ‘ଟିଡିପି’ ସବୁଠୁ ବଡ ଦଳ ଭାବେ 135 ଆସନ, ପବନ କଲ୍ୟାଣଙ୍କ ‘ଜନସେନା ପାର୍ଟି 21’ ଓ ବିଜେପି ମାତ୍ର 8 ଟି ଆସନରେ ବିଜୟ ଲାଭ କରିଛି । କ୍ଷମତାରେ ଥିବା ଜଗନ ରେଡ୍ଡୀଙ୍କ ‘ଓ୍ବାଇଏସଆର-କଂଗ୍ରେସ’ ମାତ୍ର 11 ଆସନ ଜିତି ବିରୋଧୀ ଆସନରେ ସୀମିତ ହୋଇ ରହିଯାଇଛି ।

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଛନ୍ତି ଚନ୍ଦ୍ରବାବୁ ନାଇଡୁ (ETV Bharat Odisha)

7. ଅରୁଣାଚଳ ପ୍ରଦେଶ:

ଉତ୍ତର-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶରେ ଚଳିତଥର ବିଧାନସଭା ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯାଇଛି । ଭାରତୀୟ ଜନତା ପାର୍ଟି (BJP) ମୋଟ 60 ଆସନ ମଧ୍ୟରୁ 46ଟି ଆସନରେ ଜିତିବାରେ ସଫଳ ହୋଇଛି । ଏହା ସହ, ପେମା ଖାଣ୍ଡୁ ତୃତୀୟ ଥର ମୁଖ୍ୟମନ୍ତ୍ରୀ ପଦରେ ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details