ନୂଆଦିଲ୍ଲୀ: ଆଜି ପଞ୍ଜାବ ଓ ହରିୟାଣାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଲାକ୍ଷାଧିକ କୃଷକଙ୍କୁ ପୋଲିସ ପଞ୍ଜାବ-ହରିୟାଣା ସୀମାବର୍ତ୍ତୀ ଶମ୍ଭୁ ବର୍ଡର ନିକଟରେ ରୋକିବାରେ ସଫଳ ହୋଇଛି । ଏଥିରେ ଉଭୟ ପୋଲିସ ଓ କୃଷକମାନେ ବହୁସଂଖ୍ୟାରେ ଆହତ ହୋଇଛନ୍ତି । ହେଲେ ଏହି ଆନ୍ଦୋଳନ ସ୍ଥଗିତ କିମ୍ବା ପ୍ରତ୍ୟାହୃତ ହେବ ନାହିଁ । କୃଷକମାନେ ଆଜି ସେଠାରେ ରାଜପଥରେ ରାତ୍ରିଯାପନ କରିବେ । ଆସନ୍ତାକାଲି ପୁଣି ଥରେ ସେମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ସ୍ପଷ୍ଟ କରିଛନ୍ତି । ଆଜି ମଧ୍ୟାହ୍ନରୁ ସଂଧ୍ୟା ପର୍ଯ୍ୟନ୍ତ ପୋଲିସ ସହ କୃଷକଙ୍କ ସଂଘର୍ଷ ଦେଖିବାକୁ ମିଳିଥିଲା । ପୋଲିସ ବଳ ପ୍ରୟୋଗ କରିବାକୁ ବାଧ୍ୟ ହୋଇଥିଲା । ହେଲେ କୃଷକ ମଧ୍ୟ ପଛକୁ ଫେରିବାକୁ ପ୍ରସ୍ତୁତ ନଥିଲେ । ସେମାନେ ଆଜି ରାତିରେ ଜାତୀୟ ରାଜପଥରେ ରହିବେ । ଆସନ୍ତାକାଲି ପୁଣି ଆନ୍ଦୋଳନ ଆରମ୍ଭ କରିବେ ।
ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବଥରର ଘଟଣାକୁ ଦେଖି କୃଷକମାନେ ପୂର୍ଣ୍ଣ ପ୍ରସ୍ତୁତି ସହ ଆସିଛନ୍ତି । ସେମାନେ ଏହି ଆନ୍ଦୋଳନ ଲମ୍ବା ସମୟ ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେମାନଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ଓ ଇନ୍ଧନ ମଧ୍ୟ ରହିଛି । ସେମାନେ ତମ୍ବୁରେ ରହିବା ସହ ସରକାର ଦାବି ପୂରଣ ନକରିବା ପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ ଆନ୍ଦୋଳନ ପ୍ରତ୍ୟାହାର କରିବେ ନାହିଁ ବୋଲି କହିଛନ୍ତି ।