ରାଇରଙ୍ଗପୁର: ମୟୂରଭଞ୍ଜ କପ୍ତିପଦାରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ । ଆଜି(ବୁଧବାର) ଚଢାଉରେ ଯାଇଥିବା ଥାନା ଆଇଆଇସିଙ୍କୁ ସଂଘବଦ୍ଧ ଆକ୍ରମଣ । ଭାଙ୍ଗିଲେ ପୋଲିସ ଗାଡି । ଆକ୍ରମଣରେ ଥାନା ଆଇଆଇସି ଆହତ ହୋଇଛନ୍ତି ।
କଣ ପୂରା ଘଟଣା:
ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଧିକାରୀ ପ୍ରକାଶ ରଥ ଆଜି ସକାଳେ ଡାହିସାହି ଅଞ୍ଚଳରେ ଗୋଟିଏ ଜାଗାରେ ବେଆଇନ ଭାବେ ଗଚ୍ଛିତ ରଖା ଯାଇଥିବା ବାଲି ଜବତ କରିବାକୁ ଯାଇଥିଲେ । ଏହି ସମୟରେ ଆଇଆଇସି ସେଠାରେ ପହଞ୍ଚି ବାଲି କାହାର ଏବଂ କିଏ ଗଚ୍ଛିତ ରଖିଛି ବୋଲି ପଚାରିବା କ୍ଷଣି ବାଲି ମାଫିଆ ଏବଂ ତାଙ୍କ ସ୍ତ୍ରୀଙ୍କ ସମେତ ୫ରୁ ଅଧିକ ମହିଳା ମିଶି ଥାନା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ ।
ପୋଲିସ ଗାଡିକୁ ପଥର ମାଡ:
ଏଥିସହ ଥାନା ଅଧିକାରୀଙ୍କୁ ପଥର ମାଡ଼ କରିବା ସହିତ ଥାନା ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ଯାହାକି ପଥର ମାରି ଥାନା ଗାଡି କାଚ ଭାଙ୍ଗି ଦେଇଛନ୍ତି ମାଫିଆ । ଅନ୍ୟପଟେ ଆକ୍ରମଣରେ ଥାନା ଅଧିକାରୀଙ୍କ ବେକ, ପିଠିରେ ଆଘାତ ଲାଗିଛି । ପରେ ସେ କପ୍ତିପଦା ଡାକ୍ତରଖାନାରେ ଚିକିତ୍ସିତ ମଧ୍ୟ ହୋଇଛନ୍ତି । ଏହି ଘଟଣାର ତଦନ୍ତ ଜାରି ରହିଛି । ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି । ତେବେ ମାଫିଆମାନେ ପୋଲିସକୁ ମଧ୍ୟ ଖାତିର ନ କରି ଆକ୍ରମଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହା ମଧ୍ୟ ପଢନ୍ତୁ: ବାଲି ମାଫିଆଙ୍କ ପାଇଁ ନଷ୍ଟ ହେଉଛି ଚାଷ ଜମି, ଚିନ୍ତାରେ ଚାଷୀ - crop land destroy ହାଇକୋର୍ଟ ନିର୍ଦ୍ଦେଶକୁ ଫୁ ! ରାତି ଅଧରେ ଉଠୁଛି ଶହଶହ ଟ୍ରିପ ବାଲି, କୋଟିକୋଟି ଟଙ୍କା ରାଜସ୍ବ ହାନି |
କଣ କହିଲେ ଆକ୍ରମଣର ଶିକାର ଥାନାଧିକାରୀ:
ଆକ୍ରମଣର ଶିକାର ହୋଇଥିବା କପ୍ତିପଦା ଥାନା ଆଇଆଇସି ପ୍ରକାଶ କୁମାର ରଥ କହିଛନ୍ତି, ‘ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ, କପ୍ତିପଦା ଅଞ୍ଚଳରେ ବାଲି ଯେଉଁ ଚୋରି ହେଉଛି ତାହା ଉପରେ ଚଢାଉ ଚାଲିଥିଲା । ଗତକାଲି ରାତିରେ ମୁଁ ଏବଂ କପ୍ତିପଦା ଅତିରିକ୍ତ ତହସିଲଦାର ବୁଲିକି ପୂରା ଅଞ୍ଚଳ ଚଢାଉ କରିଥିଲୁ । ଆଜି ମଧ୍ୟ ଆମେ ଚଢାଉ କରିଥିଲୁ । ଜଣେ ବ୍ୟକ୍ତି ଏକ ସ୍ଥାନରେ ବାଲି ଗଚ୍ଛିତ କରି ରଖିଥିଲା । ଏହାକୁ ନିଲାମ ହେବା ନେଇ ଆମେ କହିଥିଲୁ । ଆଜି ଆମେ ଚଢାଉ କରିବାକୁ ଗଲାବେଳେ ସେହି ବ୍ୟକ୍ତିଙ୍କ ପତ୍ନୀ ମିଶିକି ଆମକୁ ବାଡେଇଥିଲେ । ଆମ ଗାଡି ଭାଙ୍ଗି ଦେଇଛନ୍ତି । ଏହି ଘଟଣା ପଛରେ କିଛି ଲୋକେ ଚକ୍ରାନ୍ତ କରିଛନ୍ତି । 5ରୁ 6 ଜଣ ଲୋକେ ଏଥିରେ ସମ୍ପୃକ୍ତ ଅଛନ୍ତି ।’
ଇଟିଭି ଭାରତ, ରାଇରଙ୍ଗପୁର